ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ରଥଯାତ୍ରା ଆୟୋଜନ

0

ନୂଆଦିଲ୍ଲୀ ତା ୧୬.୭ ରିଖ ; ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ଅଠଚାଳିଶ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ପବିତ୍ର ପର୍ବ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖାଯାଇଥିଲା। ମନ୍ଦିରରେ ବଢ଼ି ଭୋରରୁ ମଙ୍ଗଳ ଆଳତି କରାଯିବା ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଏହି ମହାପାର୍ବଣରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ପାଖାପାଖି ଦେଢ ଲକ୍ଷ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କ ପରିବାର ଓ ପରିଜନଙ୍କ ସହ ଆସି ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

ଏଠାରେ ଦିନ ଦୁଇପହରରେ ଚାରି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା’ପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସର୍ବଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ସାହି ରୋଷଣି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ଦର୍ଶକମାନଙ୍କ ଦ୍ବାରା ଘଣ୍ଟ, ଶଙ୍ଖ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା।ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନଙ୍କର ସକ୍ରୀୟ ତତ୍ତ୍ବାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ଼କୁ ନିୟନ୍ତ୍ରଣ କରାଯିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଥିଲା।
ଏଠାରେ ମୁଖ୍ୟ ଅତିଥି ଦିଲ୍ଲୀର ଉପରାଜ୍ୟପାଳ ତରଣଜିତ୍ ସିଂହ ସାନ୍ଧୁ ପାରମ୍ପରିକ ଢଙ୍ଗରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସାଂସଦ ବାଂଶୁରୀ ସ୍ବରାଜ, ବିଧାୟକ ସତୀଶ ଉପାଧ୍ୟାୟ, ଅନୀଲ ଶର୍ମା, ପୂର୍ବତନ ବିଧାୟକ ସୋମନାଥ ଭାରତୀ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପତ୍ନୀ ମୃଦୁଳା ପ୍ରଧାନଏବଂ ବରିଷ୍ଠ ସାମ୍ବାଦିକ ତଥା ବଡଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ କୁମାର ଦାସ ଯୋଗ ଦେଇଥିଲେ।

ଅପରାହ୍ନ ଅଢ଼େଇଟାରେ ରଥଟଣା ଆରମ୍ଭ ହୋଇଥିଲା। ୧୮ ଫୁଟ ଉଚ୍ଚତା ବିଶିଷ୍ଟ ରଙ୍ଗାରଙ୍ଗ ରଥ ଉପରେ ରାଜକୀୟ ଠାଣିରେ ଚାରି ଠାକୁରଙ୍କ ବିରାଜମାନର ଦୃଶ୍ୟ ଅଲୌକିକ ଥିଲା। ମହାପ୍ରଭୁଙ୍କ ରଥକୁ ଆନସାରୀ ନଗରକୁ ନିଆଯାଇ ପୁଣି ସନ୍ଧ୍ୟା ସୁଦ୍ଧା ମନ୍ଦିର ବେଢାକୁ ଫେରାଇ ଅଣାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ବରେ ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରି , ରଥ ଆଡ଼କୁ ପୁଷ୍ପ ବର୍ଷଣ ଏବଂ ରଥ ବାଡ଼ରେ ନଡ଼ିଆ ଭାଙ୍ଗି ନିଜକୁ ଧନ୍ୟ ଧନ୍ୟ ମନେ କରୁଥିବା ଓ ଭକ୍ତି ଭାବରେ ବିହ୍ବଳିତ ହେଉଥିବାର ଦୃଶ୍ୟ ମର୍ମସ୍ପର୍ଶୀ ଥିଲା। ରଥ ମନ୍ଦିର ପ୍ରାଙ୍ଗଣକୁ ଫେରିବା ପରେ ସର୍ବସାଧାରଣ ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରିଥିଲେ। ରାତ୍ରିର ବିଳମ୍ବିତ ପ୍ରହରରେ ଠାକୁରମାନଙ୍କୁ ପହଣ୍ଡି କରାଯାଇ ମନ୍ଦିର ବେସମେଣ୍ଟରେ ଥିବା ମାଉସୀମା ଘରକୁ ନିଆଯାଇ ସେଠାକାର ସିଂହାସନରେ ଆସୀନ କରାଯାଇଥିଲା। ଆସନ୍ତା ୨୪ ତାରିଖର ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଦିଅଁମାନେ ଏଠାକାର ଆଡ଼ପ ମଣ୍ଡପରେ ପୂଜା ପାଇବେ ବୋଲି ଜଣାଯାଇଛି।ରଥଯାତ୍ରାର ଜୀବନ୍ତ ଧାରା ବିବରଣୀ ଭଗିରଥ ଝା ଓ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା ପ୍ରଦାନ କରିଥିଲେ।

ରଥଯାତ୍ରାକୁ ସକ୍ଷମତାର ସହିତ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘର ସୁଦକ୍ଷ ସଙ୍ଗଠକ ବୃନ୍ଦ ଯଥା: ସଭାପତି ବିଘ୍ନେଶ୍ବର ରାଉତ, ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, କର୍ମକର୍ତ୍ତା ଯଥା: ରବି ପାଣି, ଗଜେନ୍ଦ୍ର ପ୍ରସାଦ ସାମନ୍ତ, ପଙ୍କଜ ମହାନ୍ତି ,ଅଜୟ ପ୍ରଧାନ, କ୍ଷୀରୋଦ ପାତ୍ର, ଅଭୟ ପ୍ରଧାନ, ଅଶୋକ ପ୍ରଧାନ (କ), ଅଶୋକ ପ୍ରଧାନ (ଖ), ଜୀତେନ୍ଦ୍ର ମହାପାତ୍ର,, ନିଷିଦ୍ଧ କୁମାର ଦାସ, ରଙ୍କନିଧି ସାହୁ, ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ବାଇଁ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ, ଉପେନ୍ଦ୍ର ବେହେରା,ଦିଲ୍ଲୀପ ରାଉତ, ବିଧାନ ଜେନା, ଗିରିଧାରୀ ମହାନ୍ତି ଏବଂ ମନ୍ଦିରର ମୁଖ୍ୟ ପରିଚାଳକ ରଶ୍ମିରଞ୍ଜନ ବେହେରା, ସହ-ପରିଚାଳକ ଶଶୀକାନ୍ତ ସାହୁ, ସଞ୍ଜୀବ ଜେନା ତଥା ମନ୍ଦିରର ପୂଜକ ବୃନ୍ଦ ଯଥା: ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାସ, ପ୍ରେମାନନ୍ଦ ଶତପଥୀ, ସନ୍ତୋଷ ପଣ୍ଡା, କାଳନ୍ଦୀ ଚରଣ ବଡ଼ୁ ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖନୀୟ ଥିଲା।

Leave A Reply

Your email address will not be published.