ରାମଦୂତ ଅତୁଲିତ ବଲଧାମା

ଅର୍ଜୁନୀ ଚରଣ ବେହେରା

ରାମଦୂତ ଅତୁଲିତ ବଲଧାମା
================
ଲଙ୍କାରେ ଯୁଦ୍ଧସରିଗଲା l ରାବଣ ନିଧନକରି ପ୍ରଭୁ ଶ୍ରୀରାମ ସୀତାଙ୍କୁ ଉଦ୍ଧାର କରି, ବିଭୀଷଣଙ୍କୁ ଲଙ୍କା ରାଜପଦରେ ଅଭିଷେକ କରାଇ ପୁଷ୍ପକ ବିମାନରେ ଅଯୋଧ୍ୟା ଫେରିଲେ l ତାଙ୍କ ସାଙ୍ଗରେ ଥାନ୍ତି ଲକ୍ଷ୍ମଣ ବିଭୀଷଣ, ସୁଗ୍ରୀବ, ଜାମ୍ବବାନ, ଅଙ୍ଗଦ, ହନୁମାନ, ତଥା ଅନ୍ୟ ବାନର ବୀର ମାନେ l ସେତୁବନ୍ଧ ପାର ହେଲା ପରେ ପ୍ରଭୁ ଦେଖିଲେ, ସେଠାରେ ବହୁ ମୁନି ୠଷି ତାଙ୍କୁ ଅପେକ୍ଷା କରି ରହିଛନ୍ତି l ପ୍ରଭୁ ବିମାନରୁ ଅବତରଣ କରି ତାଙ୍କୁ ପ୍ରଣାମକରି ପଚାରିଲେ, ହେ ମହାତ୍ମା ଗଣ ! ରାବଣ ବିଶ୍ରବା ଋଷିଙ୍କ ପୁତ୍ର ଜଣେ ନୈଷ୍ଠିକ ବ୍ରାହ୍ମଣ l ମୁଁ ତାକୁ ହତ୍ୟା କରି, ବ୍ରହ୍ମହତ୍ୟା ପାପକରିଛି l ଆପଣମାନେ ମୋର ଏ ପାପ କିପରି କଟିବ, ତାହର ଉପାୟ କୁହନ୍ତୁ l
ୠଷିମାନେ କହିଲେ, ଯୁଦ୍ଧରେ ତ ସମସ୍ତେ ସମାନ l ସେଥିରେ ବ୍ରାହ୍ମଣ କ୍ଷତ୍ରିୟ ବିଚାର ଆସିଲା କୁଆଡୁ l ଆପଣଙ୍କୁ କୌଣସି ପାପ ଲାଗିନାହିଁ l ୠଷି ମାନଙ୍କ କଥା ଶୁଣି ଶ୍ରୀରାମ କହିଲେ, ଆପଣ ମାନେ ଯାହା କହିଲେ ତାହା ଠିକ୍ l କିନ୍ତୁ ମୋର ମନ ଵୁଝୁନାହିଁ l ମୁଁ ଅପରାଧ ବୋଧରେ ସନ୍ତୁଳିତ ହେଉଛି l ଆପଣ ମାନେ ମୋତେ ଏଥିରୁ ଉଦ୍ଧାର ପାଇବାର ଉପାୟ ବତାନ୍ତୁ l ୠଷିମାନେ କହିଲେ, ତା ହେଲେ ଆପଣ ଏଠାରେ ଏକ ଶିବଲିଙ୍ଗ ଥାପନାକରି ପୁଜାକରନ୍ତୁ l ଆପଣଙ୍କ ଦ୍ଵାରା ସ୍ଥାପିତ ସେହି ଶିବଲିଙ୍ଗ ଏଠାରେ ଯୁଗ ଯୁଗକୁ ରାମେଶ୍ୱର ରୂପେ ପୂଜା ହେବେ l
ଶ୍ରୀରାମ ସେତୁବନ୍ଧ ଠାରେ ଶିବଲିଙ୍ଗ ପ୍ରତିଷ୍ଠା ପାଇଁ ମନସ୍ଥ କଲେ l ଶୁଭ ବାର ଓ ମୁହୁର୍ତ୍ତ ସ୍ଥିର ହେଲା l ପ୍ରଭୁ ହନୁମାନଙ୍କୁ କହିଲେ, ତୁମେ କୈଳାସକୁ ଯାଇ ଶୀଘ୍ର ଏକ ଶିବଲିଙ୍ଗ ଘେନିଆସ l ପ୍ରଭୁଙ୍କ ଆଦେଶ ପାଇ ହନୁମାନ ବାୟୁ ବେଗରେ କୈଳାସ ପର୍ବତକୁ ଉଡ଼ିଗଲେ l ସେଠାରେ ଯାଇ ସେ ଶଙ୍କରଙ୍କୁ ସମସ୍ତ ଲଙ୍କା ଯୁଦ୍ଧ କଥା ବର୍ଣ୍ଣନା କରି ରାମ ଗୋଟିଏ ଲିଙ୍ଗ ମାଗିଛନ୍ତିବୋଲି କହିଲେ l ଶଙ୍କର ଅତି ଆନନ୍ଦରେ ଏକ ଲିଙ୍ଗ ପ୍ରଦାନ କଲାରୁ ହନୁମାନ ତାକୁ ମୁଣ୍ଡରେ ମୁଣ୍ଡାଇ ଆକାଶମାର୍ଗରେ ତୀବ୍ରବେଗରେ ସେତୁବନ୍ଧ ପ୍ରତ୍ୟାବର୍ତ୍ତନ କଲେ l
ସେତୁବନ୍ଧରେ ପହଞ୍ଚି ଦେଖନ୍ତି ତ ଶ୍ରୀରାମ ବାଲିରେ ତିଆରି ଏକ ଶିବଲିଙ୍ଗ ପୂଜାକରୁଛନ୍ତି l ହନୁମାନଙ୍କ ମନ ବହୁତ ଖରାପ ହୋଇଗଲା l ସେ ଭାବିଲେ ମୁଁ ଏତେ କଷ୍ଟ କରି ଯାଇ କୈଳାସରୁ ଶିବଲିଙ୍ଗ ଘେନି ଆସିଲି ଅଥଚ ତାହା ପୂଜାରେ ଲାଗିପାରିଲା ନାହିଁ l ପୂଜା ହେଉଛନ୍ତି ବାଲୁକାଲିଙ୍ଗ l ତାହେଲେ ମୋତେ ପ୍ରଭୁ କୈଳାସ ପଠାଇ ଥିଲେ କାହିଁକି l
ହନୁମାନଙ୍କ ମନକଥା ବୁଝିପାରିଲେ ପ୍ରଭୁ ଶ୍ରୀରାମ l ସେ ତାଙ୍କୁ ବୁଝେଇ କହିଲେ, ହନୁ ! ଏଥିରେ ଦୁଃଖ କରିବାର କଅଣ ଅଛି l ତୁମର ଆସିବାରେ ଟିକିଏ ବିଳମ୍ବ ହୋଇଗଲା l ଶୁଭ ବେଳା ଗଡ଼ି ଯାଉଥିଲା l ଏଣୁ ତୁମ ମାଆ ବାଲିରେ ଏକ ଲିଙ୍ଗ ଗଢ଼ିଦେଲେ l ମୁଁ ସେହି ଲିଙ୍ଗକୁ ପୂଜାକରୁଛି l ଭଗବାନ୍ ସଦାଶିବ ପରା ଆମ ସଭିଙ୍କର l ଶ୍ରୀରାମଙ୍କ କଥାରେ ହନୁଙ୍କ ମନ କିନ୍ତୁ ମାନିଲାନାହିଁ,ସେ ଅଭିମାନରେ କହିଲେ, ମାଆ ସୀତା ଯଦି ବାଲୁକାଲିଙ୍ଗ ଗଢ଼ିଦେବାର ଥିଲା ତେବେ ମୋତେ କାହିଁକି କୈଳାସ ପଠାଇଲେ l
ପ୍ରଭୁ ହସି ହସି କହିଲେ, ଆଚ୍ଛା ! ତେବେ ଗୋଟିଏ କାମକରିବା l ତୁମରି କଥା ରହିବ l ତୁମେ ବାଲୁକା ଲିଙ୍ଗଟିକୁ ଉଠାଇ ଦିଅ l ସେହି ସ୍ଥାନରେ ଆଣିଥିବା ତୁମରି ଲିଙ୍ଗଟି ଥାପନା କରି ପୂଜାକରିବା l ପ୍ରଭୁଙ୍କ କଥା ଶୁଣି ହନୁମାନ ଖୁବ୍ ଉଲ୍ଲସିତ ହୋଇ ଗଲେ l ଏ ବାଲି ଲିଙ୍ଗଟା ଉଠାଇବାକୁ ମୋତେ କେତେ ବା ସମୟ ଲାଗିବ l ଏହା ଚିନ୍ତା କରି ହନୁ ତାଙ୍କ ବାଆଁ ହାତରେ ବାଲୁକା ଲିଙ୍ଗକୁ ଉଠାଇ ଦେବାକୁ ଚେଷ୍ଟା କଲେ l ହେଲେ ଲିଙ୍ଗ ଉଠିବ କ’ଣ l ଟିକିଏ ମାତ୍ର ହଲିଲା ବି ନାହିଁ l ଏହା ପରେ, ସେ ଦୁଇ ହାତରେ ଲିଙ୍ଗଙ୍କୁ ଖୁବ୍ ଯୋରରେ ହଲାଇବାକୁ ଚେଷ୍ଟାକଲେ l କିନ୍ତୁ ଫଳ କିଛି ହେଲା ନାହିଁ l
ହନୁମାନ ଖୁବ୍ ରାଗିଯାଇ କହିଲେ, ମୋର କେତେ ବଳ ବୋଧହୁଏ ଶିବ ଜାଣି ନାହାଁନ୍ତି l ଏଥର ଦେଖ ମୋର କେତେ ପରାକ୍ରମ l ଏହା କହି ସେ ବାଲୁକା ଲିଙ୍ଗଙ୍କୁ ତାଙ୍କ ଲାଙ୍ଗୁଡ଼ରେ ଖୁବ୍ ଜୋରରେ ଗୁଡ଼ାଇ ଧରି କହିଲେ, ଦେଖ ମୋର ପରାକ୍ରମ l ମୋ ଏହି ଲାଙ୍ଗୁଡ଼ରେ ମୁଁ କେତେ ମହା ପର୍ବତମାନଙ୍କୁ ଉପାଡ଼ି ଆଣିଛି l କେତେ ରାକ୍ଷସଙ୍କୁ ମାରି ପକାଇଛି l ଏହା କହି ସେ ହୁଙ୍କାର ନାଦ କରି ଲିଙ୍ଗଟିକୁ ଝିଙ୍କିବାରେ ଲାଗିଲେ l କିନ୍ତୁ କିଛି ଫଳ ହେଲାନାହିଁ l ହନୁମାନ ଧଇଁ ସଇଁ ଓ ଗଳଦ୍ଘର୍ମ ହୋଇ ଚେତା ହରେଇ ଭୂମି ଉପରେ ଟଳି ପଡ଼ିଲେ l
ଏହା ଦେଖି ମାଆ ସୀତା ଦୋଉଡ଼ିଆସି ତାଙ୍କୁ ପାଣି ଛାଟି ସାଷ୍ଟମକଲେ l ଚେତା ଫେରି ପାଇ ହନୁମାନ ଦେଖିଲେ ମାଆ ବସି ତାଙ୍କ ସେବାକରୁଛନ୍ତି l ତାଙ୍କ ଗର୍ବ ଭାଙ୍ଗିଯାଇ ମୁଣ୍ଡ ତଳକୁ ନଇଁଗଲା l ସେ ପ୍ରଭୁ ଶ୍ରୀରାମଙ୍କ ପାଦତଳେ ପଡ଼ି କହିଲେ, ହେ ପ୍ରଭୋ ! ଆଜି ବୁଝି ଗଲି ଆପଣ ହିଁ ମୋର ବଳ l ଆପଣଙ୍କ ବିନା ମୁଁ କିଛି ନୁହେଁ l ସାମାନ୍ୟ ଗୋଟାଏ ବାନର l ଏହି ଥିଲେ ସନ୍ଥ ତୁଳସୀଙ୍କ ବର୍ଣ୍ଣନାରେ :-
ରାମଦୂତ ଅତୁଲିତ ବଲ ଧାମା l
ଅଞ୍ଜନୀପୁତ୍ର ପବନସୂତ ନାମା ll
ଭଗବାନ ଭକ୍ତର ଲାଜ ନରଖିବେବା କିପରି? ପ୍ରଭୁ ହସିହସି ହନୁମାନଙ୍କ ମୁଣ୍ଡରେ ହାତ ବୁଲେଇ ଆଣି କହିଲେ, ଏଠାରେ ଥାପନା ହୋଇଥିବା ଜାନକୀଙ୍କ ବାଲୁକା ଲିଙ୍ଗ ରାମେଶ୍ୱରଙ୍କ ସହ, ତୁମେ ଆଣିଥିବା ଲିଙ୍ଗ ହନୁମଦୀଶ୍ୱର ନାମରେ ଯୁଗ ଯୁଗପାଇଁ ପୁଜା ପାଇବେ l ଭକ୍ତମାନେ ପ୍ରଥମେ ଶ୍ରୀହନୁମଦୀଶ୍ୱରଙ୍କ ଦର୍ଶନ କରି ରାମେଶ୍ୱରଙ୍କୁ ଦର୍ଶନ କରିବେ l
! ଓଁ ଶ୍ରୀହନୁମଦୀଶ୍ଵରାୟେ ନମଃ !
🙏🙏🙏
ଅର୍ଜ୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.