ବାଲେଶ୍ୱର, ୨୩/୦୬(କୃଷ୍ଣ କୁମାର ମହାନ୍ତି): ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ନୀଳଗିରିଙ୍କ ପବିତ୍ର ରଥଯାତ୍ରାକୁ ଶାନ୍ତି ଓ ଶୃଙ୍ଖଳାର ସହ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟରେ ନୀଳଗିରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉପ-ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ବିଧାୟକ ନୀଳଗିରି ଶ୍ରୀ ସନ୍ତୋଷ ଖଟୁଆ, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ବିଡିଓ ଶ୍ରୀ ବିକ୍ରମ କେଶରୀ ପରିଡ଼ା, ଏନ୍.ଏ.ସି ନିର୍ବାହୀ ଅଧିକାରୀ ଶ୍ରୀ ଅଂଶୁମାନ ପରିଡ଼ା, ଅତିରିକ୍ତ ତହସିଲଦାର ଶ୍ରୀମତୀ ଶୁଭଶ୍ରୀ ଜେନା, ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧକ୍ଷ ଶ୍ରୀ ମହେନ୍ଦ୍ର ନାଥ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ଉପସ୍ଥିତ ଅତିଥି ଓ ସଦସ୍ୟମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
ବୈଠକରେ ଅଧ୍ୟକ୍ଷା ଶ୍ରୀମତୀ ରଥ ପବିତ୍ର ଘୋଷ ଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ମହାରଣା ଓ ସହଯୋଗୀ ଆସନ୍ତା ୧୦ ତାରିଖ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ପ୍ରକାଶ କରିଥିଲେ ଏବଂ ଅଧ୍ୟକ୍ଷା ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରଥଯାତ୍ରା ସମୟରେ ବ୍ୟାପକ ପୋଲିସ ମୁତୟନ ସହ ସହରେ ଯେପରି କୌଣସି ଟ୍ରାଫିକ ସମସ୍ୟା ନହୁଏ ସେଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି। ରଥାରୂଢ଼ ସଦସ୍ୟ, ସେବାୟତ ଓ ବକ୍ତାଙ୍କ ଚୂଡ଼ାନ୍ତ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ସେବା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଓ ଅଦିନିଆ କାଟ୍ ରୋକିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଏକ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ଏକ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯିବ। ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ୩ ଦିନ ଲେଖାଏଁ ସମ୍ପୃକ୍ତ ଅଞ୍ଚଳ ଓ ବଡ଼ଦାଣ୍ଡ ଆଖପାଖରେ ଥିବା ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ, ଆମିଷ ଏବଂ ରଙ୍ଗ ବୋଳା ଭୋଗ ସାମଗ୍ରୀ ଉପରେ କଟକଣା ଜାରି ପାଇଁ ପ୍ରଚାର କରାଯିବ। ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସହର ପ୍ରମୁଖ ସ୍ଥାନ ଓ ବଡ଼ଦାଣ୍ଡ ପାର୍ଶ୍ୱରେ ପର୍ଯ୍ୟାପ୍ତ ଅସ୍ଥାୟୀ ଭ୍ରାମ୍ୟମାଣ ପରିସ୍ରାଗାର ତିଆରି କରାଯିବା ସହ ସହର ଓ ମୁଖ୍ୟ ରାସ୍ତାକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଅଳିଆ ଆବର୍ଜନା ସଫା ଉପରେ ଗୁରୁତ୍ୱ ଦିଆଯିବ।
ରଥ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପଡ଼ିଆରେ ପାରମ୍ପରିକ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷା ଓ ସେବାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପରିଷଦ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ପରାମର୍ଶ ଦେଇଥିଲେ।
ଏହି ପ୍ରଥମ ପର୍ଯ୍ୟାୟ ବୈଠକରେ ନୀଳଗିରି ସହର ବୁଦ୍ଧିଜୀବୀ, ମାଣ୍ୟଗଣ୍ୟ ବ୍ୟକ୍ତିବିଶେଷ, ସମାଜସେବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଆଇନଜୀବୀ, ଉଭୟ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ରଥ ବୈଠକର ସଫଳତା ନିମନ୍ତେ ସମସ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.