ଶିମିଳିପାଳରେ ୦ ଡିଗ୍ରୀ ଛୁଇଁଲା ସର୍ବନିମ୍ନ ତାପମାତ୍ରା,

ବାରିପଦା : ଶୀତର ପ୍ରକୋପରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ତାପମାତ୍ରା ହ୍ରାସ ପାଇଛି। ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଦ୍ଵାରା ଗୁରୁବାର ସକାଳ ୬ ସମୟରେ ରେକର୍ଡ ହୋଇଥିବା ତାପମାତ୍ରା ରିପୋର୍ଟ ପ୍ରଦାନ କରାଯାଇଛି। ପ୍ରଦତ୍ୱ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାହା କାମୁଡାରେ ସର୍ବନିମ୍ନ ୦ଡିଗ୍ରୀ ତାପମାତ୍ରା ଛୁଇଁଛି, ନଅଣା ୬ଡିଗ୍ରୀ, ଗୁଡୁଗୁଡିଆ ୭ଡିଗ୍ରୀ, ବରେହିପାଣି ୯ଡିଗ୍ରୀ, କିଆଝରି ୧୧ଡିଗ୍ରୀ ଏବଂ ରାମତୀର୍ଥରେ ୧୧ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। କିଛି ଦିନ ହେବ ପ୍ରବଳ ଥଣ୍ଡାର ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ହେଲେ ଗାଁରୁ ସହର ସବୁଠି ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି।

ଶିମିଳିପାଳ ଅଭୟାରଣ୍ୟର ପର୍ବତ ମାଳାର ଅନେକ ସ୍ଥାନରେ ପ୍ରବଳ ଜାଡ କାରଣରୁ ସକାଳୁ ସକାଳୁ ତୁହିନ ଆସ୍ତରଣ ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳ ଗୁଡିକରେ ତାପମାତ୍ରା ହ୍ରାସ ଯୋଗୁଁ ରାତିରେ ଘାସ, ଗଛ, ଲତା ମାନଙ୍କ ଉପରେ ପଡିଥିବା କାକର ବିନ୍ଦୁ ଜମାଟ ବାନ୍ଧି ତୁହିନର ଆସ୍ତରଣରେ ପରିଣତ ହୋଇଥିବା ବେଳେ ତୁଷାର ପାତର ଭ୍ରମ ସୃଷ୍ଟି କରିଛି। ପାରଦ ଖସିବା ସହିତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାଡ଼ ଭଙ୍ଗା ଶୀତ ପଡୁଛି। ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ରହୁଛି। ଯାହା ଫଳରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବିଭିନ୍ନ ନେଚର କ୍ୟାମ୍ପ ଗୃହ ଓ ଘାସ ଗାଲିଚା ଉପରେ ତୁହିନର ଆସ୍ତରଣ ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଶିମିଳିପାଳରେ ଥିବା ଅନ୍ୟାନ୍ୟ କୋର ସ୍ଥାନ ଯଥା ଦେବସ୍ଥଳୀ, ଜେନାବିଲ ଓ ତାରାଣୀବିଲା ଆଦିରେ ମଧ୍ୟ ପ୍ରବଳ ମାତ୍ରରେ ଶୀତ ଅନୁଭୂତ ହେଉଥିବାର ସୂଚନା ମିଳିଛି।

ତେବେ ବିଗତ ବର୍ଷ ମାନଙ୍କରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ଶୂନ୍ୟ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଚଳିତବର୍ଷ ମଧ୍ୟ ଶୁନ୍ୟ ଡିଗ୍ରୀ ତାପମାତ୍ରା ଛୁଇଁବା ନେଇ ପୂର୍ବ ଅନୁମାନ କରାଯାଇଥିଲା। ତେବେ ହାଡ଼ଭଙ୍ଗା ଶୀତ ସତ୍ତ୍ବେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ବନଭିଭାଗ କର୍ମଚାରୀ ସୁରକ୍ଷା ଦେଉଛନ୍ତି। ତୁହିନର ଆସ୍ତରଣ ଯୋଗୁଁ ପାହାଡ ଓ ପ୍ରକୃତିମାଳାରେ ଘେରି ରହିଥିବା ଶିମିଳିପାଳ ଅଭୟାରଣ୍ୟରେ ତୁଷାରପାତ ପରେ ଭୂସ୍ବର୍ଗ ପାଲଟି ଯାଇଛି। ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରଣି ପଞ୍ଚାୟତ ମାନଙ୍କରେ ବାସିନ୍ଦାଙ୍କ ଆନ୍ଦୋଳନ ଯୋଗୁଁ ପ୍ରାୟ ୨୫ଦିନରୁ ଉର୍ଦ୍ଧ୍ବ ହେବ ପର୍ଯ୍ୟଟକ ମାନେ ଶିମିଳିପାଳ ଭିତରକୁ ଯାଇ ପାରୁନାହାଁନ୍ତି। ଶିମିଳିପାଳରେ କାଶ୍ମୀରର ଅନୁଭୂତି ନେବାର ସୁଯୋଗରୁ ପର୍ଯ୍ୟଟକ ମାନେ ବଞ୍ଚିତ ହେଉଛନ୍ତି।

Comments are closed.