ଟୁଇଟର୍‌ କର୍ମଚାରୀଙ୍କ ପାଇଁ ଏଲନ୍‌ ମସ୍କ୍‌ଙ୍କ ନୂଆ ନିୟମ: ସପ୍ତାହକ ୭ଦିନ ୧୨ ଘଣ୍ଟା ଲେଖାଁଏ କାମ କର ନଚେତ୍‌ ବିଦା ହୁଅ

ନୂଆଦିଲ୍ଲୀ: ‘ଟୁଇଟର୍‌’‌ ସଂସ୍ଥାନରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ଏଲନ୍‌ ମସ୍କ୍‌ ନିର୍ଦ୍ଦିଷ୍ଟ ସମୟ ଉପରେ ଗୁରତ୍ବାରୋପ କରିଥିବାରୁ କର୍ମଚାରୀମାନଙ୍କୁ ଅଧିକ ସମୟ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେଠାକାର ପରିଚାଳକମାନେ କହିଥିବା କଥା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

‘ସିଏନ୍‌ବିସି’ ରିପୋର୍ଟ ଅନୁସାରେ, ସପ୍ତାହକ ୭ ଦିନ ୧୨ ଘଣ୍ଟାଏ ଲେଖାଁ କାମ କରିବା ଲାଗି ଟୁଇଟର୍‌ର ଇଞ୍ଜିନିୟର୍‌ମାନଙ୍କ ମଧ୍ୟରୁ କେତେକଙ୍କୁ ନିର୍ଦେଶ ଦିଆଯାଇଛି।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ମସ୍କ୍‌ ନିର୍ଦ୍ଧାରଣ କରିଥିବା ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ଲାଗି ସପ୍ତାହକୁ ୭ ଦିନ ୧୨ଘଣ୍ଟିଆ ସିଫ୍‌ଟ୍‌ରେ କାର୍ଯ୍ୟ କରିବା ଲାଗି କେତେକ କର୍ମଚାରୀମାନଙ୍କୁ ମ୍ୟାନେଜର୍‌ମାନେ ନିର୍ଦେଶ ଦେଇଛନ୍ତି।

‘ଓଭର୍‌ ଟାଇମ୍‌’ ପ୍ରାପ୍ୟ, ‘‌କମ୍ପେନ୍‌ସେନ୍‌’ ସମୟ ଅଥବା ଚାକିରି ସୁରକ୍ଷା କଥା ନ ଉଠାଇ ଅଧିକ ସମୟ କାର୍ଯ୍ୟ କରିବା ଲାଗି କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଥିବା କଥା ମଧ୍ୟ ଅଭ୍ୟନ୍ତରୀଣସୂତ୍ରରୁ ଜଣାପଡ଼ିଥିବା କଥା ଉକ୍ତ ରିପୋର୍ଟରେ ‌ଉଲ୍ଲେଖ ଅଛି। ନିର୍ଦ୍ଧାରଣ କରାଯାଇଥିବା କାର୍ଯ୍ୟ ନଭେମ୍ବର ପ୍ରାରମ୍ଭରେ ଶେଷ ନ କଲେ ଚାକିରି ହରାଇବେ ବୋଲି ଇଞ୍ଜିନିୟର୍‌ମାନଙ୍କୁ ସତର୍କ କରାଇ ଦିଆଯାଇଛି।

ସେହିପରି, ‘ଟୁଇଟର୍‌’ରେ ବ୍ଲୁ ଟିକ୍‌ ବାବଦକୁ ଦେୟ ଦେବା ପାଇଁ ଏଲନ୍‌ ମସ୍କ୍‌ କରିଥିବା ଯୋଜନା ପ୍ରତି କେତେକ ବ୍ୟବହାରକାରୀ ସମ୍ମତି ପ୍ରଦାନ କରିଥିବା ବେଳେ ଆଉ କେତେକ ଏଭଳି ପଦକ୍ଷେପକୁ ସମାଲୋଚନା କରିଛନ୍ତି।

‘ବ୍ଲୁ ଟିକ୍‌’ ବାବଦକୁ ମାସକୁ ୧୯.୯୯ ଡଲାର୍‌ ଦେବାକୁ ହେବ ବୋଲି ପ୍ରଥମେ ମସ୍କ୍‌ ଯୋଜନା କରିଥିଲେ, କିନ୍ତୁ ଜନସାଧାରଣଙ୍କ ପାଇଁ ୮ ଡଲାର୍‌ ଠିକ୍‌ ହେବ ବୋଲି ପୁଣି ସେ କହିଛନ୍ତି।

Comments are closed.