ନଭି ମୁମ୍ବାଇ ତା ୧୬.୦୭ ରିଖ ; ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘ (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଖାରଘର ଇଲାକା ଜଗନ୍ନାଥମୟ ହୋଇଉଠିଥିବା ଦେଖାଯାଇଥିଲା। ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପୁରା ପରିବେଶ ମୁଖରିତ ହେବା ସଙ୍ଗକୁ ମନ୍ତ୍ରର ସୁମଧୁର ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିବା ଲକ୍ଷ୍ୟ କରାଯାଇଥିଲା। ବଢ଼ି ଭୋରରୁ ମନ୍ଦିର ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ମଙ୍ଗଳ ଆଳତି ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଦୁଇପହରରେ ଚାରି ଠାକୁରଙ୍କୁ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସାମ୍ନାରେ ଦଣ୍ଡାୟମାନ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ରାଜକୀୟ ଠାଣିରେ କୋଟି ବ୍ରହ୍ମାଣ୍ଡର ମହାନାୟକ ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭ୍ରାତା ଶ୍ରୀ ବଳଭଦ୍ର, କନିଷ୍ଠ ଭଗ୍ନୀ ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ରଥାରୂଢ଼ ହେବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ଏହା ଭକ୍ତ ଓ ଭଗବାନଙ୍କର ମିଳନର ଅନନ୍ୟ ଓ ଅପୂର୍ବ ସୁଯୋଗ ଥିଲା। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ସଭାପତି ଏବଂ ଟ୍ରଷ୍ଟି ଡକ୍ଟର ଭଗବାନ ପଣ୍ଡା ରଥ ଉପରେ ସୁବର୍ଣ୍ଣ ଝାଡ଼ୁରେ ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ। ଏହାପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଉପସ୍ଥିତ ଦଶହଜାର ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ଯେଉଁ ଅସୀମ ଉତ୍ସାହ, ଅଜସ୍ର ଉଲ୍ଲାସ ଓ ଅଦମ୍ୟ ଉଦ୍ଦୀପନା ସହିତ ରଥଟିକୁ ଟାଣି ଟାଣି ନେଉଥିଲେ, ତାହାର ଦୃଶ୍ୟ ଅଭୂତପୂର୍ବ ଥିଲା । ସୌହାର୍ଦ୍ଦ୍ୟ ଓ ସଦ୍ଭାବନାର ଏହା ଏକ ନିଆରା ଦୃଷ୍ଟାନ୍ତ ବନିଥିଲା।



ସନ୍ଧ୍ୟା ସମୟରେ ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିଥିଲା। ଏଠାରେ ରୋଷଣୀ କରାଯାଇ ଚାରି ଠାକୁରଙ୍କୁ ରଥ ଉପରୁ ମନ୍ଦିର ମଧ୍ୟକୁ ନିଆଯାଇ ସେଠାକାର ଆଡ଼ପ ମଣ୍ଡପରେ ଆସୀନ କରାଯାଇଥିଲା। ରଥ ଉତ୍ସବର ବିଶେଷ ଆକର୍ଷଣ ଭାବରେ ଗୁଣ୍ଡିଚା ମନ୍ଦିରଠାରେ ‘ମୋୱା’ ତରଫରୁ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୀର୍ତ୍ତନର ସୁମଧୁର ସ୍ୱର ସାଙ୍ଗକୁ ମହାପ୍ରସାଦର ମହମହ ସୁଗନ୍ଧ ଶ୍ରଦ୍ଧାଳୁମାନଙ୍କୁ ନିବିଡ଼ ସୂତ୍ରରେ ବାନ୍ଧି ରଖିବାର ଅନୁଭୂତି ଅଲୌକିକ ଥିଲା। ଜୁଲାଇ ୨୭ ତାରିଖ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।



ସମଗ୍ର ରଥଯାତ୍ରା ଉତ୍ସବକୁ ସୁଚାରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘର ଟ୍ରଷ୍ଟିବୃନ୍ଦ ଯଥା: ଡକ୍ଟର ଭଗବାନ ପଣ୍ଡା, ବଳରାମ ପାତ୍ର, ଡକ୍ଟର ମନୋଜ କୁମାର ନାୟକ, ଡକ୍ଟର କେତନ ଗୋଖଲେ, ବି. ସି. ଖଟୁଆ, କ୍ୟାପ୍ଟେନ ଏସ. ପି. ରାଓ, ବିଘ୍ନରାଜ ପରିଡ଼ା, ମାଗୁଣି ରାଉତ ଏବଂ ଉପ-ସଭାପତି ପି. ଏମ. ମହାପାତ୍ର ତଥା ଡକ୍ଟର ରବିନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଏବଂ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ।