ଭୁବନେଶ୍ୱର : ପାର୍କିଂସ୍ଥଳକୁ ଟର୍ଗେଟ୍ କରୁଥିଲେ । ନକଲି ଚାବିରେ ଚୁଟ୍କୀରେ ବାଇକ୍ ଲୁଟି ନେଇ ଚମ୍ପଟ ମାରୁଥିଲେ । ରାଜଧାନୀରେ ଏଭଳି ବାଇକ୍ ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ୨ ପେସାଦାର ଲୁଟେରାଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେମାନେ ହେଲେ ଇନ୍ଫୋସିଟି ଥାନା ଶିଖରଚଣ୍ଡୀ ନଗରର ୨୦ ବର୍ଷୀୟ ଚାଇନା ଓରଫ ଟି.ସୁରେଶ ଏବଂ ଶିଖରଚଣ୍ଡୀ ନଗର ମୁସଲିମ ବସ୍ତିର ୧୯ ବର୍ଷୀୟ ରାଜ୍ ଖାନ୍ । ପୁଲିସ ସେମାନଙ୍କଠାରୁ ୧୨ଟି ଚୋରା ବାଇକ୍ ସମେତ ୭ଟି ନକଲି ବାଇକ୍ ଚାବି ଓ ୨ଟି ମୋବାଇଲ ଜବତ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଡ. ଏସ୍.ଦେବଦତ୍ତ ସିଂହ କହିଛନ୍ତି, ରାଜଧାନୀରୁ ଦୈନିକ ବାଇକ୍ ଲୁଟ୍ପାଟ ଅଭିଯୋଗ ହେଉଥିଲା । ବିଶେଷକରି ଗତ କିଛିଦିନ ଭିତରେ କ୍ୟାପିଟାଲ ଥାନା ଅଞ୍ଚଳରୁ ବାଇକ୍ ଲୁଟ୍ ବେଶି ହେଉଥିଲା । ତେଣୁ ଇନ୍ପେକ୍ଟର ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ତନାଘନା ଆରମ୍ଭ କରିଥିଲେ ।
ଗତକାଲି ସନ୍ଧ୍ୟାରେ ଏହି ଟିମ୍ ୟୁନିଟ୍-୨ ମାର୍କେଟ ପାର୍କିଂ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଚାଇନା ଏବଂ ରାଜ୍ ଏକ ସ୍କୁଟରରେ ଆସି ପାର୍କିଂ ଅଞ୍ଚଳରେ ବୁଲାବୁଲି କରିଥିଲେ । ପରେ ସେମାନେ ସ୍କୁଟର ରଖି ନକଲି ଚାବିରେ ପାର୍କିଂ ସ୍ଥଳରୁ ବାଇକ୍ ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ଟିମ୍ ଉଭୟଙ୍କୁ କାବୁ କରିଥିଲା । ଚାଇନାଙ୍କ ପକେଟରୁ ୩ଟି ନକଲି ବାଇକ୍ ଚାବି ଏବଂ ରାଜ୍ଙ୍କ ପକେଟରୁ ୪ଟି ନକଲି ଚାବି ମିଳିଥିଲା । ସେମାନେ ବ୍ୟବହାର କରୁଥିବା ସ୍କୁଟର ମଧ୍ୟ ଚୋରା ଏବଂ ସେଥିରେ ଜାଲି ନମ୍ବର ଲଗାଇ ବାଇକ୍ ଲୁଟୁଥିବା ଜଣା ପଡ଼ିଥିଲା । ଉଭୟଙ୍କୁ ଧରି ସେମାନଙ୍କ ନିକଟରୁ ଆଉ ୧୧ଟି ବାଇକ୍ ଜବତ ହୋଇଥିଲା । ତଦନ୍ତରୁ ଚାଇନାଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୭ ମାମଲା ଥିବାବେଳେ ରାଜ୍ ନାମରେ ୫ ମାମଲା ଥିବା ଜଣା ପଡ଼ିଥିଲା । ୨ ଜଣଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଛି । ଏମାନେ ଏପରି କେତେ ବାଇକ୍ ଚୋରି କାହାକୁ ବିକ୍ରି କରିଛନ୍ତି ସେ ନେଇ ତଦନ୍ତ ଜାରି ରହିଛି । ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି କମିଶନର ଶ୍ରୀ ସିଂହ କହିଛନ୍ତି ।