ଜଟଣୀରେ ହେବ ଓଡ଼ିଶାର ପ୍ରଥମ ପଶୁଯତ୍ନ କେନ୍ଦ୍ର, ଗୋଟିଏ ଛାତ ତଳେ ମିଳିବ ସମସ୍ତ ସୁବିଧା

ଭୁବନେଶ୍ୱର : ବିଡିଏ ପକ୍ଷରୁ ରାଜଧାନୀରେ ପ୍ରଥମକରି ଏକ ପଶୁ ଯତ୍ନ କେନ୍ଦ୍ର (ପେଟ୍‌ କେୟାର ସେଣ୍ଟର୍‌) କରିବା ପାଇଁ ଯୋଜନା କରାଯାଇଛି। ଏଠାରେ ଗୃହପାଳିତ ପଶୁମାନଙ୍କୁ ଚିକିତ୍ସାଠାରୁ ଆରମ୍ଭ କରି ପୋଷା କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ, ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟର ସଠିକ ଯତ୍ନ ନିଆଯିବ। ଏହାସହ ଗୃହପାଳିତ ପଶୁମାନଙ୍କ ଅଭିବୃଦ୍ଧି ନିମିତ୍ତ ସମସ୍ତ ବ୍ୟବସ୍ଥା ଏହି କେନ୍ଦ୍ରରେ ଉପଲବ୍ଧ କରାଯିବ। ସହର ବାହାରେ ଜଟଣୀରେ ଏହି କେନ୍ଦ୍ର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ବିଡିଏ ପକ୍ଷରୁ ଏହାର ଭିତ୍ତିଭୂମି ବିକାଶ କରାଯାଉଥିବାବେଳେ ଘରୋଇ ସଂସ୍ଥା ମାଧ୍ୟମରେ ଏହାକୁ ପରିଚାଳନା କରାଯିବ।

ଏଥିପାଇଁ ଘରୋଇ ସଂସ୍ଥା ଚୟନ କରିବା ପାଇଁ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗ୍ରହୀ ସଂସ୍ଥାଗୁଡ଼ିକ ଏଥିରେ ଅଂଶଗ୍ରହଣ କରି ଏହାର ପରିଚାଳନା ଭାର ନେବା ପାଇଁ ବିଡିଏ ପକ୍ଷରୁ କୁହାଯାଇଛି। ସମଗ୍ର ରାଜ୍ୟରେ ପ୍ରଥମ କରି ଏଭଳି ପଶୁ ଯତ୍ନ କେନ୍ଦ୍ର ନିର୍ମାଣ କରାଯାଉଛି। ଗୃହପାଳିତ ପଶୁମାନଙ୍କ ପାଇଁ ସମସ୍ତ ଉକ୍ରୃଷ୍ଟ ସୁବିଧାମାନ ଯୋଗାଇ ଦେବା ପାଇଁ କେନ୍ଦ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି। ଯାହାଦ୍ୱାରା ସେମାନେ ସୁସ୍ଥ ଜୀବନ ଜୀଇଁବା ସମ୍ଭବ ହୋଇପାରିବ।

ସୂଚନାନୁସାରେ, ଏହି କେନ୍ଦ୍ରରେ ସ୍ୱତନ୍ତ୍ର ଚିକିତ୍ସା ସେବା, ପଶୁ ପ୍ରଶିକ୍ଷଣ କେନ୍ଦ୍ର, ଆହତ ପଶୁମାନଙ୍କୁ ସ୍ୱଳ୍ପ ସମୟ ପାଇଁ ରଖି ତାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପଶୁମାନଙ୍କ ପାଇଁ ଜେରିଆଟିକ୍‌ ସେଣ୍ଟର୍‌ଭଳି ସୁବିଧା ଉପଲବ୍ଧ କରାଯିବ। ସେହିଭଳି ଗୃହପାଳିତ ପଶୁମାନଙ୍କ ପାଇଁ ଡେ କେୟାର୍‌ ସେଣ୍ଟର୍‌, ପଶୁମାନଙ୍କର ପୋଷ୍ୟଗ୍ରହଣ କେନ୍ଦ୍ର, ପେଟ୍‌ କେଫ୍‌ ଓ ପାଳିତ ପଶୁ ଦୈନନ୍ଦିନ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀର ଷ୍ଟୋର ନିର୍ମାଣ କରାଯିବ। ଏହାସହ ଏହି କେନ୍ଦ୍ରରେ ପଶୁମାନଙ୍କ ଶବଦାହ ପାଇଁ ଆନିମଲ କେମେଟ୍ରି ନିର୍ମାଣ ଉପରେ ମଧ୍ୟ ବିଡିଏ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଏହାସହ ପେଟ୍‌ କେୟାର୍‌ ସେଣ୍ଟରରେ ବୁଲା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଦୀର୍ଘ ଦିନ ଧରି ରହିବାର ବନ୍ଦୋବସ୍ତ କରାଯିବ।

ଏ ନେଇ ପଶୁପ୍ରେମୀ ରେଣୁକା ମିଶ୍ର କହିଛନ୍ତି, ପଶୁମାନଙ୍କ ମୃତଦେହ ପାଇଁ ଶ୍ମଶାନର ଜରୁରି ଆବଶ୍ୟକତା ରହିଛି। ମଣିଷକୁ ଯେମିତି ମୃତ୍ୟୁ ପରେ ଉଚିତ ସମ୍ମାନ ଦିଆଯାଉଛି। ସେହିଭଳି ଗୋଟେ ଜୀବକୁ ମଧ୍ୟ ମୃତ୍ୟୁ ପରେ ଏଣେତେଣେ ତଥା ଅଳିଆ ଗଦାରେ ନ ଫୋପାଡ଼ି ତା’ର ସକ୍ରାର କରିବା ଉଚିତ। ପୂର୍ବରୁ ଅନେକ ଗୁଡ଼ିଏ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଗୃହପାଳିତ ପଶୁ ତଥା କୁକୁରର ମୃତ୍ୟୁ ପରେ ତା’ର ସକ୍ରାର ପାଇଁ ମାଲିକକୁ ବେଶ ହଇରାଣ ହେବାକୁ ପଡ଼ୁଛି। ସେହିଭଳି ବୁଲା କୁକୁର ମରିଯିବା ପରେ ତାକୁ ଦିନ ଦିନ ଧରି ଅଳିଆ ଗଦାରେ ପକାଯାଉଛି। ଫଳରେ ତା’ର ମୃତ ଶରୀର ପଚି ଶଢ଼ି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଯାହାର ଗନ୍ଧରେ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ତେଣୁ ବିଡିଏ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି। ଏହା ତୁରନ୍ତ କାର୍ଯ୍ୟକାରୀ ହେଲେ ବହୁତ ଗୁଡ଼ିଏ ପଶୁ ଉପକୃତ ହେବେ ବୋଲି ସେ କହିଛନ୍ତି।

Comments are closed.