ଆସନ୍ତାକାଲି ଧାମନଗରରେ ଭୋଟ୍: ମତଦାନ ଲାଗି ସମସ୍ତ ପ୍ରସ୍ତୁତି ‌ଶେଷ, ସମ୍ବେନଶୀଳ ବୁଥ ଉପରେ କଡ଼ା ନଜର

ଭୁବନେଶ୍ବର:  ଆସନ୍ତାକାଲି ଧାମନଗର ଉପନିର୍ବାଚନ ପାଇଁ ଭୋଟ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ସବୁ ପ୍ରକାର ପୋଲିଂ କର୍ମଚାରୀ ନିୟୋଜିତ ହୋଇ ସାରିଛନ୍ତି । ସମୁଦାୟ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମତଦାନ ସଂପର୍କିତ ସମସ୍ତ ସୂଚନା ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି।

ସେ କହିଛନ୍ତି, ଗତକାଲି ପ୍ରଚାର ସରିଛି।  ବର୍ତ୍ତମାନ ‘ସାଇଲେଣ୍ଟ ପିରିୟଡ଼’ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି। ଆସନ୍ତାକାଲି ସକାଳ ୭ ରୁ ୬.୩୦ ପର୍ଯ୍ୟନ୍ତ ସମସ୍ତ ଏକ୍ସିଟ ପୋଲକୁ ନିଷେଧ କରାଯାଇଛି। ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେ ନାହିଁ । ଯଦି କେହି ନିୟମ ଉଲଂଘନ କରେ ତେବେ ତାଙ୍କୁ ଗିରଫ କରାଯିବ । ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡ଼କ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ ମତଦାତା। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ମକପୋଲ ହେବ।  ଧାମନଗରରେ ମୋଟ ୨୫୨ ବୁଥ କରାଯାଇଛି । ସେ ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥି ମଧ୍ୟରୁ ୧୨୬ଟିର ୱେବକାଷ୍ଟିଂ ହେବ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ୨୫ ଜଣ ମାଇକ୍ରୋ ଅଵଜରର୍ଭର ରହିଛନ୍ତି। ୧୫ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି । ୪ଟି ସେଣ୍ଟ୍ରାଲ ଟିମ ଓ ୧୦୦୦ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

୩ଟି ରାଜନୈତିକ ଦଳ ପ୍ରଚାର ସମୟରେ କିଛି ଅଭିଯୋଗ ଆଣିଥିଲେ । ସାଧାରଣ ଅଭିଯୋଗ ପାଇଁ ଆମେ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶୀକା ଦେଇଛୁ । ୫ଟି ଘଟଣାରେ ପୁଲିସ କେସ ହୋଇଛି । ଆଉ ଗୋଟିଏ ମାମଲାରେ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ଆମେ ତାକୁ ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଛୁ ବୋଲି ଶ୍ରୀ ଲୋହାନି କହିଛନ୍ତି।

Comments are closed.