ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ।

ଭୁବନେଶ୍ୱର: ସ୍ବଚ୍ଛ ଭାରତ ମିଶନ ଅଧୀନରେ ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ହୋଇଥିଲା। ହେଲେ ଏହି ଶୌଚାଳୟ ନିର୍ମାଣ କେବଳ କାଗଜ କଲମରେ ହୋଇଥିବା ବେଳେ ବାସ୍ତବ ସ୍ଥିତି ଓଲଟା ବୋଲି ଅଭିେଯୋଗ ହୋଇଥିଲା। ଏହି ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ। ଆବେଦନର ଶୁଣାଣି କରି ଓଡିଶା ଲୋକାୟୁକ୍ତ ୨୧ ଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଟ୍ ୧୬ ଲକ୍ଷ ଟଙ୍କାର ଦୁର୍ନୀତି ମାମଲାରେ ୨୧ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ଲୋକାୟୁକ୍ତ ଏହି ୨୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରେ ଗୋପ ବ୍ଲକର ଦୁଇଜଣ ଇଞ୍ଜିନିୟର, ତିନିଟି ଏନଜିଓ ଏବଂ କିଛି ହିତାଧିକାରୀ ମଧ୍ୟ ରହିଛନ୍ତି।

ସୂଚନା ଅନୁସାରେ, ସ୍ଥାନୀୟ ବାସିନ୍ଦା ଗଙ୍ଗାଧର ପାଇକରାୟ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ତିଆରି ହେଉଥିବା ଶୌଚାଳୟରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ସରକାରୀ ଖାତା କଲମରେ ଗୋପ ବ୍ଲକ ଅନ୍ତର୍ଗତ ଅଣ୍ଡରା ଇଚ୍ଛାପୁର ପଞ୍ଚାୟତରେ ୭୫୦ ଶୌଚାଳୟ ନିର୍ମାଣ କରାଯାଇଥିବା ଦର୍ଶାଯାଇଛି। ହେଲେ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ଥିଲା। ତଦନ୍ତପରେ ଭିଜିଲାନ୍ସ ଲୋକାୟୁକ୍ତ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ଯେଉଁଥିରେ ୧୧୯ଟି ଶୌଚାଳୟ ନିର୍ମାଣ ପାଇଁ ନକଲି ବିଲ୍ ତିଆରି କରି ୧୬ ଲକ୍ଷରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା।

ଲୋକାୟୁକ୍ତ ଏହି ଦୁର୍ନୀତି ମାମଲାର ଶୁଣାଣି କରିବା ପରେ ଅଭିଯୋଗକାରୀ ଗଙ୍ଗାଧର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨୦୨୦ରେ ଶୌଚାଳୟ ନିର୍ମାଣରେ ଦୁର୍ନୀତି ସମ୍ପର୍କରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲି। ବର୍ତ୍ତମାନ ଏହାର ଶୁଣାଣି ହୋଇଛି। ଲୋକାୟୁକ୍ତ ୨୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଙ୍ଗାଧର କହିଛନ୍ତି।

Comments are closed.