ଶ୍ରୀକ୍ଷେତ୍ରେ ବିମଳା

ଅର୍ଜୁନୀ ଚରଣ ବେହେରା

ପ୍ରାଚୀନ କାଳରୁ ଭାରତରେ ଶକ୍ତି ଉପାସନା ଓ ପୂଜାର ଉଦ୍ଭବ ହୋଇଛି l ବିଭିନ୍ନ ସମୟରେ ଓ ପରିସ୍ଥିତିରେ ଦେବୀଙ୍କ ବିଭିନ୍ନ ରୂପର ଆରାଧନା ହୋଇ ଆସୁଛି l ସମସ୍ତ ଜୀବନ୍ତ ଓ କ୍ଳୀବ ପିଣ୍ଡ ବା ବସ୍ତୁରେ ସେହି ମହାମାୟା ଶକ୍ତି ହିଁ ଅନ୍ତର୍ନିହିତ ଭାବେ ବିଦ୍ୟମାନ l ତେଣୁ କୁହାଯାଇଛି :-
“ଯା ଦେବୀ ସର୍ଵ ଭୂତେଷୁ ଶକ୍ତି ରୁପେଣ ସଂସ୍ଥିତା
ନମସ୍ତସ୍ୟୈ, ନମସ୍ତସ୍ୟୈ, ନମସ୍ତସ୍ୟୈ,
ନମୋନମଃ l”
ଦେବୀ ସର୍ବତ୍ର ପୂଜିତା,ବନ୍ଦିତା ତଥା ଆରାଧିତା l ଶକ୍ତି ବ୍ୟତିରେକ କୌଣସି କାର୍ଯ୍ୟ ସମ୍ଭବ ନୁହେଁ l ପୁରାଣ ଯୁଗରୁ ଦେବୀ ସର୍ବଶକ୍ତିମୟୀ ସୃଷ୍ଟି,ସ୍ଥିତି ଓ ସଂହାର କାରିଣୀ ଶକ୍ତି ରୂପେ ପୂଜିତା ହୋଇ ଆସୁଛନ୍ତି l ପୁରାଣ ବର୍ଣ୍ଣିତ ଶକ୍ତିତ୍ତତ୍ୱ,ତନ୍ତ୍ରତତ୍ୱ ଓ ମୂର୍ତ୍ତି ତତ୍ୱ ଅନୁଯାୟୀ ଦେବୀ ଶ୍ରୀମହାମାୟାଙ୍କର ଅସଂଖ୍ୟ ରୂପ ପରିକଳ୍ପିତ ହୋଇଛି l ଭାରତୀୟ ଶକ୍ତି ପୀଠର ଉଦ୍ଭବ ପୌରାଣିକ ଆଖ୍ୟାନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ l କେତେକ କ୍ଷେତ୍ରରେ ସ୍ଥାନ ମାହାତ୍ମ୍ୟକୁ ଭିତ୍ତି କରି ପୀଠର ପରିକଳ୍ପନା କରାଯାଇଛି l ପୀଠ ଅର୍ଥ ଆସନ – ପେଠନ୍ତ୍ୟପ ବିଶନ୍ତ୍ୟସ୍ମିନିତି ପିଠହଃ l ଅର୍ଥ ଦେବୀଙ୍କ ଆସନ ଥିବା ସ୍ଥାନହିଁ ପୀଠ lଏହି ପରମ୍ପରା ନେଇ ଦେବୀ ବିମଳା ପବିତ୍ର ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରରେ ବିରାଜିତା ଓ ଆରାଧିତା l ମା ବିମଳାଙ୍କ ଉପସ୍ଥିତି ପାଇଁ ଶ୍ରୀକ୍ଷେତ୍ର ନାଭିକ୍ଷେତ୍ର ବା ପାଦପୀଠ ଭାବେ ଖ୍ୟାତ,ସେ କ୍ଷେତ୍ରେଶ୍ବରୀ,ହରି କୈବଲ୍ୟଲୋଳୁପା ଓ ପୁରୁଷୋତ୍ତମ ବଲ୍ଲଭା l ଏଣୁ ମାଆ ବିମଳାଙ୍କ ଗୋଟିଏ ସ୍ତୁତିରେ କୁହାଯାଇଛି :-
ବିମଳା ସା ମହାଦେବୀ ପରାଶକ୍ତି
ବରାନନୀପରାଶକ୍ତି ନାରାୟଣୀ,
ପରମା ଚିନ୍ମୟୀ ରକ୍ତତୋଷୀଣୀ ll
ଉଡ୍ଡୀୟାନ ପରାପିଠାଧିଶ୍ୱରୀ
ପରମେଶ୍ୱରୀ କୈବଲ୍ୟ ଦାୟିନୀ
ଦେବୀ ହରି କୈବଲ୍ୟ ଲୋଳୁପା ll
ଯୋଗମାୟା ଯୋଗରୁପା ପୁରୁଷୋତ୍ତମ ବଲ୍ଲଭା
ପାଦ ପିଠେଶ୍ଵରୀ ଦିବ୍ୟା ଚତୁର୍ବର୍ଗ ପ୍ରଦାୟିକା ll
ମାଆ ଶ୍ରୀବିମଳା ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ଭାବରେ କେଉଁ ସ୍ମରଣାତିତ କାଳରୁ ପୂଜା ପାଇ ଆସୁଛନ୍ତି l ମାଆଙ୍କ ମନ୍ଦିର ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ବେଢ଼ା ଭିତରେ ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ l ପୌରାଣିକ ଦକ୍ଷ ଯଜ୍ଞର ଉପାଖ୍ୟାନ ଅନୁଯାୟୀ ଶ୍ରୀ କ୍ଷେତ୍ରରେ ମାଆ ସତୀଙ୍କର ପାଦ ଓ ନାଭି ଅଂଶ ପତିତ ହୋଇ ଥିବାରୁ ଏଠାରେ ଏହି ଶକ୍ତିପୀଠ ଗଢିଉଠିଛି l ଏହି ପୀଠରେ ମା ବିମଳା ଭୈରବୀ ଓ ଶ୍ରୀଜଗନ୍ନାଥ ଭୈରବରୂପେ ଅବସ୍ଥାନ କରୁଛନ୍ତି l ସେଥିପାଇଁ କୁହାଯାଇଛି –
‘ବିମଳା ଭୈରବୀସାକ୍ଷାତ ଜଗନ୍ନାଥାଖ୍ୟ ଭୈରବ’
ମାଆ ବିମଳାଙ୍କ ଶ୍ରୀକ୍ଷେତ୍ର ଅବସ୍ଥାନ ବିଷୟରେ ଏକ ସୁନ୍ଦର ପୌରାଣିକ ଆଖ୍ୟାନ ରହିଛି l
ଏକଦା ଏକାଦଶୀ ତିଥିରେ ଭଗବାନ ଶଙ୍କର ଵୈବଲ୍ୟ ସେବନ କରି ଅତି ଆନନ୍ଦରେ ତନ୍ମୟ ହୋଇ ନୃତ୍ୟ କରୁଥାନ୍ତି l ଦେବୀ ପାର୍ବତୀ ଶଙ୍କର ମହା ଆନନ୍ଦରେ ନୃତ୍ୟ କରୁଥିବାର ଦେଖି ତାଙ୍କୁ ଏପରି ଆନନ୍ଦିତହେବାର କାରଣ ଜିଜ୍ଞାସାକଲେ l ଶଙ୍କର କହିଲେ,ମୁଁ ସେହି ଦିବ୍ୟପ୍ରସାଦ କୈବଲ୍ୟ ସେବନ କରି ପରମ ତୃପ୍ତି ଲାଭ କରିଛି l ଏହାହିଁ ମୋର ଆନନ୍ଦର କାରଣ l ଶଙ୍କରଙ୍କ ଠାରୁ ଏହା ଶୁଣି ମା’ ପାର୍ବତୀ କହିଲେ ପ୍ରଭୁ ମୋତେ ଟିକିଏ ସେହି ପରମ ଆନନ୍ଦଦାୟୀ ଦିବ୍ୟପ୍ରସାଦ ଦିଅନ୍ତୁ l ସେତେବେଳେ ଶଙ୍କରଙ୍କ ପାଖରେ କୈବଲ୍ୟ ନ ଥିବାରୁ ସେ ଦେବୀଙ୍କୁ ପ୍ରଦାନ କରିବାକୁ ଅକ୍ଷମତା ବ୍ୟକ୍ତ କଲେ l ଏହି ସମୟରେ ମା’ପାର୍ବତୀ ଲକ୍ଷ୍ୟ କଲେ ଶଙ୍କରଙ୍କ ଦକ୍ଷିଣହସ୍ତ କନିଷ୍ଠ ଆଙ୍ଗୁଳି ନଖ କୋଣରେ କୈବଲ୍ୟ କଣିକାଟିଏ ଲାଗିଛି l ପ୍ରଥା ଅନୁଯାୟୀ କୈବଲ୍ୟ ପ୍ରାପ୍ତ ମାତ୍ରେଣ ଭକ୍ଷ୍ୟ,ତେଣୁ ଦେବୀ ପାର୍ବତୀ ତତ୍କ୍ଷଣାତ୍ ତାହା ସେବନ କଲେ ଓ ପରମ ଆନନ୍ଦରେ ଆତ୍ମହରା ହୋଇ ପଡିଲେ l ସେ ଆନନ୍ଦାତିଶଯ୍ୟରେ ସଦାଶିବଙ୍କୁ ପ୍ରାର୍ଥନାକରି କହିଲେ ପ୍ରଭୁ ମୁଁ କେମିତି ସଦାସର୍ବଦା ଏ ଅମୃତ ତୁଲ୍ୟ କୈବଲ୍ୟ ପାଇବି ତା’ର ବ୍ୟବସ୍ଥା କରନ୍ତୁ l ଶଙ୍କର କହିଲେ, ତୁମେ ଦେବୀ ବିମଳା ନାମରେ ଦେବୀ ଗଣଙ୍କ ଦ୍ୱାରା ପରିବେଷ୍ଟିତା ହୋଇ ଦିବ୍ୟ ଶ୍ରୀକ୍ଷେତ୍ର ଧାମରେ ଏ ମହାପ୍ରସାଦ (କୈବଲ୍ୟ) ସେବନ କରିବ l ଏଣୁ କୁହାଯାଇଛି :-
ବିମଳା ଉଦିତାନାମ୍ନୀ ହରିତ କୈବଲ୍ୟ
ମୋଦିତା ବୈଷ୍ଣବୀ ପରମା ମାୟା
କଲୌଖ୍ୟାତା ଭବିଷ୍ୟତେ ll
ଏହି ଆଖ୍ୟାନ ଭିତ୍ତିରେ ଅଦ୍ୟାପୀ ଶ୍ରୀଜଗନ୍ନାଥଙ୍କ କୈବଲ୍ୟ ପିଠେଶ୍ୱରୀ ବିମଳାଙ୍କୁ ସମର୍ପଣ ହେବା ପରେହିଁ ଦିବ୍ୟ ମହାପ୍ରସାଦ ପଦବାଚ୍ୟ ହେଉଛି l ମହାପ୍ରସାଦ ଅନ୍ନବ୍ରହ୍ମ,ସ୍ୱୟଂ,ଭଗବାନଙ୍କ ସ୍ୱରୂପ l ଶ୍ରୀମହାପ୍ରସାଦ ସେବନ ଭଗବାନଙ୍କ ଅନ୍ତରଙ୍ଗତା ଲାଭବୋଲି ବିବେଚିତହୁଏ lଭାରତବର୍ଷର ସର୍ବତ୍ର ଶିବଙ୍କ ସହ ପାର୍ବତୀ ବା ଦୁର୍ଗା ପୂଜାହୁଅନ୍ତି l କିନ୍ତୁ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଶାରଦୀୟ ପାର୍ବଣ ଅବସରରେ ଦୁର୍ଗାଙ୍କ ସହ ମାଧବ ବିମଳା ମନ୍ଦିର ବିଜେ କରନ୍ତି l ବିଜୟା ଦଶମୀ ଦିନ ଦୁର୍ଗାମାଧବ ରଥରେ ଦୋଳ ମଣ୍ଡପ ସାହିକୁ ବିଜେ ଯାତ୍ରା କରି ଥାନ୍ତି l ଶ୍ରୀଶଙ୍କରାଚାର୍ଯ୍ୟଙ୍କ ସମୟରୁ ଗୁପ୍ତ ଗୁଣ୍ଡିଚା ନାମକ ଏହି ଯାତ୍ରା ପାଳିତ ହୋଇ ଆସୁଛି l ଦୁର୍ଗା ମାଧବଙ୍କ ଏହି ଯାତ୍ରାଦର୍ଶନ ଅତ୍ୟନ୍ତ ଦୁର୍ଲଭ ଏବଂ ମଙ୍ଗଳପ୍ରଦ l ଗୁପ୍ତ ଗୁଣ୍ଡିଚା ଦର୍ଶନରେ ମନୁଷ୍ୟର ଜନ୍ମଜନ୍ମାନ୍ତରର ପାପ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି l ଗୁପ୍ତଗୁଣ୍ଡିଚାଯାତ୍ରା ଶ୍ରୀକ୍ଷେତ୍ରରେ ଶୈବ,ଶାକ୍ତ ଓ ବୈଷ୍ଣବ ଉପାସନା ଏକତ୍ର ପ୍ରଚଳ ହୋଇ ଥିବାର ସୂଚନା ଦିଏ l ବିମଳା ଶକ୍ତି ଦେବୀ ହେଲେ ମଧ୍ୟ ସେ ପରମ ବୈଷ୍ଣବୀ l ଜଗନ୍ନାଥଙ୍କ ପୂଜା ବିଧିରେ ଶକ୍ତି ଉପାସନା ନିହିତ ଅଛି l ନବ ଶକ୍ତି ଉପାସନା ନାମରେ ଏହା ପରିଚିତ ହୁଏ l ଶ୍ରୀଜଗନ୍ନାଥଙ୍କୁ କୈବଲ୍ୟ ଲାଗି ପରେ ବିମଳାଙ୍କୁ ଏହି ମନ୍ତ୍ରରେ କୈବଲ୍ୟ ଅର୍ପଣ କରାଯାଏ :-
କୈବଲ୍ୟ ଭୋଜିନି ଦେବୀଂ
ବିମଳା ବିମଳପ୍ରଦାଂ
ଗୃହ୍ନନ୍ତୁ ହରି କୈବଲ୍ୟ ସୃଷ୍ଟି ସ୍ଥିତ୍ୟନ୍ତକାରିଣୀ ll
ଦେବୀ ବିମଳାଙ୍କୁ ଶ୍ରୀଜଗନ୍ନାଥଙ୍କ ମାୟା ଶକ୍ତି, ଶ୍ରୀ ବଳଦେବଙ୍କ କ୍ରିୟାଶକ୍ତି ଓ ଶ୍ରୀସୁଭଦ୍ରାଙ୍କ ଇଛାଶକ୍ତି ବୋଲି ଗ୍ରହଣ କରାଯାଏ l ଏଣୁ ମାଆ ବଳଭଦ୍ର ବଲ୍ଲଭା ଜ୍ଞାନରୁପା ବୋଲି ପରିଚିତ l ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ବଳଦେବଙ୍କ ଅଧର ମାଳା ପଦକାଦି ମାଆ ବିମଳାଙ୍କୁ ଲାଗି କରାଯାଏ l ଦେବୀ ଚତୁର୍ଭୁଜା l ଉପର ଦୁଇ ହସ୍ତରେ ନାଗ ଓ ଜୀବରୂପୀ ମନୁଷ୍ୟ ଏବଂ ତଳହସ୍ତ ଦ୍ୱୟରେ ସୁଧା ପାତ୍ର ଓ ଜପାମାଳା l ତଳ ହସ୍ତଦ୍ବୟ ତାଙ୍କ ବରଦ ମୁଦ୍ରାରେ ଅଛି l ବିମଳାଙ୍କ ପୀଠ ଶାକ୍ତ ଓ ତାନ୍ତ୍ରିକ ପୀଠ l ଏଠାରେ ଏହି ଶାକ୍ତ ତାନ୍ତ୍ରିକ ପଦ୍ଧତିରେ ବାମାଚାର, ଦକ୍ଷିଣାଚାର ଏବଂ କୌଳାଚାର ପ୍ରଥା ପ୍ରଚଳିତ l ମାଆ ବୈଷ୍ଣବୀଶକ୍ତି ହୋଇଥିବା ହେତୁ ତାଙ୍କର ମୁଖ୍ୟପୂଜା ସାତ୍ଵିକ ରୀତିନିତିରେ ହୋଇ ଥାଏ l ବିମଳାଙ୍କ ମୂର୍ତ୍ତି ଗଠନକୁ ଅନୁଧ୍ୟାନ କଲେ ସେ ଖ୍ରୀଷ୍ଟିୟ ଅଷ୍ଟମ ନବମ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇ ଥିବା ଅନୁମିତ ହୁଏ l ଦେବୀଙ୍କ ମନ୍ଦିରର ବିମାନ ଓ ମୁଖଶାଳା ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀରେ ନିର୍ମିତ ବୋଲି ଇତିହାସରୁ ଜଣାଯାଏ l ମନ୍ଦିରରେ ପ୍ରଧାନତଃ ସୋମବଂଶୀ ଚାରୁକଳା ପ୍ରସ୍ଫୁଟିତ lମା ବିମଳାଙ୍କ ମନ୍ଦିରରେ ଯୋଗିନୀ ଚିତ୍ରମାନ ଥିବାରୁ, ଦେବୀ ମହାବିଦ୍ୟା ଯୋଗିନୀମାନଙ୍କ ଦ୍ୱାରା ପରିବେଷ୍ଟିତା ହୋଇଥିବାର ସୂଚନା ପ୍ରଦାନ କରେ l ଏ ମନ୍ଦିର ଗାତ୍ରରେ ଚିତ୍ରିତ ଯୋଗିନୀ ମାନେ ହେଲେ :- ଘାତନୀ, ଘୋରଦୃଷ୍ଟି, ଅପରାଜିତା, ଫଟିକାରୀ, ଚଣ୍ଡରୁପା,କଂକାଳୀ,କାଳରାତ୍ରି,ବାଳପୁତନା,ବାଳ ଘାତିନୀ,ନିତ୍ୟାକ୍ଲିନା,ରକ୍ତାକ୍ଷି,ପ୍ରଚଣ୍ଡl,କୁଳସୁନ୍ଦରୀନାଗିନୀ,ତ୍ୱରିତା,ଜୟଦୁର୍ଗା,ଭଦ୍ରାବାରାହୀ,ଗୌରୀନାରାୟଣୀ,ବ୍ରାହ୍ମଣୀ,ଭୈରବୀ,ଲଳିତା,ସୌମ୍ୟା, ସ୍ବପ୍ନବାରାହି,ଜ୍ୱାଳାମାଳିନୀ,କରାଳିନି,ନାରସିଂହି, କୁରୁକୁଲ୍ୟା, ରକ୍ତାକ୍ଷୀ, ସିଂହବାହିନୀ, କୃଷ୍ଣକାଳୀ, ଚାମୁଣ୍ଡି,ବାରୁଣି,ଶୁମ୍ଭପ୍ରହାରିଣୀ,କାଚଣ୍ଡୀ,ଭୋଜିନି ପିଶାଚରୀ ଓ ପ୍ରତ୍ୟଙ୍ଗିରା l
ଶାରଦୀୟ ଷୋହଳ ପୂଜା ଅବସରରେ ଦେବୀଙ୍କୁ ଷୋଡଶ ଉପଚାର ବିଧିରେ ଷୋହଳ ବେଶ କରା ଯାଇଥାଏ ଯାହାକୁ ଭକ୍ତମାନେ ଦର୍ଶନକରି ନିଜକୁ କୃତାର୍ଥ ମନେ କରିଥାନ୍ତି l ଦେବୀଙ୍କର ଷୋହଳ ବେଶହେଉଛି ଯଥାକ୍ରମେ ଭୁବନେଶ୍ୱରି,ବନଦୁର୍ଗା, ରାଜରାଜେଶ୍ଵରୀ,ଉଗ୍ରତାରା, ମାତଙ୍ଗୀ,ଭୈରବୀ, ବଗଳାମୁଖୀ,ନାରାୟଣୀ,ସିଂହବାହିନୀ,ଜୟଦୁର୍ଗାଶୂଳି, ଦୁର୍ଗା, ମହିଷା ମର୍ଦ୍ଦିନୀ, ଦକ୍ଷିଣ କାଳିକା ଓ ହରଚଣ୍ଡୀ l
ଶକ୍ତିମୟୀ ମା ବିମଳାଙ୍କ ଅଲୌକିକ ଶକ୍ତି ପରମ କଲ୍ୟାଣକାରୀ l ସେ ନମସ୍ୟା, ଆରାଧିତା ତଥା ବନ୍ଦନୀୟା l ସେଥିପାଇଁ ଦେବୀ ବନ୍ଦନାରେ କୁହା ଯାଇଛି :-
ଯା ଦେବୀ ସର୍ବ ଭୂତେଷୁ
ବିଷ୍ଣୁ ମାୟେତି ଶଵଦୀତା,
ଯା ଦେବୀ ସର୍ବ ଭୂତେଷୁ
ଚେତନେତ୍ୟ ବିଧିୟତେ,
ଯା ଦେବୀ ସର୍ବ ଭୂତେଷୁ
ଶକ୍ତି ରୁପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ
ନମୋ ନମଃl
ଶକ୍ତିମୟୀ, କରୁଣାମୟୀ, କଲ୍ୟାଣ ମୟୀ ମାଆ ସମସ୍ତଙ୍କର କଲ୍ୟାଣ କରନ୍ତୁ l ସମସ୍ତ ମନୁଷ୍ୟର ହୃଦୟରୁ ହିଂସା,ଦ୍ୱେଷ,ଇର୍ଷା ଆଦି ଅଜ୍ଞାନକାଳିମା ଦୂର କରନ୍ତୁ l ତାଙ୍କର ଆଶିଷର ବାରି ସମସ୍ତଙ୍କ ଉପରେ ଝରି ପଡ଼ୁ ଏହାହିଁ କାମନା l
ଜୟ ମାଆ ବିମଳା
🙏🙏🙏
ଅର୍ଜୁନୀ
——————
ମୋ – 7693091971

Comments are closed.