ମହାନଦୀ ଟ୍ରାଇବୁନାଲର ୩୦ତମ ବୈଠକ ଶନିବାର ବସିଛି।

ନୂଆଦିଲ୍ଲୀ: ମହାନଦୀ ଟ୍ରାଇବୁନାଲର ୩୦ତମ ବୈଠକ ଶନିବାର ବସିଛି। ଟ୍ରାଇବୁନାଲକୁ ଆଉ କିଛି ମାସ ପରେ ୪ ବର୍ଷ ପୂରିବ। ମାତ୍ର ଏହାର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ। ସେ କହିଛନ୍ତି ଏହା ଯେଉଁଭଳି କଚ୍ଛପ ଗତିରେ ଚାଲୁଛି ତାକୁ ଦେଖିଲେ ମହାନଦୀର ବନ୍ୟା ଓ ମରୁଡି ବିପତ୍ତି ପ୍ରଶମିତ ହେବାର ଆଭାସ ମିଳୁନାହିଁ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ମହାନଦୀ ଅବବାହିକାରେ ଚଳିତ ବର୍ଷା ବନ୍ୟା ଆସିବା ଦ୍ବାରା ଲକ୍ଷାଧିକ ଲୋକ ଗଭୀର ସଙ୍କଟ ଓ ଦୁର୍ଦିନ ଭିତରକୁ ଠେଲି ହୋଇ ଯାଇଛନ୍ତି। ତଳମୁଣ୍ଡରେ ବନ୍ୟାର ପ୍ରତିକାର, ଆଗୁଆ ପଦକ୍ଷେପ, ନଦୀବନ୍ଧ ଗୁଡ଼ିକର ରକ୍ଷଣାବେକ୍ଷଣ ଠିକ ଭାବରେ ହୋଇ ନ ଥିବାରୁ ଲୋକେ ବନ୍ୟାର ସମ୍ମୁଖୀନ ହୋଇଛନ୍ତି। ଛତିଶଗଡ଼ ସରକାର ଅଣମୌସୁମୀରେ ମହାନଦୀରେ ଆଦୌ ପାଣି ନ ଛାଡିବା ଯେମିତି ଦୁଃଖଦାୟକ, ଓଡ଼ିଶା ସରକାର ସେହି ସମୟରେ ନିଦାବିଷ୍ଣୁ ସାଜିବା ସେମିତି ମର୍ମନ୍ତୁଦ। ବନ୍ୟା ସମୟରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ ହୋଇ ପାରିଲା ତେବେ ମହାନଦୀ ଶୁଖିଲା ପଡ଼ିଥିବା ସମୟରେ କାହିଁକି ସେଭଳି ବୈଠକ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଓଡ଼ିଶା ସରକାର ସେଥିପାଇଁ କାହିଁକି ତତ୍ପର ହେଲେ ନାହିଁ? ଏଥିରୁ ଓଡ଼ିଶାବାସୀ ଓ ମହାନଦୀ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ ବୋଲି ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି।

ଉପଦେଷ୍ଟା ଇଂ. ଲଳିତ ମୋହନ ପଟ୍ଟନାୟକ, ସଂଯୋଜକ ବିଜୟ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ ବିଷୋୟୀ, ନିରଦ ଖୁଣ୍ଟିଆ, ପ୍ରକାଶ ରଥ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ସୂଚନା ପଦ୍ଧତି ଚୂଡ଼ାନ୍ତ ହୋଇପାରି ନାହିଁ। ଏବେବି ୧୦ ସାକ୍ଷୀ ସେମାନଙ୍କ ସତ୍ୟପାଠ ଦାଖଲ କରିନାହାନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ କେନ୍ଦ୍ରୀୟ ସଂସ୍ଥା ଆବଶ୍ୟକ ତଥ୍ୟ ଦେଉ ନାହାନ୍ତି। ଫଳରେ ଶୁଣାଣି ଆରମ୍ଭ ହୋଇ ପାରୁନାହିଁ। କାବେରୀ ନଦୀ ଟ୍ରାଇବୁନାଲ କ୍ଷେତ୍ରରେ ଯେମିତି ଚୂଡ଼ାନ୍ତ ରାୟ ଆସିବାକୁ ୨୫ ବର୍ଷ ଲାଗିଗଲା, ମହାନଦୀ ଟ୍ରାଇବୁନାଲ ସେହିପରି ଯେ ନ ହେବ ସେକଥା କିଏ କହିବ? ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାର ଏକାଠି ବସି କଥାବାର୍ତ୍ତା କରି ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ। ରାଜ୍ୟ ସରକାରଙ୍କ ହୀରାକୁଦ ତଳମୁଣ୍ଡରେ ଜଳ ସଂରକ୍ଷଣ ଓ ସବୁଜ ମହାନଦୀ ମିଶନ ମାଧ୍ୟମରେ ନଦୀର ଉଭୟ ପାର୍ଶ୍ବରେ ଗଛ ଲଗାଇବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଏହା ମହାନଦୀ ଓ ଓଡ଼ିଶାବାସୀଙ୍କ ପାଇଁ ପ୍ରତାରଣା। ମହାନଦୀ ଟ୍ରାଇବୁନାଲ ଆରମ୍ଭରୁ ଏକ ଅନ୍ତରୀଣ ରାୟ ବଳରେ ମହାନଦୀ ଓ ତଳମୁଣ୍ଡରେ ଥିବା ଓଡ଼ିଶାର ସ୍ବାର୍ଥ ପାଇଁ ପଦକ୍ଷେପ ନେବାକୁ ଆବେଦନ କରାଯାଇଥିଲା। ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୂର୍ବଭଳି ମହାନଦୀ ବଞ୍ଚାଅ ଆନ୍ଦୋଳନ ଲୋକଙ୍କ ପାଖକୁ ଯିବ।

ଅନ୍ୟପକ୍ଷରେ ମହାନଦୀ ଜଳ ବିବାଦ ମାମଲାରେ ଓଡିଶାକୁ ଦୁଇଟି ଏବଂ ଛତିଶଗଡ଼କୁ ଗୋଟିଏ ସାକ୍ଷୀ ସତ୍ୟପାଠ ଦାଖଲ କରିବାକୁ ଟ୍ରାଇବୁନାଲ ନିର୍ଦେଶ ଦେଇଛନ୍ତି ା ଶନିବାର ବିଚାରପତି ଏ ଏମ ଖାଣ୍ଡିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଜଳ ପ୍ରବାହ ସଂପକିତ ବକେୟା ତଥ୍ୟ ଲାଗି ଛତିଶଗଡ଼ ସରକାରଙ୍କ ତରଫରୁ ଆଗତ ଆଇ.ଏର ବିଚାର କରି କେନ୍ଦ୍ରୀୟ ସଂସ୍ଥା ସିଡବ୍ଲୁସି, ନୀତି ଆୟୋଗ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ, ସିଡବ୍ଲୁପିଆରଏସ ଏବଂ ଏନଡବ୍ଲୁଆଇଏସକୁ ନୋଟିସ ଜାରି କରିଥିଲେ ା ମଧ୍ୟପ୍ରଦେଶ ଠାରୁ ବକେୟା ତଥ୍ୟ ସମ୍ପର୍କରେ ଉତ୍ତର ରଖିବାକୁ ମଧ୍ୟପ୍ରଦେଶ ଓକିଲ ଦୁଇ ସପ୍ତାହ ମହଲତ ଲୋଡ଼ିଛନ୍ତି | ମାମଲାର ପରବର୍ତୀ ଶୁଣାଣି ସେପ୍ଟେମ୍ୱର ୨୪ କୁ ଧାର୍ଯ୍ୟ ହୋଇଛି।

Comments are closed.