ଚାଲ ବୁଲିଯିବା ଚିଲିକା

ଅର୍ଜୁନୀ ଚରଣ ବେହେରା

ଚାଲ ବୁଲିଯିବା ଚିଲିକା
============
ମରାଳ ମାଳିନୀ ନୀଳାମ୍ବୁ ଚିଲିକା l
ନୀଳ ନୀରବେଣୀ ନୀଳେନ୍ଦ୍ରି ନାୟିକା ll
ଉତ୍କଳର ସେହି ଚାରୁ ଅଳଙ୍କାର l
ବର୍ଣ୍ଣିଥିଲେ ଦିନେ ଆମ କବିବର ll
ଅଙ୍କେ ତୋର କାଳିଜାଈ ପରବତ l
ବକ୍ଷେ ଭାସୁଥାଇ ଡଙ୍ଗା ଶତ ଶତ ll
ମାଆ କାଳିଜାଈ ସୁମରି ଧୀବରେ l
ନିର୍ଭୟରେ ତରି ଚଳାନ୍ତି ବକ୍ଷରେ ll
ଗୋଦାବରୀଶଙ୍କ ଅମର କାହାଣୀ l
କାଳିଜାଈ କଥା ନେତ୍ରୁ ବହେ ପାଣି ll
ଉତ୍କଳ ମଣିଙ୍କ ବାଷ୍ପୀୟ ଶକଟ l
ବର୍ଣିଲେ ଚିଲିକା ଚାରୁ ଚିତ୍ରପଟ ll
କୁଳେ ରାଜେ ତୋର କାଙ୍କଣଶିଖରୀ l
କଣ୍ଟକିତ ଫଳ ଭକ୍ଷିଲେ ଶ୍ରୀହରି ll
ପୁଣି ବକ୍ଷେ ତୋର ଚକା ସିପନାଶି l
ଆଶ୍ରିଥିଲେ ଯହିଁ ପ୍ରଭୁ ବ୍ରହ୍ମରାଶି ll
ମାଣିକ ପାଟଣା କୂଳେ ବିରାଜିତ l
ଦହି ପିଇଥିଲେ ନୀଳାଚଳ ନାଥ ll
ଉତ୍କଳ ମାତାର ମାନ ରକ୍ଷା ପାଇଁ l
ଯୁଦ୍ଧେଗଲେ କଳା ଧଳା ଦୁଇଭାଇ ll
ବଖାଣି ବସିଲେ ପୋଥି ପୁରିଯିବ l
ଚିଲିକା କାହାଣୀ କେବେ ନସରିବ ll
ମାମୁଁ ଭଣଜାର ଶିଖରକୁ ଛୁଇଁ l
ଶୀତ ବାତ ଆସେ ଉତ୍ତରରୁ ବହି ll
ବିଦେଶରୁ ଆସି ପକ୍ଷୀ ଦଳ ଦଳ l
ଚିଲିକା ବକ୍ଷରେ କଲେଣି ଗହଳ ll
ଗେଣ୍ଡାଳି ଟେନ୍ଟେଇଁ ହଂସ ହଂସରାଳି l
ଚିଲିକା ବକ୍ଷରେ କରନ୍ତି କାକଳି ll
କରୁଛନ୍ତି କେତେ ଭଙ୍ଗେ ରଙ୍ଗ ରସ l
ବୁଡ଼ିଯିବ ଲାଗେ ତାଙ୍କର ବଅଁଶ ll
ନଳୁଆ କେଳାଙ୍କ ନଳବନେ ମେଳ l
ରକ୍ଷା କର ମାଆ ବିହଙ୍ଗମ କୂଳ ll
ଶୀତ ଚାଲିଯିବ ଗ୍ରୀଷମ ଆସିବ l
ଗ୍ରୀଷମେ ଚିଲିକା ଶୋଭା କିବା ଥିବ ll
ଚାଲ ଆଜି ବୁଲି ଚିଲିକାକୁ ଯିବା l
ଆଜି ଗଲେ ଆଉ କାଲି ନପାଇବା ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.