ବିଶାଖାପାଟଣାଠାରେ ରଥଯାତ୍ରା ଆୟୋଜନ

0

ବିଶାଖାପାଟଣା ତା୧୬.୦୭ ରିଖ ; ବିଶାଖାପାଟଣାର ଡସପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ବାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ରକରି ଉପସ୍ଥିତ ଶ୍ରଦ୍ଧାଳୁ ଓ ସଙ୍ଗଠକମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଏଠାରେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜସେବୀ, ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ଉପ-ସଭାପତି ତଥା ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜୀତେନ୍ଦ୍ର କୁମାର ନାୟକଙ୍କ ସକ୍ରୀୟ ତତ୍ତ୍ବାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଭିଡ଼କୁ ନିୟନ୍ତ୍ରଣ କରାଯିବା ଦିଗରେ ବିଶେଷ ବ୍ୟବସ୍ଥା କରାଯାଇଥିଲା।

ଅପରାହ୍ନ ୩ଟା ବେଳେ ଚାରି ଠାକୁରମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ଠାକୁର ସୁଦର୍ଶନ, ତା’ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କର ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ଦଣ୍ଡାୟମାନ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ସେବାୟତ ଓ ଭକ୍ତମାନଙ୍କ ଦ୍ବାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଦନର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ୍ ମର୍ମସ୍ପର୍ଶୀ ଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ ରାଜା ପୋଷାକ ପରିଧାନ କରି ପାରମ୍ପରିକ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଅପରାହ୍ନ ୪:୩୦ ସମୟରେ ରଥଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଠାରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ୫୦୦୦ ଦର୍ଶକଙ୍କର ସମାଗମ ଘଟିଥିଲା। ଭକ୍ତମାନେ ରଥଟିକୁ ଟାଣି ଟାଣି ୬ କିଲୋମିଟର ଦୂରବର୍ତ୍ତୀ ଲସନ୍ସବେ କଲୋନୀଠାରେ ଥିବା ମାଉସୀମା ମନ୍ଦିରକୁ ନେଇଥିଲେ। ରାସ୍ତାର ଦୁଇ ପାର୍ଶ୍ବରେ ମହଜୁଦ ଥିବା ଦର୍ଶକମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ସାନ୍ନିଧ୍ୟ ଲାଭ କରି କୃତକୃତ୍ୟ ମନେ କରୁଥିବା ଏବଂ ଭକ୍ତିଭାବରେ ବିହ୍ବଳିତ ହେଉଥିବାର ଦୃଶ୍ୟ ଅଭୂତପୂର୍ବ ଥିଲା। ସନ୍ଧ୍ୟା ୭:୩୦ ସୁଦ୍ଧା ଜୀଉମାନଙ୍କୁ ରଥରୁ ପୁଣି ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିର ସ୍ଥିତ ଆଡ଼ପ ମଣ୍ଡପରେ ବିରାଜମାନ କରାଯାଇଥିଲା। ଆସନ୍ତା ଜୁଲାଇ ୨୪ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ମାଉସୀମା ଘରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ସୂତ୍ରରୁ ପ୍ରକାଶ।

ଚଳିତ ବର୍ଷ ଘୋଷଯାତ୍ରାରେ ସ୍ଥାନୀୟ ମାରୁୱାଡ଼ି ଯୁବ ମଞ୍ଚ ଓ ପଞ୍ଜାବ ସଙ୍ଘ ସହଯୋଗ ପ୍ରଦାନ କରିଥିଲେ। ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ଏବଂ ରଥଯାତ୍ରାକୁ ବ୍ୟାପକ ଭାବେ ସଫଳ କରାଇବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ସତ୍ୟବ୍ରତ ଦ୍ବିବେଦୀ, ଉପ-ସଭାପତି ସୋମନାଥ ସାହୁ ଏବଂ ବିରାଜ କୁମାର ଦାଶ ତଥା ସଦସ୍ୟବୃନ୍ଦ ଯଥା: ସୀମା ମହାନ୍ତି, ଅଜିତ ସାବତ, ବିଜୟ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ସାହୁ, ବନମାଳୀ ସାହୁ, ଅରୁଣ ଦାସ ଓ ସତ୍ୟନାରାୟଣ ବେହେରା ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

Leave A Reply

Your email address will not be published.