ଜଳେଶ୍ବର: ୨୦୨୧ ମସିହା ନଭେମ୍ବର ମାସରେ ଓଡ଼ିଶା ରାଜ୍ୟ କୃଷି ବିପଣନ ସଂଶୋଧିତ ଆଇନ ସମ୍ପର୍କରେ ଗେଜେଟ୍ ନୋଟିଫିକେସନ୍ ପରେ ବାଲେଶ୍ବର ଜିଲ୍ଲାର ଚାଷୀମାନେ ବ୍ୟବସାୟୀଙ୍କ ଦ୍ବାରା ଶୋଷିତ ହେଉଥିବା ଅଭିଯୋଗ ହୋଇଛି। କେବଳ ଯେ ଚାଷୀ ଶୋଷିତ ହେଉଛନ୍ତି ତାହା ନୁହେଁ, ଉତ୍ତର ବାଲେଶ୍ବର ଅଞ୍ଚଳରେ କୃଷି ଓ କୃଷକର ଉନ୍ନତି ପାଇଁ କାର୍ଯ୍ୟ କରିଆସୁଥିବା ଜଳେଶ୍ବର ଆର୍ଏମ୍ସିର ଅବସ୍ଥା ମଧ୍ୟ ଦିନକୁ ଦିନ ରୁଗ୍ଣ ହୋଇଯାଉଛି। ଏପରି କି ଗତ ବର୍ଷକ ମଧ୍ୟରେ ଜଳେଶ୍ବର ଆର୍ଏମ୍ସି କୋଟିଏରୁ ଅଧିକ ଟଙ୍କାର ରାଜସ୍ବ ହରାଇଛି ବୋଲି କୁହାଯାଇଛି। ଫଳରେ ଓଡ଼ିଶା ରାଜ୍ୟ କୃଷି ବିପଣନ ଆଇନ-୧୯୫୬କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର୍ଧରିଛି।
ଓଡ଼ିଶା କୃଷି ବିପଣନ ଆଇନ ବା ଓଏପିଏମ୍ ଆକ୍ଟ ୧୯୫୬ ମସିହାରେ ଜାରି ହୋଇଥିଲା। ଏହାର ଦୁଇବର୍ଷ ପରେ, ଅର୍ଥାତ୍; ୧୯୫୮ ମସିହାରେ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିଥିଲେ। ଆଇନ ଅନୁସାରେ କୃଷି ଓ କୃଷକର ଉନ୍ନତି ପାଇଁ ଆର୍ଏମ୍ସିଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ବିଶେଷ କରି ଚାଷୀ ଯେପରି ତାର ଉତ୍ପାଦିତ କୃଷି ସାମଗ୍ରୀର ଉପଯୁକ୍ତ ସହାୟକ ମୂଲ୍ୟ ପାଇବେ, ଟ୍ରେଡିଂ କରୁଥିବା ବ୍ୟବସାୟୀମାନଙ୍କ ଦ୍ବାରା ଚାଷୀ ଶୋଷିତ ହେଉ ନଥିବ; ସେନେଇ ଆର୍ଏମ୍ସି ତଦାରଖ କରିବ। ଏହି ଆଇନ ଅଧୀନରେ ୩୦ଟି ଧାରା ରହିଥିଲା। ବିଶେଷ କରି ଧାନ, ପାନ, ମାଛ, ଶୁଖୁଆ, ଅଣ୍ଡା, ଗୋରୁ, ଗାଈ, ମେଣ୍ଢା ଆଦି ଚାଷକୁ ଏହି ଆଇନ ଅଧୀନରେ ରଖାଯାଇଥିଲା। ତେବେ ସରକାର ହଠାତ୍ ୨୦୨୦ ମସିହାରେ ଏହି ଆଇନକୁ ସଂଶୋଧନ କରି ବିଧାନସଭାରେ ଏକ ଅଧ୍ୟାଦେଶ ଜାରି କରିଥିଲେ। ସେହି ଅଧ୍ୟାଦେଶ ସମ୍ପର୍କରେ ବିଧାନସଭାରେ କୌଣସି ଆଲୋଚନା ହୋଇ ନଥିଲେ ମଧ୍ୟ ତାକୁ ଆୟୁଧ କରି ୨୦୨୧ ମସିହା ନଭେମ୍ବର ମାସରେ ୧୯୫୬ ମସିହା ଆଇନର ସଂଶୋଧନ ପୂର୍ବକ ନୂଆ ଗେଜେଟ୍ ନୋଟିଫିକେସନ୍ ଜାରି କରିଥିଲେ।
ପୂର୍ବରୁ ମଣ୍ଡିଗୁଡ଼ିକର ସୀମା ୧୦ କିମି ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିବା ବେଳେ ନୂଆ ନୋଟିଫିକେସନ୍ରେ ଏହା ମାତ୍ର ୧୦ ଏକର ଅଞ୍ଚଳକୁ ସୀମିତ କରିଦିଆଗଲା। ଫଳରେ ୩ଟି ବ୍ଲକ୍କୁ ନେଇ ଗଠିତ ଜଳେଶ୍ବର ଆର୍ଏମ୍ସି ପୂର୍ବରୁ ବର୍ଷକୁ ଦେଢ଼ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରୁଥିବା ବେଳେ ନୂଆ ଆଇନ ପରେ ଏହାର ବାର୍ଷିକ ଆୟ ମାତ୍ର ୪୦ ଲକ୍ଷ ଟଙ୍କାକୁ ଖସିଲା। ସବୁଠାରୁ ବଡ଼କଥା; ସଂଶୋଧିତ ଆଇନ ଲାଗୁ ହେବା ପରେ ଜଳେଶ୍ବର ଆର୍ଏମ୍ସି ଅଞ୍ଚଳରେ ପଶ୍ଚିମବଙ୍ଗ ବ୍ୟବସାୟୀ ସକ୍ରିୟ ହେବା ସହ ଚାଷୀଙ୍କୁ ଶୋଷଣ କରିବାକୁ ଲାଗିଲେ। ବିଶେଷ କରି ଜଳେଶ୍ବର ଆର୍ଏମ୍ସି ଅଧୀନରେ ଥିବା ଜଳେଶ୍ବର ହାଟମଣ୍ଡି ଓ ଦେଉଳା, ନିମାତପୁର, ନାମ୍ପୋ, ରାଇବଣିଆ, କାଳିକ, ଖୁଆଡ଼ ଆଦି ପଞ୍ଚାୟତ ମଣ୍ଡିଗୁଡ଼ିକରେ ମାର୍କେଟ୍ ୟାର୍ଡ ତଥା ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ମଧ୍ୟ ସୁବିନିଯୋଗ ହୋଇପାରିଲା ନାହିଁ। ଯାହାଦ୍ୱାରା ୨୦୨୧ ମସିହା ତୃଟିପୂର୍ଣ୍ଣ ଆଇନକୁ ପରିବର୍ତ୍ତନ କରି ପୂର୍ବବତ ୧୯୫୬ ମସିହା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଲା।
ଫଳରେ ଗତ ୬ ତାରିଖରେ ସରକାର ଏ ସମ୍ପର୍କରେ ବିଭାଗୀୟ ଡାଇରେକ୍ଟର ଓ ଜିଏମ୍ଙ୍କୁ ୧୯୫୬ ଆଇନର କାର୍ଯ୍ୟକାରିତା ଉପରେ ଚିଠି ଲେଖିବା ସହ ଆଇନଗତ ଦିଗ ଉପରେ ସେମାନଙ୍କର ମତ ଲୋଡ଼ିଛନ୍ତି। ତେବେ ଉକ୍ତ ଆଇନ ଲାଗୁ ହେବ କି ନାହିଁ, ଯଦି ଲାଗୁହେବ; କେବେଠାରୁ ଲାଗୁ ହେବ, ସେନେଇ କାହା ପାଖରେ କିଛି ଉତ୍ତର ନାହଁ। ତେଣୁ ୧୯୫୬ ମସିହାର ଆଇନକୁ ଅବିଳମ୍ବେ ଲାଗୁ କରାଯାଉ ବୋଲି କେବଳ ଜଳେଶ୍ବର ଆର୍ଏମ୍ସି ନୁହେଁ, ଜିଲ୍ଲାର ବାଲେଶ୍ବର ଓ ନୀଳଗିରି ଆର୍ଏମ୍ସି କମିଟିର ବହୁ ପଦାଧିକାରୀ ଓ ଚାଷୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Comments are closed.