ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା ।

ପଶ୍ଚିମ ଓଡ଼ିଶା : ଆସନ୍ତା ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ିଥିବା ବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ଲାଗିବ ନବାନ୍ନ । ଏଥିଲାଗି ଆସି ସାରିଛି ସରିଆ ଧାନ । ବଲବସପୁର ଗାଁର ଚାଷୀ ସୁବାସ ବେହେରା ସରିଆ ଧାନ ଆଣି ସମଲେଇ ମନ୍ଦିର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି ।

ନୂଆଖାଇ ଲାଗି ବଜାର ଘାଟ ବି ଚଳଚଞ୍ଚଳ । ବରଗଡ଼ ସହରରେ ବଜାରରେ ଲାଗିଲାଣି ପତ୍ର, ନୂଆ ଧାନ ଏବଂ ପୂଜା ସାମଗ୍ରୀର ଆସର । ପୂଜା ସାମଗ୍ରୀ ସହ ସୁତା ରାକ୍ଷୀ କିଣିବାକୁ ଭିଡ଼ ଲଗାଇଲେଣି । ଲୋକେ ନୂଆଖାଇରେ ଚାଷୀ ନିଜର ଇଷ୍ଟଦେବୀଙ୍କୁ ରାକ୍ଷୀ ବାନ୍ଧିବା ପରଂପରା ରହିଛି ଖାସ୍ । ଏଥିଲାଗି କାରିଗରମାନେ ମଧ୍ୟ ଭଳିକି ଭଳି ସୁତା ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ।

ଏପଟେ ନୂଆଖାଇ ପୂର୍ବରୁ ଟିଟିଲାଗଡ଼ କୁମୁତି ପଦର ଗାଁରେ ଥିବା ମାଆ କୋଶଳେଶ୍ୱରୀ ମନ୍ଦିରରେ ଆୟୋଜିତ ହୋଇଛି ନବାନ୍ନ । ଯଜ୍ଞ ଭାଦ୍ରବ ଅମାବାସ୍ୟା ଦିନ ଏହି ଯଜ୍ଞ ଆୟୋଜନ କରାଯାଇଥାଏ । ବିଶ୍ୱାସ ରହିଛି ପ୍ରଥମେ ଦେବୀ କୋଶଳେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେଲା ପରେ ପଞ୍ଚମୀ ଦିନ ଅନ୍ୟ ଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ ।

ବୌଦ୍ଧ ମହାନଦୀ ବିହାର ପାର୍କରେ ବସି ନୂଆଖାଇ ଲାଗି ଚାଲିଛି ଗୀତ ଅଭ୍ୟାସ କରୁଛନ୍ତି କଳାକାର । ମାଆ ସମଲେଇ ଗୋ ମା ସୁରେଶ୍ୱରୀ । ପାଦେ ଜୁହାର, ଆଇଲା ନୂଆ ଖାଇଁ ତିହାର । ହାର୍ମୋନିୟମ୍‌ର ତାଳେ ତାଳେ ଗୀତ ଅଭ୍ୟାସରେ ବ୍ୟସ୍ତ କଳାକାର । ଏପଟେ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ବଲାଙ୍ଗିରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି କଣ୍ଠଶିଳ୍ପୀ ଓ ବ୍ୟଙ୍ଗ କବି ।

ସେହିପରି ନୂଆପଡ଼ା ଖଡ଼ିଆଳରେ ବିଭିନ୍ନ ଷ୍ଟୁଡିଓରେ ଚାଲିଛି ଗୀତ ରେକର୍ଡିଂ । ନୂଆଖାଇର ବୈଶିଷ୍ଟ, ସଂସ୍କୃତି ଓ ଚାଲିଚଳନିକୁ ନେଇ ଚାଲିଛି ଭଳିକି ଭଳି ଗୀତର ସୁଟିଂ ।

Comments are closed.