ପରଲୋକରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼: ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ବାଳ ଆଉ ନାହାନ୍ତି। ବୁଧବାର ଭୋର୍ସମୟରେ ୬୯ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ସ୍ବର୍ଗତ ବିଶ୍ବାଳ ସାରା ପଶ୍ଚିମ ଓଡ଼ିଶାରେ ‘ହିଲ୍ଲିପାଲିର ସେନାପତି’ ଭାବେ ବେଶ୍ ପରିଚିତ ଥିଲେ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ନାଟକ ପାର୍ଟିର ‘ସତୀ ମଉନାବତୀ’ ନାଟକରେ ସେନାପତି ଭୂମିକାରେ ସେ ବହୁବର୍ଷ ଧରି ଅଭିନୟ କରିଥିଲେ। ପରେ ସେ ନିଜେ ଉକ୍ତ ନାଟପାର୍ଟି ପରିଚାଳନା କରି ଆସୁଥିଲେ। ପ୍ରଖ୍ୟାତ ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ରେ ମଧ୍ୟ ସେ ଅଭିନୟ କରିଥିଲେ। ୧୯୮୦ ମସିହାରେ ସେ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣି ପାରିଥିଲେ। ସେ ଦୂରଦର୍ଶନର ଅନେକ ନାଟକରେ ମଧ୍ୟ ଅଭିନୟ କରି ଲୋକପ୍ରିୟ କଳାକାର ଭାବେ ଜଣାଶୁଣା ଥିଲେ। ଗତ କିଛିବର୍ଷ ହେଲା ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।

 

Comments are closed.