ପ୍ରସିଦ୍ଧ ଶ୍ରୀସିଦ୍ଧିବିନାୟକ ମନ୍ଦିର

ଅର୍ଜୁନୀ ଚରଣ ବେହେରା

ବିନାୟକ ଚତୁର୍ଥୀ ବା ଗଣେଶ ପୂଜା ଆସିଗଲେ ସ୍ମରଣକୁ ଆସି ଯାଇଥାନ୍ତି ମୁମ୍ବାଇ ମହାନଗରୀର ପ୍ରଭାଦେବୀଠାରେ ଥିବା ପ୍ରଭୁ ଶ୍ରୀସିଦ୍ଧିବିନାୟକ l ପ୍ରଭୁ ଶ୍ରୀସିଦ୍ଦିବିନାୟକ ଭକ୍ତ ମାନଙ୍କ ସକଳ ମନ ବାଞ୍ଛା ପୂରଣକରିଥାନ୍ତି ବୋଲି ବିଶ୍ୱାସ କରାଯାଏ l
ସମଗ୍ର ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଏକ ଗଣ ପର୍ବ ଭାବେ ବହୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ lବଡ଼ବଡ଼ ସହର ମାନଙ୍କରେ ବିଶେଷ କରି ମୁମ୍ଵାଇରେ ଗଣେଶ ପୂଜା ବହୁତ ଆଡ଼ମ୍ବର ସହକାରେ ପାଳିତ ହୁଏ l ସେଥିପାଇଁ ବର୍ଷ ସାରା ଚଳ ଚଞ୍ଚଳ ରହୁଥିବା ଶ୍ରୀ ସିଦ୍ଧିବିନାୟକ ମନ୍ଦିର ଉତ୍ସବ ମୁଖର ହୋଇ ପଡ଼େ l ଭକ୍ତ ମାନଙ୍କ ବହୁ ଦାନ,ବିଶେଷ କରି ମୁମ୍ବାଇ ସିନେଜଗତ ତାରକା ମାନଙ୍କ ଦାନରେ ପରିପୁଷ୍ଟ ଏହି ମନ୍ଦିର ଭାରତର ଧନାଢ୍ୟ ଧର୍ମସ୍ଥଳୀମାନଙ୍କ ମଧ୍ୟରେ ଅନ୍ୟତମ l
ପୂର୍ବେ କମ ପରିଚିତ ଓ ଏକ ଛୋଟ ମନ୍ଦିର ଥିବା ପ୍ରଭୁ ଗଣପତିଙ୍କର ଏହି ପୀଠଟି ବିଂଶ ଶତାବ୍ଦୀର ଶେଷ ଭାଗରେ ଚିତ୍ର ତାରକା ଓ ରାଜନୈତିକଙ୍କ ପୃଷ୍ଠପୋଷକତାରେ ବହୁ ପ୍ରସିଦ୍ଧି ହାସଲ କରିଛି l
ପ୍ରଥମେ ଏଠାରେ ପ୍ରଭୁ ଶ୍ରୀ ସିଦ୍ଧିବିନାୟକ ୩.୬ * ୩.୬ ମିଟରର ଏକ ଇଟାମାଟି ତିଆରି ମନ୍ଦିରରେ ପୂଜା ହେଉଥିଲେ l ସର୍ବପ୍ରଥମେ ଏଠାରେ ବୃହତ ମନ୍ଦିର ତିଆରିହେଲା୧୯ ନଭେମ୍ବର,୧୮୦୧ ରେ l
ମନ୍ଦିରକୁ ତିଆରି କରିଥିଲେ ଲକ୍ଷ୍ମଣ ଭିଠୁ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟର lମନ୍ଦିର ନିର୍ମାଣ ନିମନ୍ତେ ସମସ୍ତ ଅର୍ଥ ଯୋଗାଇ ଥିଲେ ଦେଉବାଈ ପାଟିଲ ନାମକ ଜଣେ ସନ୍ତାନ ହୀନା କୃଷିଜୀବି ମହିଳା l ତାଙ୍କର ଉଦ୍ଦେଶ୍ୟ ଥିଲା ଅନ୍ୟ ନିଃସନ୍ତାନ ମହିଳା ମାନେ ପ୍ରଭୁଙ୍କୁ ପୂଜା କରି କଲ୍ୟାଣ ଲାଭ କରନ୍ତୁ l
ଶ୍ରୀସିଦ୍ଧିବିନାୟକଙ୍କ ଆବିର୍ଭାବ ବିଷୟରେ ଶୁଣା ଯାଏ ସନ୍ଥ ଆକ୍କାଲକୋଟ ସ୍ୱାମୀ ସମର୍ଥଙ୍କ ଶିଷ୍ୟ ରାମକୃଷ୍ଣ ଜାମ୍ଭେଦକର, ଶ୍ରୀ ଗୁରୁଙ୍କ ଆଦେଶରେ ଦୁଇଟି ଦିବ୍ୟପ୍ରତିମା ଏ ମନ୍ଦିର ସମ୍ମୁଖରେ ପୋତି ଦେଇଥିଲେ l ଏହାର ଏକୋଇଶି ବର୍ଷ ପରେ ସେ ଯାଗାରେ ଗୋଟିଏ ମନ୍ଦାରଫୁଲ ଗଛ ଉଠିଲା ଓ ଏହି ମନ୍ଦାର ଡାଳରେ ଶ୍ରୀଗଣେଶ ଏକ ସ୍ଵୟଂଭୂ ବିଗ୍ରହ ଭାବେ ଆବିର୍ଭୁତ ହେଲେ l
ଏହି ମନ୍ଦିର ୧୮୦୧ ରେ ନିର୍ମିତ ହେବାପରେ ବହୁ ଥର ଏହାର ଜୀର୍ଣ୍ଣ ସଂସ୍କାର ହୋଇଛି l ମହାରାଷ୍ଟ୍ର ସରକାର ୧୯୯୧ ମସିହାରେ ଏହି ମନ୍ଦିର ପାଇଁ ୨୦ହଜାର ବର୍ଗଫୁଟର ଖଣ୍ଡେ ଜମି ଦେଇଥିଲେ l ସେହି ଜମିରେ ବର୍ତ୍ତମାନର ପାଞ୍ଚ ମହଲା ବିଶିଷ୍ଟ ସିଦ୍ଧିବିନାୟକ ମନ୍ଦିର ନିର୍ମାଣ କରାଯାଇଛି lଏହା ମଧ୍ୟରେ ରହିଛି ରୋଷଶାଳା, ପ୍ରବଚନ ଗୃହ,ଏକ ଗଣେଶ ସଂଗ୍ରାଳାୟ,ଏକ ଦାତବ୍ୟ ଚିକିତ୍ସାଳୟ l ମୋତେ ୨୦୦୯ ମସିହାରେ ଶ୍ରୀସିଦ୍ଧିବିନାୟକଙ୍କୁ ଦର୍ଶନ କରିବା ସୁଯୋଗ ମିଳିଥିଲା l ବିଶାଳକାୟ ମନ୍ଦିର ମଧ୍ୟରେ ପ୍ରଭୁଙ୍କ ପୃଥୁଳ କ୍ଷୁଦ୍ର ଲାଲ ବିଗ୍ରହ ଦେଖି ଖୁବ ଆନନ୍ଦ ମିଳିଥିଲା l
ମୁଖ୍ୟମନ୍ଦିରର କବାଟଗୁଡ଼ିକରେ ଅଷ୍ଟବିନାୟକଙ୍କ ମୂର୍ତ୍ତି ଖୋଦିତ ହୋଇଛି l ମନ୍ଦିରର ଭିତର ଛାତ ସମ୍ପୂର୍ଣରୂପେ ସୁନା ଛାଉଣୀ କରାହୋଇଛି l ଏକ ଟ୍ରଷ୍ଟ ଦ୍ୱାରା ମନ୍ଦିର ପରିଚାଳିତ l ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ଓ ପୂଜା ପାଇଁ ସୁବ୍ୟବସ୍ଥା କରାଯାଇଛି l ମନ୍ଦିରକୁ ଲାଗି ୧୯୫୨ ମସିହାରେ ଏକ ଛୋଟ ହନୁମାନ ମନ୍ଦିର ନିର୍ମାଣ ହୋଇଛି l ଏହି ମନ୍ଦିରରେ ଥିବା କମନୀୟ ହନୁମାନ ବିଗ୍ରହ ଏଲଫିନଷ୍ଟୋନ ରୋଡ ସଂଲଗ୍ନ ରାସ୍ତା ଚଉଡା଼ ଓ ନିର୍ମାଣ ହେବା ସମୟରେ ମାଟି ତଳୁ ମିଳିଥିଲା l
ଶ୍ରୀସିଦ୍ଧିବିନାୟକ ମନ୍ଦିର ମୁମ୍ବାଇ ମହାନଗରୀର ହୃଦୟ ସଦୃଶ l ଏହା ମୁଖ୍ୟ ସହର ଦାଦର ଠାରୁ ମାତ୍ର ୧.୫ କି.ମି.ଦୂର l ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ପ୍ରଭୁ ସିଦ୍ଧିବିନାୟକଙ୍କୁ ଦର୍ଶନ କରିଥାନ୍ତି l ପ୍ରଭୁଙ୍କ ନିକଟରେ ମଙ୍ଗଳବାର ଦିନ ପ୍ରବଳ ଭିଡ଼ ହୋଇ ଥାଏ l ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଚାଲି ଚାଲି ଆସନ୍ତି l ପ୍ରଭୁଙ୍କ ମହିମା ଅପାର l ତାଙ୍କ ପାଖରେ ଯିଏ ଯାହା ମନାସି ଥାଏ ତାହା ଗଣନାଥ ପୂରଣ କରିଥାନ୍ତି l
ଗଣପତି ବାପ୍ପାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନେ ଏଠାରେ ନିଜର ମନବାଞ୍ଛାକୁ ଏକ ନିଆରା ଢଙ୍ଗରେ ଠାକୁରଙ୍କୁ ଜଣାଇଥାନ୍ତି lଠାକୁରଙ୍କ ମୂର୍ତ୍ତି ସାମ୍ନାରେ ଏକ ଧଳା ବୋର୍ଡ ଅଛି l ଦର୍ଶନ ପରେ ଭକ୍ତମାନେ ନିଜ ମନ କାମନାକୁ ବୋର୍ଡ ଉପରେ ଖାଲି ହାତରେ ଲେଖିଥାନ୍ତି l ଏହାକୁ କେହି ଦେଖି ପାରନ୍ତିନି l ଏହାକୁ କିନ୍ତୁ ସିଦ୍ଧିଦାତା ଦେଖିପାରନ୍ତି ଏବଂ ତଦନୁଯାୟୀ ଫଳ ଦିଅନ୍ତି ବୋଲି ଲୋକେ ବିଶ୍ଵାସ କରନ୍ତି l
ସେହିପରି ମନ୍ଦିର ପରିସରରେ ଥିବା ଏକ ବୃଷଭ କାନରେ ଭକ୍ତମାନେ ନିଜ ମନଷ୍କାମନା କହିଥାନ୍ତି l ଏହା ସିଧା ବାପ୍ପାଙ୍କ ପାଖରେ ପହଞ୍ଚି ଥାଏ ବୋଲି ଲୋକମାନେ ବିଶ୍ଵାସ କରନ୍ତି l
ଏଠାରେ ଧୁମ୍‌ ଧାମ୍‌ରେ ପାଳିତ ହେଉଥିବା ଗଣ ନାଥଙ୍କ ପୂଜାପାଇଁ ମାସେ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ l ସିଦ୍ଧିବିନାୟକଙ୍କ ବ୍ୟତୀତ ଗଣେଶ ପୂଜାରେ ମୁମ୍ଵାଇ ନଗରୀ ବିଭିନ୍ନ ରଙ୍ଗ ଓ ଢଙ୍ଗର ବିରାଟ ବିରାଟ ଗଣପତିଙ୍କ ପ୍ରତିମା ସହ ସୁଦୃଶ୍ୟ ପେଣ୍ଡାଲ ମାନଙ୍କରେ ଛାଇ ହୋଇଯାଏ l ବମ୍ବେର ପ୍ରସିଦ୍ଧ ଗଣେଶ ପୂଜାସ୍ଥଳୀ ଗୁଡ଼ିକ ହେଉଛି ଜୁହୁ , ଦାଦର,ସାନ୍ତାକୄଜ,ଖାର,ବାନ୍ଦ୍ରା,ଅନ୍ଧେରୀ,ମଲାଡ଼, ଭିଲେପାର୍ଲେ,ବର୍ସୋବା, ଗୋରାଇ, ମିରା ରୋଡ, ବୋରୀଭଲୀ,ମୁଲୁଣ୍ଡ,ଯୋଗେଶ୍ଵରୀ,ଗୋରେଗାଁଓ, ମୁମ୍ବାଇ ସେଣ୍ଟ୍ରାଲ,କୁର୍ଲା,ଚେମ୍ବୁର, ଭାଣ୍ଡୁପ, ରତନ ଇତ୍ୟାଦି l ମହାରାଷ୍ଟ୍ରରେ ଵାଲ ଗଙ୍ଗାଧର ତିଲକ ଗଣେଶୋତ୍ସବ ମାଧ୍ୟମରେ ଗଣେଶ ପୂଜାକୁ ଜନ ମାନସରେ ଆଦୃତ କରାଇଥିଲେ l ଶ୍ରୀଗଣେଶଙ୍କ ବିସର୍ଜନ ଉତ୍ସବଦିନ ସମଗ୍ର ମୁମ୍ବାଇ ମହାନଗରୀ ‘ଗଣପତି ବାପ୍ପା ମୋରେୟା’ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠେ l
ଅଗ୍ରପୂଜ୍ୟ ସିଦ୍ଧିବିନାୟକଙ୍କୁ ପ୍ରାର୍ଥନା ସମସ୍ତଙ୍କର ମଙ୍ଗଳ ହେଉ l ସନ୍ଥ ତୁଳସୀଙ୍କ ଭାଷାରେ :-
ଜୋ ସୁମିରତ ସିଦ୍ଧି ହୋଇ
ଗନନାୟକ କରିବର ବଦନ l
କରଉ ଅନୁଗ୍ରହ ସୋଇ ବୁଦ୍ଧି
ରାଶି ଶୁଭ ଗୁନ ସଦନ ll
🙏🙏🙏
ଅର୍ଜୁନୀ
————
ମୋ – ୭୬୯୩୦୯୧୯୭୧

Comments are closed.