ଧର୍ମେନ୍ଦ୍ରଙ୍କ ନାଗଫାଶ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଲେ ବିଜେଡ଼ି ଓ କଂଗ୍ରେସ, ତଦନ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନହେଉ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଗଫାଶ ମନ୍ତବ୍ୟ ପରେ ଏହି ପ୍ରସଙ୍ଗ ଉପ‌ରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି, ‘‘ଗୁମର ଖୋଲିବ, ଇଡି ତଦନ୍ତ କରିବା ଆରମ୍ଭ କଲାଣି ଏବଂ ଏହି ଘଟଣାକୁ ଜାଣିବା ପାଇଁ ଓଡିଶାବାସୀ ଚାହିଁରହିଛନ୍ତି। ଯେଉଁ ଯେଉଁମାନେ ଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ସେମାନଙ୍କ ମୁଖା ଖୋଲିବ ଏବଂ ରାଜ୍ୟବାସୀ ସବୁକଥା ଜାଣିପାରିବେ। ସରକାରରେ ଥିବା ଦଳର ମନ୍ତ୍ରୀ ମାଳମାଳ ବିଧାୟକ ଏବଂ ନେତୃମଣ୍ଡଳୀ ସେଠାକୁ ଯାଇଛନ୍ତି ସେ କଥାର ପ୍ରମାଣ  ଆମ ପାଖେ ଓ ସମସ୍ତଙ୍କ ପାଖେ ଅଛି। ଇଡି ଏହାକୁ ପ୍ରକାଶ କରିବ। ଇଡି ପଶିବା ପରେ କିଏ କେଉଁ ଉଦ୍ଦେଶ୍ୟରେ ଯାଇଛନ୍ତି ତାହା ସାମ୍ନାକୁ ଆସିବ। ଆମ ପାଖରେ ୨୫ ଜଣ ନେତା ସେଠାକୁ ଯାଉଥିବା ଖବର ଅଛି। ଇଡି ତଦନ୍ତ ପରେ ସବୁ ସତ ବାହାରିଯିବ, ଯାହା ଲୁକ୍କାୟିତ ରହିଯାଇଛି ତାହା ପରିପ୍ରକାଶ ହେବ। ନେତା ଏବଂ ଅର୍ଚ୍ଚନା ନାଗଙ୍କ ଭିତରେ ଅର୍ଥନୈତିକ କାରବାର ନିଶ୍ଚୟ ହୋଇଛି। ନଚେତ ଏତେ କମ ଦିନ ଭିତରେ ଏତେ ବଡ଼ ସାମ୍ରାଜ୍ୟ ଧଳା ଧନରେ ଗଠନ କରିବା ସମ୍ଭବ ନୁହେଁ। ୨୨ ବର୍ଷ ହେଲା ଗରିବ ଲୋକଙ୍କଠୁ ପଇସା ଅର୍ଜନ କରିଛନ୍ତି ଏବଂ ଓଡିଶାବାସୀଙ୍କ ସେବା ବଦଳରେ ଅର୍ଚ୍ଚନା ନାଗର ସେବା କରୁଛନ୍ତି।’’

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘‘ଅର୍ଚ୍ଚନା ନାଗ ଘଟଣା ଅନେକ ଦଳର ନେତା ଫସିଛନ୍ତି। ଇଡି ତଦନ୍ତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କିନ୍ତୁ ଇଡିର ତଦନ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନହେଉ। କେବଳ ଗୋଟେ ଦଳର ଲୋକକୁ ଫସା ନଯାଉ। ଏଥିରେ ବିଜେଡି, ବିଜେପି ଏବଂ ଯେକୌଣସି ଦଳର ନେତାମାନେ ସମ୍ପୃକ୍ତ ଅଛନ୍ତି ଅର୍ଚ୍ଚନା ନାଗଫାଶରେ ଅଛନ୍ତି, ସମସ୍ତଙ୍କୁ ଫସାଯାଉ। ରାଜନୈତିକ ତଥା ମନ୍ଦ ଉଦ୍ଦେଶ୍ୟରେ ଇଡିକୁ ବ୍ୟବହାର କରା ନ ଯାଉ। ସତ୍ୟରେ ଅର୍ଚ୍ଚନା ନାଗ ଫାସରେ ଯେଉଁ ନେତା ମନ୍ତ୍ରୀମାନେ ଫସିଛନ୍ତି ଏବଂ ଘୃଣିତ କାର୍ଯ୍ୟ କରିଛନ୍ତି, ଦଳମତ ନିର୍ବିଶେଷରେ ସମସ୍ତଙ୍କ ମୁଖା ଖୋଲାଯାଉ।’’

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ନିଜ ବୟାନରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ତାଙ୍କ ପାଖରେ ଯଦି ସେଣ୍ଟ୍ରାଲ ଏଜେନ୍ସି ଇଡ଼ି ଅଛି ସେ କହନ୍ତୁ କିଏ ନାଗଫାଶରେ ପଡିଛନ୍ତି । ବାହାରେ ନିର୍ବାଚନ ବେଳେ ଶେଷ ମୁହୂର୍ତ୍ତରେ ଏହି କଥା ଉଠାଇବା କେବଳ ତାଙ୍କର ହତାଶ ଭାବର ପରିଚୟ । ସେମାନେ ନେଗେଟିଭ କଥା କହି ପ୍ରଚାର କରୁଛନ୍ତି । ଆମେ ପିଜେଟିଭ ପ୍ରଚାର କରିଛୁ । ହତାଶ ହୋଇଥିବାରୁ କେନ୍ଦ୍ରୀୟ ସଂସ୍ଥା ତଦନ୍ତ କରିବ ବୋଲି ନିର୍ବାଚନ ବେଳେ ଧମକ ଦେଉଛନ୍ତି । ତଦନ୍ତ ପାଇଁ ସବୁ କିଛି ଉନ୍ମୁକ୍ତ ଅଛି । ଅସୁବିଧା କେଉଁଠି ରହିଛି ?  ବିଜେଡି ନେତାଙ୍କୁ ଅଡୁଆ ହେବ କି ନ ହେବ ତଦନ୍ତ ପରେ ଜଣାପଡିବ । ସେଣ୍ଟ୍ରାଲ ଏଜେନ୍ସି କଥା ବର୍ତ୍ତମାନ ନୁହେଁ, ବହୁତ ଦିନ ଧରି ବହୁତ କଥା କହିଛନ୍ତି।’

Comments are closed.