ବଲାଙ୍ଗିର: (ବିବି ନିୟୁଜ ବ୍ୟୁରୋ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୂର୍ବ ଜନ ସୂଚନା ଅଧିକାରୀ ଏସ.କେ. ଚାଟାର୍ଜୀ ରତ୍ନ ଭଣ୍ଡାର ଚାବି ଓ ମନ୍ଦିର ପରିଚାଳନା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ପ୍ରଦାନ କରି ନଥିଲେ ବୋଲି ରାଜ୍ୟ ସୂଚନା କମିଶନ ସଞ୍ଜୟ କେଶରୀ ସ୍ୱାଇଁ ତାଙ୍କୁ ୨୫ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଦେଇଛନ୍ତି । ସ୍ଥାନୀୟ ଯାଦବ ଭବନ ପରିସରରେ ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ ସୂଚନା ଅଧିକାର ଆଇନ ଅନୁପାଳନ କରାଯାଇ ନ ଥିବାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଜନସୂଚନା ଅଧିକାରୀଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବା ଏହା ସର୍ବ ପ୍ରଥମ ଘଟଣା। ସୂଚନା କମିଶନଙ୍କ ଏଭଳି ଉଦାହରଣୀୟ ରାୟକୁ ସୂଚନା କର୍ମୀ ଶ୍ରୀ ପଣ୍ଡା ସ୍ୱାଗତ କରିଛନ୍ତି। ମନ୍ଦିର ବାବଦରେ ସବୁ ସୂଚନା ସାର୍ବଜନୀନ କରିବା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା ଯୁକ୍ତି କରିଛନ୍ତି। ସେ କହିଛନ୍ତି ଯେ ୨୦୧୮ ଜୁନ ୧୧ରେ ପୁରୀ ରତ୍ନଭଣ୍ଡାର ଚାବି ସମେତ ୧୩ ସୂତ୍ରୀ ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କୁ ସେ ମାଗିଥିଲେ । କିନ୍ତୁ ଶ୍ରୀମନ୍ଦିର ତତ୍କାଳୀନ ଜନସୂଚନା ଅଧିକାରୀ ଗୋଟିଏ ଆବେଦନ ପତ୍ରରେ ଏତେ ତଥ୍ୟ ଦିଆଯାଇ ପାରିବନାହିଁ ବୋଲି ଜଣାଇଥିଲେ । ଜନସୂଚନା ଅଧିକାରୀଙ୍କ ଏଭଳି ତଞ୍ଚକତାପୂ୍ର୍ଣ୍ଣ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଶ୍ରୀ ପଣ୍ଡା ପ୍ରଥମ ଅପିଲ ଅଧିକାରୀଙ୍କୁ ଆବେଦନ କରିଥିଲେ । ପଣ୍ଡାଙ୍କ ଯୁକ୍ତି କରିଛନ୍ତି ଯେ ୧୩ ସୂତ୍ରୀ ତଥ୍ୟ ସେ ମାଗିଥିଲେ ମଧ୍ୟ ସବୁଯାକ ଗୋଟିଏ ବିଷୟବସ୍ତୁ ଉପରେ ଆଧାରିତ। ତେଣୁ ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରିବାରେ କୌଣସି ବାଧା ନାହିଁ । ଏ ସବୁକୁ ବିଚାର କରି ସୂଚନା କମିଶନ ଶ୍ରୀ ସ୍ୱାଇଁ ସୂଚନା ଆଇନର ୨୦(୧) ଧାରା ଅନୁଯାୟୀ ଦଣ୍ଡ ବିଧାନ କରିବା ସଙ୍ଗେ ତାଙ୍କ ରାୟରେ କହିଛନ୍ତି ଯେ ଆବେଦନକାରୀ ପଣ୍ଡାଙ୍କୁ ଗୋଟିଏ ଫର୍ମରେ ଗୋଟିଏ ତଥ୍ୟ ମାଗିବାକୁ କହି ଶ୍ରୀମନ୍ଦିର ପୂର୍ବ ଜନ ସୂଚନା ଅଧିକାରୀ ତାଙ୍କ କର୍ତ୍ତବ୍ୟ ତୁଲାଇବାରେ ବିଫଳ ହୋଇଛନ୍ତି । ସେ ସୂଚନା ଅଧିକାର ଆଇନକୁ ଅସମ୍ମାନ କରିଛନ୍ତି । ଆବେଦନକାରୀ ପଣ୍ଡାଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ବର୍ତ୍ତମାନର ଜନ ସୂଚନା ଅଧିକାରୀଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଭିତର ରତ୍ନଭଣ୍ଡାର ଚାବି ମିଳୁ ନଥିବା କଥା ୨୦୧୮ ମସିହାରେ ପୁରୀ ଜିଲା ପ୍ରଶାସନ କହିବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
Sign in
Sign in
Recover your password.
A password will be e-mailed to you.
Comments are closed.