ବିଦ୍ୟେ କମଳ ଲୋଚନୀ

ଅର୍ଜୁନୀ ଚରଣ ବେହେରା

ବିଦ୍ୟେ କମଳ ଲୋଚନୀ
=============
ଜୟ ମାଆ ବିଦ୍ୟେ କମଳ ଲୋଚନୀ
ଜୟ ମା ପରମେଶ୍ୱରୀ l
ତୋହର ବନ୍ଦନା ଦି ପଦ ଲେଖୁଛି
ତୋ ପୟରେ ଧ୍ୟାନ କରି ll
ଶ୍ୱେତ ପଦ୍ମାସନୀ ମରାଳ ବାହନୀ
ଜୟ ମା’ ବୀଣା ବାଦିନୀ l
ଜୟ ଜ୍ଞାନମୟୀ ଜୟ ଜ୍ଞାନଦାୟୀ
ପୂଜା ତୋ ସାରା ଅବନୀ ll
ଦୟା ବଳେ ମୁର୍ଖ ପଣ୍ଡିତ ବୋଲାଏ
ଜ୍ଞାନ ଚକ୍ଷୁ ଦେଉ ଖୋଲି l
ଅଗାଧ ଜଳରେ ପର୍ବତ ଭାସଇ
ବୁଡ଼ି ଯାଏ କିନ୍ତୁ ବାଲି ll
ବେଦ ବନ୍ଦିତା ଲୋ ମାଆ ସ୍ରୋତସ୍ୱତୀ
ଲୁପ୍ତ ନଦୀ ସରସ୍ବତୀ l
ବେଦ ରଚିଗଲେ ଦିବ୍ୟ ଦ୍ରଷ୍ଟା ମୁନି
ତୋ କୂଳେ କରି ବସତି ll
ତୋର କୃପା ବଳେ ଦୁରିତ ପଳାଏ
ଦୂରେ ଅଜ୍ଞାନ ତିମିର l
ସଦା ଚତୁର୍ବେଦ ମୁଖେ ତୋର ନାଦ
ସାଥେ ବୀଣାର ଝଙ୍କାର ll
ମହା ମୁରୁଖରୁ ମହାକବି ହେଲେ
ଶ୍ରୀଶାରଳା କାଳିଦାସ l
ତୋର ପାଦ ଧ୍ୟାୟୀ ପୁରାଣ ରଚିଲେ
ମହାମୁନି ବେଦବ୍ୟାସ ll
ତୁଷାର ବରଣୀ ମା ବିଦ୍ୟା ଦାୟିନୀ
ଧବଳ ପୁଷ୍ପ ଭୂଷିତା l
ତ୍ରିପୁର ବନ୍ଦିତା ଅଯୋନୀ ସମ୍ଭୁତା
ଦୟାମୟୀ ଆଦିମାତା ll
କଣ୍ଠେ ମୋର ବସି ବାକ୍ୟ କହିଦେବୁ
ବନ୍ଦଇ ମା’ ବାକ୍ୟ ଦେବୀ l
ଜନମୁ ମୁରୁଖ ଅଜ୍ଞାନ ଅଟେ ମୁଁ
କରୁଣା ଭିକ୍ଷା ବାଗ୍ଦେବୀ ll
🙏🙏🙏
ଅର୍ଜୁନୀ
——————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.