ଗଜପତି,୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ବର୍ତ୍ତମାନ ଗଜପତି ଜିଲ୍ଲା ବାତ୍ୟାର ପ୍ରଭାବରେ ଅତ୍ୟନ୍ତ ବ୍ୟସ୍ତ ରହିଥିବା ବେଳେ ସମଗ୍ର ଦେଶବାସୀ ଏହି ଦୁଃଖଦ ପରିସ୍ଥିତିରେ ସମବେଦନା ଜଣାଇବା ସହିତ ସହଯୋଗର ହାତ ବଢ଼ାଉଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ନିଜେ ଦୁର୍ଗମ ଅଞ୍ଚଳ ଓ ଜଳମଗ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ନିକଟରେ ପହଞ୍ଚିବା ସହ ରାସ୍ତା ଓ ପୋଲ ନିର୍ମାଣ ତଥା ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି।
ଏଭଳି ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିବା ପରିବର୍ତ୍ତେ ଚୁକ୍ତିଭିତ୍ତିକ କର୍ମଚାରୀ ଚୟନ ପ୍ରକ୍ରିୟାରେ କାହିଁକି ବ୍ୟସ୍ତ ରହିଛନ୍ତି? ପ୍ରାର୍ଥୀମାନଙ୍କୁ ସକାଳ ୧୦ଟାରେ ଡକାଯାଇଥିବା ବେଳେ ମଧ୍ୟରାତ୍ରିରେ ଚୟନ ପ୍ରକ୍ରିୟା ଆରମ୍ଭ କରିବାର କାରଣ କ’ଣ?
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ତିନି କିଲୋମିଟର ଦୂରକୁ ଏହି ପ୍ରକ୍ରିୟା ପାଇଁ କାହିଁକି ନିଆଗଲା? ଦୂରଦୂରାନ୍ତରୁ ଆସିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଅଭିଭାବକଙ୍କ ସହ ଆସିଥିବା ଯୁବତୀ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ବିଭାଗରେ ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ଏହି ସମୟରେ ଜଣେ ମହିଳା ଗୁରୁତର ଭାବେ ଅଚେତ ହୋଇପଡ଼ିଥିଲେ ଏବଂ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯଦି ତାଙ୍କ ଶରୀରରେ କୌଣସି ଅସୁବିଧା ଦେଖାଦିଏ, ତେବେ ଏଥିପାଇଁ ଦାୟୀ କିଏ ରହିବ?
ବାତ୍ୟା ସମୟରେ ଏଭଳି ନିଯୁକ୍ତି ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ କିଏ ଦେଇଥିଲେ? ଏଥିପାଇଁ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନିଆଯାଇଥିଲା କି? ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରୁଥିବା ଏଜେନ୍ସିର କାର୍ଯ୍ୟରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଭୂମିକା କ’ଣ?
ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ପାଇଁ ଟେଣ୍ଡର ପ୍ରକ୍ରିୟା କିପରି ଓ କେଉଁ ନିୟମ ଅନୁସାରେ କରାଯାଇଛି? ଏହି ସମସ୍ତ ପ୍ରଶ୍ନକୁ ନେଇ ବର୍ତ୍ତମାନ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ସାଧାରଣରେ ନାନା ପ୍ରଶ୍ନ ଉଠିବା ସହିତ ସ୍ୱଚ୍ଛତା ଓ ନିରପେକ୍ଷତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।