ଗଜପତି ( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଜାତୀୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ମାର୍ଗଦର୍ଶନରେ ତଥା ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପୃଷ୍ଠପୋଷକତାରେ ଏବଂ ସଚିବ ବିମଳ ରାଉଳଙ୍କ ସକ୍ରିୟ ତତ୍ତ୍ୱାବଧାନରେ ଗୁମ୍ମା ବ୍ଲକ୍ ଅନ୍ତର୍ଗତ କିଟୁମ୍ବା ଗ୍ରାମରେ ଗତ ଦୁଇମାସ ଧରି ଚାଲିଥିବା ଆଇନ ସେବା ମେଗା ଡ୍ରାଇଭ୍ କାର୍ଯ୍ୟକ୍ରମ ଆଜି ଅପରାହ୍ନ ୪ଟା ସମୟରେ ଉଦଯାପିତ ହୋଇଯାଇଛି।ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ର ଧାରା ୧୨ ଅନୁଯାୟୀ ଯୋଗ୍ୟ ହିତାଧିକାରୀମାନଙ୍କୁ ନିଃଶୁଳ୍କ ଆଇନ ସହାୟତା ଓ ବିଭିନ୍ନ ସରକାରୀ ଯୋଜନାର ସୁଫଳ ପ୍ରଦାନ କରିବା ଏହି ମେଗା ଡ୍ରାଇଭ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅଭିଯାନ ଅବଧିରେ ଘରକୁ ଘର ବୁଲି ଜନସମ୍ପର୍କ ଅଭିଯାନ କରାଯିବା ସହ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ସଂଗ୍ରହ କରାଯାଇଥିଲା ତଥା ତ୍ୱରିତ ସମାଧାନ ନିମନ୍ତେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏଥି ସହ ଗ୍ରାମବାସୀଙ୍କୁ ସେମାନଙ୍କ ଆଇନଗତ ଅଧିକାର, ନିଃଶୁଳ୍କ ଆଇନ ସହାୟତା ପାଇବାର ବ୍ୟବସ୍ଥା, ବିଭିନ୍ନ ନାଲ୍ସା ଯୋଜନା ଓ ସରକାରୀ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ଏହା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା।ସେହିପରି ଆଗାମୀ ଶୀତ ଋତୁକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ଖଣି ବିଭାଗ ପକ୍ଷରୁ ଆଜିର ଉଦଯାପନୀ ସଭାରେ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଏହି ମାନବିକତାମୂଳକ ପଦକ୍ଷେପ ଶୀତ ଦିନରେ ଗ୍ରାମବାସୀଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲା। ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ବିମଳ ରାଉଳ, ଗଜପତି ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ପାରଳାଖେମୁଣ୍ଡିର ଖଣି ଅଧିକାରୀ ଦୀପେନ ପରିଡ଼ା, ଖଣି ଅଧିକାରୀ ମଳୟ କୁମାର ସେଠୀ ଏବଂ ପାରାଲିଗାଲ୍ ସ୍ବେଚ୍ଛାସେବୀ ଶଶିରେଖା ବିଷୋୟୀ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିବ ପ୍ରସାଦ ସେନାପତି, ରାୟ ଗୋବିନ୍ଦ ରାଜୁ, ଚନ୍ଦ୍ରଶେଖର ପ୍ରଧାନ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.