ସାପ କାମୁଡ଼ାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନିକ ତଦନ୍ତ ପରେ କୋଚିଂ ସେଣ୍ଟର ବନ୍ଦ ସୁପାରିଶ

କେନ୍ଦୁଝର: ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁରସ୍ଥିତ ବଟକୃଷ୍ଣ ବିଦ୍ୟାପୀଠରେ ଶନିବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ୪ଜଣ ଛାତ୍ରଛାତ୍ରୀଙ୍କୁ ବିଷାକ୍ତ ଚିତି ସାପ କାମୁଡିବାରୁ ୨ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ରାତି ପ୍ରାୟ ୩ଟାରେ ଏକ ବିଷାକ୍ତ ଚିତି ସାପକୁ ଛାତ୍ରଛାତ୍ରୀ ଶୋଇଥିବା ଘରେ ପଶିଥିବା ଜଣେ ଶିକ୍ଷୟିତ୍ରୀ ପ୍ରଥମେ ଦେଖିବା ପରେ ଉକ୍ତ ସାପଟିକୁ ପରବର୍ତ୍ତୀ ସମୟରେ ଖୋଜି ବାହାର କରି ମାରି ଦେଇଥିଲେ। ଏହାର କିଛି ସମୟ ପରେ ଭୋର ପ୍ରାୟ ୪ଟା ସମୟରେ ପ୍ରଥମେ ପଞ୍ଚମଶ୍ରେଣୀ ଛାତ୍ର ରାଜା ନାଏକ(୧୨) ମୋର ଦେହମୁଣ୍ଡ କ’ଣ ହୋଇଯାଉଛି କହିବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାର କିଛି ସମୟ ପରେ ତୃତୀୟଶ୍ରେଣୀ ଛାତ୍ରୀ ଏଲିନା ନାୟକ(୧୦) ଓ ସ୍ନେହାଶ୍ରୀ ନାଏକ(୧୧) ଅସୁସ୍ଥ ଅନୁଭବ କରିବା କହିବାରୁ ସେମାନଙ୍କୁ ମଧ୍ୟ କେନ୍ଦୁଝର ଅଣାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ରାଜା, ଏଲିନା ଓ ସ୍ନେହାଶ୍ରୀଙ୍କ ମୃତ୍ୟୁ ହେବାପରେ ପଞ୍ଚମଶ୍ରେଣୀ ଛାତ୍ର ଆକାଶ କୁମାର ନାଏକ ମଧ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଛି। ମୃତ ଛାତ୍ର ରାଜା ବାମେବାରୀ ଥାନା ଅଧିନ ନୟାଗଡ଼ ଗ୍ରାମର ମନୋଜ କୁମାର ନାଏକଙ୍କ ପୁଅ ହୋଇଥିବା ବେଳେ ଏଲିନା ଘଟଗାଁ ଥାନା ଅଧିନ ବରଗୁଡା ଚାନ୍ଦପଶି ସାହିର ଗୋବର୍ଦ୍ଧନ ନାୟକଙ୍କ ଝିଅ ଓ ସ୍ନେହାଶ୍ରୀ ବାରିଆ ଥାନା ଅଧିନ ପଦ୍ମପୁର ଗ୍ରାମର ଛତିଶ କୁମାର ନାଏକଙ୍କ ଝିଅ। ସେହିଭଳି କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଆକାଶ ବଡବିଲ ଥାନା ଅଧିନ ଠାକୁରାଣୀ ଗ୍ରାମର ଗୋଲକ ବିହାରୀ ନାଏକଙ୍କ ପୁଅ ବୋଲି ଜଣାପଡ଼ିଛି।

Comments are closed.