ଶିକ୍ଷକଙ୍କ ବଦଳି ଆବେଦନ ଜାଲିଆତି ପର୍ଦ୍ଦାଫାଶ କରିବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଅନେକ ସମୟରେ ଶିକ୍ଷକମାନେ ଟର୍ମିନାଲ ଇଲନେସ ବା ଦୂରାରୋଗ୍ୟ ଅସୁସ୍ଥତା ଆଳରେ ବଦଳି ଆବେଦନ କରିଥାନ୍ତି । ରୋଗ ସହଜରେ ଆରୋଗ୍ୟ ହେଉ ନାହିଁ, ଘର ଠାରୁ ଦୂରରେ ରହି ଶିକ୍ଷାଦାନ କରିବା କଷ୍ଟକର ହୋଇପଡ଼ୁଛି, ନିଜ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ସମ୍ଭବ ହେଉନି ଏଭଳି କିଛି ସେମାନେ ଦର୍ଶାଇ ନିଜ ଜିଲ୍ଲା ସ୍କୁଲକୁ ବଦଳି ପାଇଁ ଆବେଦନ କରିଥାନ୍ତି ।

ତେବେ ଏଭଳି ଆବେଦନ ପ୍ରକ୍ରିୟା ଭିତରେ ଗତ ଶିକ୍ଷାବର୍ଷରେ ସ୍ୱାସ୍ଥ୍ୟ ବିଭାଗ ହାତରେ ଅନେକ ଜାଲ ସ୍ୱାସ୍ଥ୍ୟ ପ୍ରମାଣପତ୍ର ପଡ଼ିଥିଲା । ତେଣୁ ଶିକ୍ଷକଙ୍କର ଏଭଳି ଜାଲିଆତିକୁ ଧରିବା ସକାଶେ ବିଭାଗ ତତ୍ପର ହୋଇ ଉଠିଛି । ଏଥିପାଇଁ ଆସନ୍ତା ୧୪ ତାରିଖରୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ କଟକ ବକ୍ସିବଜାର ପୁରୁଣା ସେକ୍ରେଟାରିଏଟ କ୍ୟାମ୍ପସରେ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ବସିବ । ସେଥିରେ ରାଜ୍ୟର ୭୯୪ ଜଣ ଶିକ୍ଷକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ଯାଞ୍ଚ କରିବେ ବରିଷ୍ଠ ଡାକ୍ତର ।

ସାଧାରଣ ଭାବେ ଶିକ୍ଷକମାନେ ରେଗୁଲାର ହେବା ପରେ ବଦଳି ପାଇଁ ଆବେଦନ କରିଥାନ୍ତି । କିଛି ଶିକ୍ଷକ ଭିନ୍ନ ଭିନ୍ନ ଜିଲ୍ଲାରେ ରହିଥିବା ସମୟରେ ସହମତି ଭିତ୍ତିରେ ବଦଳି ନେଉଥିବା ବେଳେ ଆଉ କିଛି ଟର୍ମିନାଲ ଇଲନେସ୍ ଦେଖାଇ ଆବେଦନ କରୁଛନ୍ତି । ଆଉ କିଛି ହୃଦରୋଗ, କିଡନୀ, କ୍ୟାନ୍ସର ଭଳି ଦୂରାରୋଗ୍ୟରେ ଆକ୍ରାନ୍ତ ଥିବା ଦର୍ଶାଉଛନ୍ତି । ତେବେ ମୋଟ ୮ଟି ପର୍ଯ୍ୟାୟରେ ସମସ୍ତ ଶିକ୍ଷକଙ୍କୁ ଡକାଯିବ । ଏଥିପାଇଁ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଛି । ତେବେ ଏହି ପ୍ରକ୍ରିୟାରେ କିଛି ଶିକ୍ଷକଙ୍କ ଜାଲିଆତି ଧରାପଡ଼ିପାରେ ବୋଲି କୁହାଯାଉଛି ।

Comments are closed.