OPSC ଅଧ୍ୟକ୍ଷଙ୍କ ସୂଚନା, ଚଳିତ ସପ୍ତାହରେ ପ୍ରକାଶ ପାଇବ ଓସିଏସ୍-୨୦୨୦ ଲିଖିତ ପରୀକ୍ଷା ରେଜଲ୍ଟ ।

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏସିଏସ) ଲିଖିତ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଚଳିତ ସପ୍ତାହରେ ପ୍ରକାଶ ପାଇବ ଓସିଏସ୍-୨୦୨୦ ଲିଖିତ ପରୀକ୍ଷା ରେଜଲ୍ଟ । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଓସିଏସ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହେବ ବୋଲି କିଛିଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା । ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାଧ୍ୟାପକଙ୍କ ଅଭାବ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଥିଲା । ଏହି ସମସ୍ୟାକୁ ନେଇ ଓପିଏସସି ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା । ତେଣୁ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଦକ୍ଷ ପ୍ରାଧ୍ୟାପକଙ୍କ ତାଲିକା ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା । ତାଲିକାଭୁକ୍ତ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକମାନଙ୍କୁ ଅନ୍ତତଃ ୧୦ ଦିନ ପାଇଁ ମୂଲ୍ୟାୟନ ପାଇଁ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ସରକାରଙ୍କ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା । ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି କାରଣରୁ ଗତ ମାସରେ ଓପିଏସସି ଆସିଷ୍ଟାଣ୍ଟ ସେକ୍ସନ ଅଫିସର-୨୦୨୨ ପ୍ରିଲିମନାରୀ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦେଇଥିଲା ।

Comments are closed.