ଶ୍ରୀକ୍ଷେତ୍ର ସହ ସୋନପୁରକୁ ଯୋଡ଼ିଲା ରେଳ

ଭୁ‌ବନେଶ୍ବର: ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୬ ବର୍ଷ ଅତିକ୍ରମ କରିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଅଗ୍ରଣୀ ଲାଭ କରିଛି। କିନ୍ତୁ କ୍ଷୋଭର ବିଷୟ ଯେ,‌ ଭାରତ ସରକାର ‘ଆମ ସଂକଳ୍ପ ବିକଶିତ ଭାରତ’ ଲକ୍ଷ୍ୟ ନେଇ କାମ କରୁଥିବା ବେଳେ ଦେଶରେ ଏବେବି ହଜାର ହଜାର ଗାଁ ଦୁର୍ଗମ ଅଞ୍ଚଳରେ ରହିଥିବାରୁ ଲୋକେ ବିକାଶର ଅର୍ଥ ବୁଝିପାରୁ ନାହାନ୍ତି। ଏପରିକି ଦେଶର ସବୁ ସହରକୁ ରେଳଲାଇନ୍‌ ସହିତ ଯୋଡ଼ା ଯାଇପାରି ନାହିଁ। ଅନେକ ସହରର ଲୋକେ ରେଳ ଦେଖି ନାହାନ୍ତି। ତେଣୁ ଏହିଭଳି ସହରରେ ରହୁଥିବା ଲୋକଙ୍କର ରେଳ ଦେଖିବାକୁ ପ୍ରବଳ ଉତ୍ସାହ ଥାଏ, ଯେଉଁ ଦୃଶ୍ୟ କି ଆଜି ସୋନପୁର ସହରରେ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁର ଗସ୍ତ କାଳରେ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍‌ ପଶ୍ଚିମ ଓଡ଼ିଶାର ମନ୍ଦିରମାଳିନୀ ସହର ‘ସୋନପୁର’ରୁ ଶ୍ରୀକ୍ଷେତ୍ର ଅଭିମୁଖେ ସିଧାସଳଖ ଯାତ୍ରା କରିଥିଲା। ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ନିର୍ମାଣ କାମ ପୂରା ହୋଇ ନଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ରେଳ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ ଓ ଭୁବନେଶ୍ବର ଦେଇ ପୁରୀକୁ ଯୋଡ଼ୁଛି।

ପ୍ରଥମ ଥର ସହରରୁ ରେଳ ଗଡ଼ିଥିବାରୁ ସୋନପୁର ରେଳଷ୍ଟେସନରେ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ପ୍ରବଳ ଲୋକଙ୍କର ସମାଗମ ଦେଖିବାକୁ ମିଳିଥିଲା। ସୋନପୁର ସହର ଉପକଣ୍ଠରେ ଥିବା ଜନମୁରାସ୍ଥିତ ରେଳଷ୍ଟେସନରେ ପ୍ରାୟ ୧୦,୦୦୦ ଲୋକଙ୍କ ଭିଡ଼ ହୋଇଥିଲା। ବିଶେଷ କରି କମ ବୟସର ପିଲାମାନେ ଓ ବୟସ୍କମାନେ ଉତ୍ସାହିତ ଦେଖାଯାଉଥିଲେ। ସମସ୍ତଙ୍କର ମୁହଁରେ ହସ ଦେଖିବାକୁ ମିଳୁଥିଲା। ଲୋକେ ଖୁସିରେ ମୋବାଇଲ୍‌ ଫୋନ୍‌ରେ ସେଲ୍‌ଫି ନେଉଥିଲେ। ରେଳଷ୍ଟେସନ ନିକଟରେ ଘରଦ୍ବାର ନିର୍ମାଣ କରିଥିବା ଲୋକଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଥିଲା। କାରଣ ଟ୍ରେନ୍‌ ସଂଯୋଗୀକରଣ ହେବା ଦ୍ବାରା ସେହି ସ୍ଥାନର ଗୁରୁତ୍ବ ଅଧିକ ବଢ଼ିଯାଇଛି। ଏଠାରେ ଲୋକଙ୍କର ରୋଜଗାର ରାସ୍ତା ମଧ୍ୟ ବାହାରି ଯାଇଛି,

ସୋନପୁରରୁ ରେଳ ଶୁଭାରମ୍ଭ ହେବା ନେଇ ପ୍ରତକ୍ଷ୍ୟଦର୍ଶୀ ପ୍ରତିକ୍ରିୟା ଦେଇଛନ୍ତି। ଝାଙ୍କରପାଲି ନିବାସୀ ଦେବବ୍ରତ ପଧାନ (୬୮) କହିଛନ୍ତି ସୋନପୁରରୁ ପୁରୀକୁ ଟ୍ରେନ୍‌ ଚଳାଚଳ କରିବା ନେଇ ଆମେ ବହୁତ ଖୁସି ଅନୁଭବ କରୁଛୁ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିବାରୁ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ସୋନପୁରରୁ ଟ୍ରେନ୍‌ରେ ଯାତ୍ରା କରି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର ଭଲ ସୁବିଧା ହୋଇଗଲା। ସେହିପରି ସୁବ୍ରତ ସାହୁ (୨୫) କହିଛନ୍ତି, ସୋନପୁରବାସୀଙ୍କର ବହୁଦିନର ଅପେକ୍ଷାର ଅନ୍ତ ଘଟିଛି। ‘ଭାରତୀୟ ରେଳ’ ମାନଚିତ୍ରରେ ସୋନପୁର ଯୋଡ଼ି ହୋଇଯାଇଛି। ସୋନପୁରରୁ ରେଳ ସୁବିଧା ହୋଇଥିବାରୁ ବ୍ୟକ୍ତିଗତ ଭାବେ ବହୁତ ଖୁସି ଲାଗୁଛି। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକଙ୍କୁ ବଲାଙ୍ଗୀର ଦେଇ ପୁରୀ ଯିବା ପାଇଁ ବହୁ ସମୟ ଦେବାକୁ ପଡ଼ିବ। ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ନିର୍ମାଣ କାମ ଶୀଘ୍ର ଶେଷ କରାଗଲେ  ନୟାଗଡ଼ ଦେଇ ଲୋକେ ପୁରୀ ଓ ଭୁବନେଶ୍ବର କମ୍‌ ସମୟ ଓ ସୁବିଧାରେ ପହଞ୍ଚି ପାରନ୍ତେ।

 

Comments are closed.