ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ତିନି ଜଣ ଅଟକ; ୨୭ରେ ଜଳେଶ୍ୱର ବନ୍ଦ ଡାକରା, ନ୍ୟାୟ ଦାବିରେ ପରିବାର ଓ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

0
ବାଲେଶ୍ୱର, ୨୪ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାର୍ତ୍ତନା ଗ୍ରାମ ନିକଟରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ଅନ୍ୟପକ୍ଷରେ, ଘଟଣାର ନିରପେକ୍ଷ ତଦନ୍ତ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ (ବିଜେଡି) ଆସନ୍ତା ୨୭ ତାରିଖରେ ଜଳେଶ୍ୱର ବନ୍ଦ ଡାକରା ଦେଇଛି। ଏଥିସହ ସ୍ଥାନୀୟ ଲୋକେ ଓ ପୀଡ଼ିତାଙ୍କ ପରିବାର ସଦସ୍ୟମାନେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି।
ବାଲେଶ୍ୱର ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ଗିରଫ ସୁଲତାନପୁର ଗ୍ରାମର ଚନ୍ଦ୍ରକାନ୍ତ ଜେନା ଓରଫ କାହ୍ନାକୁ ପଚରାଉଚରା କରିବା ପରେ ପୋଲିସକୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଅଭିଯୁକ୍ତ ନାବାଳିକାଙ୍କୁ ପୂର୍ବରୁ ଜାଣିଥିଲା ବୋଲି ଏସ୍‌ପି କହିଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ଅକ୍ଟୋବର ୧୬ ତାରିଖରେ କାହ୍ନା ନାବାଳିକାଙ୍କୁ ପଶ୍ଚିମବଡ଼ ବଜାରକୁ ଯିବା ପାଇଁ କହିଥିଲା। ତା’ ଉପରେ ବିଶ୍ୱାସ କରି ନାବାଳିକା ତାଙ୍କ ମୋଟରସାଇକେଲରେ ଯାଇଥିଲେ। ଅଭିଯୁକ୍ତ ତାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ନେଇଥିବା ଅଭିଯୋଗ ହୋଇଛି।
ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍‌ରେ ସେ ନାବାଳିକାଙ୍କୁ ବାର୍ତ୍ତନା ଗ୍ରାମର ଏକ ନିର୍ଜନ ସ୍ଥାନକୁ ନେଇଥିଲା। ଶାରୀରିକ ସମ୍ପର୍କ ପାଇଁ ନାବାଳିକା ଅରାଜି ହେବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିବା ଏସ୍‌ପି ଜଳେଶ୍ୱରରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଘଟଣା ସମୟରେ କିମ୍ବା ହତ୍ୟା ପରେ ଅନ୍ୟ କେହି ଉପସ୍ଥିତ ଥିଲେ କି ନାହିଁ, ତାହା ପୋଲିସ ତଦନ୍ତ କରୁଛି।
ମୃତଦେହର ଅବସ୍ଥାକୁ ଦେଖି ନାଇଟ୍ରିକ୍ ଏସିଡ୍ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି। ଏହି ରାସାୟନିକ ପଦାର୍ଥ ଅଳଙ୍କାର ନିର୍ମାଣ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୁଏ। ଅଭିଯୁକ୍ତ ପୂର୍ବ ଯୋଜନା ଅନୁଯାୟୀ ଏସିଡ୍ ଆଣିଥିଲା କିମ୍ବା ଘଟଣାର କିଛି ଘଣ୍ଟା ପରେ ମୃତଦେହ ଉପରେ ଏହା ପକାଯାଇଥିଲା, ସେନେଇ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଏସିଡ୍ ବ୍ୟବହାର ଓ ଏହା ପଛରେ ଥିବା ପରିସ୍ଥିତି ସମ୍ପର୍କରେ ତଦନ୍ତ ପରେ ହିଁ ସ୍ପଷ୍ଟ ତଥ୍ୟ ମିଳିପାରିବ।
ଅନ୍ୟପକ୍ଷରେ, ଘଟଣାର ପ୍ରତିବାଦରେ ଅଞ୍ଚଳରେ ଆନ୍ଦୋଳନ ଜାରି ରହିଛି। ପୀଡ଼ିତାଙ୍କ ପରିବାର ସଦସ୍ୟମାନେ ଶନିବାର ସକାଳ ୯ଟାରୁ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାରଠାରେ ରାସ୍ତା ଅବରୋଧ କରି ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥିବାବେଳେ ପ୍ରତିବାଦକାରୀମାନେ ଟାୟାର ଜାଳି ପ୍ରତିବାଦ ଜଣାଇଥିଲେ। ସ୍ଥାନୀୟ ଲୋକେ ମଧ୍ୟ ଗତ ତିନି ଦିନ ଧରି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରି ନ୍ୟାୟ ଦାବି କରୁଛନ୍ତି।
ଏହି ଘଟଣାକୁ ନେଇ ରାଜନୈତିକ ତତ୍ପରତା ମଧ୍ୟ ବୃଦ୍ଧି ପାଇଛି। ବିଜେଡି ଆସନ୍ତା ୨୭ ତାରିଖରେ ଜଳେଶ୍ୱର ବନ୍ଦ ଡାକରା ଦେବା ସହ ଅକ୍ଟୋବର ୩୦ ସୁଦ୍ଧା ତଦନ୍ତକୁ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ଦାବି କରିଛି। ଏଥିସହ ମାମଲା ପରିଚାଳନାରେ ଅବହେଳା ଅଭିଯୋଗର ନିରପେକ୍ଷ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଜଳେଶ୍ୱର ଥାନା ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଦଳ ଦାବି ଜଣାଇଛି।
ଏହି ଘଟଣାକୁ ନେଇ ସିପିଆଇ(ଏମ୍) ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଅନ୍ୟପକ୍ଷରେ, ଦେବସେନା ପକ୍ଷରୁ ଶନିବାର ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବି କରାଯାଇଛି।
ବିଜେଡିର ତଥ୍ୟ ଅନୁସନ୍ଧାନକାରୀ ଦଳ ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ବାଲେଶ୍ୱର ଏସ୍‌ପିଙ୍କୁ ସ୍ମାରକପତ୍ର ଦେଇ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ସହ ଅପରାଧରେ ସମ୍ପୃକ୍ତ କିମ୍ବା ଘଟଣାକୁ ଲୁଚାଇବାରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଘଟଣାକୁ ନେଇ ଅଞ୍ଚଳରେ ନ୍ୟାୟ, ନିରପେକ୍ଷ ତଦନ୍ତ ଓ ଦାୟିତ୍ୱ ନିର୍ଦ୍ଧାରଣ ପାଇଁ ଦାବି ଜୋରଦାର ହୋଇଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
Leave A Reply

Your email address will not be published.