ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ

କଟକ: ରୋଟାରୀ କ୍ଲବ କଟକ ମହାନଦୀ ପକ୍ଷରୁ କଟକର ଦୋଳମୁଣ୍ଡାଇସ୍ଥିତ ଶ୍ରୀଜଗନ୍ନାଥ ହୋଟେଲରେ ଅନୁଷ୍ଠିତ ଏକ ଉତ୍ସବରେ ପାଞ୍ଚ ଜଣ ଶିକ୍ଷକଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାରରେ ସମ୍ମାନିତ କରାଯାଇଛି। ସେମାନେ ହେଲେ ସୁଲୋଚନା ଦାଶ, ଅଖିଳ କୁମାର ସ୍ବାଇଁ, ରଜନୀ କାନ୍ତ ପତି, ରୀମା ବେହେରା ଓ ଗୀତା ରାଣୀ ବେହେରା। ଏହି ଉତ୍ସବରେ ପ୍ରଫେସର ଡକ୍ଟର ନିରଞ୍ଜନ ବାରିକ ମୁଖ୍ୟ ଅତିଥି ଓ ପ୍ରଫେସର ଡକ୍ଟର ସୁରେଖା ସୁନ୍ଦରୀ ସ୍ବାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ମହାନଦୀ କ୍ଲବର ସଭାପତି ରୋଟାରୀଆନ ସୁଜାତା ମହାପାତ୍ର ଶିକ୍ଷକମାନଙ୍କୁ ପ୍ରଦାନ କରାଯାଉଥିବା ରାଷ୍ଟ୍ର ନିର୍ମାତା ପୁରସ୍କାର ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଶିକ୍ଷକମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଉଚିତ୍ ବୋଲି ନିଜର ମତ ରଖିଥିଲେ। ଶିକ୍ଷକମାନେ ପୁରସ୍କାର ଗ୍ରହଣ କରିବା ଅବସରରେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ଗଭର୍ଣ୍ଣର ଅଶୋକ ବିହାରୀ ମହାପାତ୍ର ଯୋଗ ଦେଇଥିଲେ। କ୍ଲବର ସେକ୍ରେଟାରୀ ସି. କେ. ଭାଗ୍ୟଶ୍ରୀ, ପୂର୍ବତନ ସଭାପତି ନଟବର ପଣ୍ଡା, ସରିତା ମିଶ୍ର, ସଞ୍ଜୟ ଛାପୋଲିଆ, ରାଜଲକ୍ଷ୍ମୀ ପାତ୍ର, ଅଙ୍କିତ ଭୁତ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Comments are closed.