ମାଗଣାରେ ରାସନ ଦେବାର କେନ୍ଦ୍ରର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ କ୍ୟାପିଟାଲ୍‌ମାଇଣ୍ଡର ସିଇଓ

ନୂଆଦିଲ୍ଲୀ: ମହାମାରୀ କରୋନାର ଦୁର୍ଦ୍ଦିନ ସ୍ଥିତିରେ ଜନତାଙ୍କ ସମସ୍ୟାର କିଛିଟା ଲାଘବ ପାଇଁ କେନ୍ଦ୍ର ସରକାର ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ। ସମୟ କ୍ରମେ ଏହାର ଅବଧି ବଢିଚାଲିଥିଲା। ସଂପ୍ରତି କରୋନା ପ୍ରକୋପ ହ୍ରାସ ପାଇଛି। କରୋନା ପ୍ରତି ଲୋକଙ୍କ ଭୟ ବି କମି ସାରିଛି। ଏହି କ୍ରମରେ ନିକଟରେ କେନ୍ଦ୍ର ସରକାର ପୁଣି ଥରେ ମାଗଣା ରାସନ ଯୋଜନାର ଅବଧି ବଢାଇଛନ୍ତି। କେଉଁ କାରଣ ପାଇଁ ଯୋଜନାର ବିସ୍ତାର କରାଗଲା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ୟାପିଟାଲ୍‌ମାଇଣ୍ଡର ସଂସ୍ଥାପକ ତଥା ସିଇଓ ଦୀପକ ସେନୟ।

ସେ କହିଛନ୍ତି, ପାର୍ବଣ ସମୟରେ ମାଗଣା ରାସନ ଯୋଜନାର ଅବଧି ଆଉ ତିନି ମାସ ବୃଦ୍ଧି କରାଯିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଭୁଲ୍। ପ୍ରଥମରୁ ହିଁ ଶସ୍ତାରେ ରାସନ ଯୋଗାଇ ଦିଆଯାଉଛି। ଏବେ ତ କରୋନା ପ୍ରକୋପ କମି ସାରିଛି। ଏଥିପାଇଁ ମାଗଣା ଭୋଜନ ଦେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ପାର୍ବଣ ସମୟରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଟୁଇଟ୍ କରିଥିଲେ। ଏହାର ଜବାବରେ ଟୁଇଟ୍‌ କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି ଦୀପକ ସେନୟ।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପାର୍ବଣ ସମୟରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ରୂପେ ଦେଶବାସୀଙ୍କ ମୁହଁରେ ହସ ଫୁଟାଇବ। ଏହା ଉପରେ ପ୍ରତିକ୍ରିୟା ଦେଇ ସେନୟ କହିଛନ୍ତି, ମାଗଣା ରାସନ ବାବଦରେ ସରକାର ୪୪ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସାଂପ୍ରତିକ ସ୍ଥିତିରେ ଏହାର ଆବଶ୍ୟକତା କଣ ରହିଛି ? ସେନୟଙ୍କ  ଟୁଇଟ୍‌ ଉପରେ ୟୁଜର୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ବୁଧବାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଯୋଜନାର ଅବଧି ଆଉ ତିନି ମାସ ବୃଦ୍ଧି କରିଛନ୍ତି। ଏଥିପାଇଁ ସରକାରୀ ରାଜକୋଷରୁ ଖର୍ଚ୍ଚ ହେବ ୪୪,୭୬୨ କୋଟି ଟଙ୍କା। ଏହି ଯୋଜନାରେ ପ୍ରତି ମାସରେ ୮୦ କୋଟି ଜନତାଙ୍କୁ ୫ କିଲୋଗ୍ରାମ ଗହମ ଏବଂ ଚାଉଳ ମାଗଣାରେ ଉପଲବ୍ଧ କରାଯାଉଛି। ଯୋଜନା ସେପ୍ଟେମ୍ବର ୩୦ରେ ସରିବାକୁ ଯାଉଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଏହାର ସମୟ ସୀମା ଡିସେମ୍ବର ୩୧କୁ ବୃଦ୍ଧି ଘଟିଛି।

Comments are closed.