ଗଜପତି,୨୯ .୮(ମନୋଜ ପାଢ଼ୀ) :-ଗଜପତି ଜିଲା କାଶୀନଗର ବ୍ଳକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ପଞ୍ଚାୟତର ସାରା ଗ୍ରାମ ନିକଟରେ ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ନିର୍ମାଣ ପାଇଁ ଓଡ଼ିଶା ଅଞ୍ଚଳର ୧୦୬ ଏକର ଜମି ଅଧିଗ୍ରହଣ ଓ ହସ୍ତାନ୍ତର ନିମନ୍ତେ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ବିରୋଧ ପ୍ରଦର୍ଶନ କରିଛନ୍ତି। ଆଜି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ମିଳିତ ଭାବେ ଜମି ଚିହ୍ନଟ କରିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ କୌଣସି କାରଣରୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା କାଶୀନଗର ତହସିଲଦାର ଶ୍ରୀ ସୁଧୀର ନନ୍ଦ ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଗଞ୍ଜାମ ଇନ୍ଭେଷ୍ଟିଗେସନ୍ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ କାଶୀନଗର ତହସିଲଦାରଙ୍କୁ ଚିଠି ଲେଖି ଜମି ଚିହ୍ନଟ ଓ ମିଳିତ ଯାଞ୍ଚ ନିମନ୍ତେ ତାରିଖ ଧାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହି ଖବର ଜଣାପଡ଼ିବା ପରେ କ୍ଷତିଗ୍ରସ୍ତ ଜମି ମାଲିକମାନେ ଜମି ଅଧିଗ୍ରହଣକୁ ବିରୋଧ କରିବା ପାଇଁ ଏକଜୁଟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଉତ୍କଳ ସମ୍ମିଳନୀ ଗଜପତି ଶାଖା ପକ୍ଷରୁ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତି, ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଶ୍ରୀ ମନୋଜ କୁମାର ପଣ୍ଡା, ସାମ୍ବାଦିକ ଶ୍ରୀ ଭାଗବତ ପାଢୀ, ଶ୍ରୀ ରାଜେନ୍ଦ୍ର କୁମାର ରଥ, ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ, ଶ୍ରୀ ଲୋକନାଥ ମିଶ୍ର, କୃଷକ ନେତା ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ବିସ୍ଥାପିତ ଜନସାଧାରଣଙ୍କ ସହିତ ପ୍ରଶାସନର ଆଲୋଚନା, ସୁରକ୍ଷା ଏବଂ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବି ଜଣାଇଥିଲେ।ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲର ଚୂଡ଼ାନ୍ତ ନିଷ୍ପତ୍ତି ଗତ ୩୦ ମାର୍ଚ୍ଚ ୨୦୨୬ରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତିର ଧାରା-୮ ଅନୁସାରେ ୩୦ ମାର୍ଚ୍ଚ ୨୦୨୭ ସୁଦ୍ଧା ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ରପ୍ରଦେଶ ସରକାରକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କାଶୀନଗର ତହସିଲଦାର ଓ ରାଜସ୍ବ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସରକାରଙ୍କ ନିର୍ଦ୍ଦେଶନାମା ସମ୍ପର୍କରେ ଅଞ୍ଚଳବାସୀଙ୍କୁ ଅବଗତ କରାଇଥିଲେ।ଜମି ଅଧିଗ୍ରହଣ ସୂଚନା ପାଇବା ପରେ ସମ୍ପୃକ୍ତ ଅଞ୍ଚଳବାସୀ ଭିଟାମାଟି, ଚାଷଜମି ଓ ବାସଗୃହ ହରାଇବା ନେଇ ଚିନ୍ତା ପ୍ରକଟ କରିଛନ୍ତି। କ୍ଷତିଗ୍ରସ୍ତଙ୍କ ସହିତ ସରକାର କିମ୍ବା କୌଣସି ପ୍ରତିନିଧି ଆଲୋଚନା କରି ନଥିବା ଅଭିଯୋଗ କରି ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି। ବଂଶଧାରା ଜଳ ବିବାଦକୁ ନେଇ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିଥିବା ବେଳେ ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ନେରେଡ଼ି ପ୍ରକଳ୍ପ ପାଇଁ ଏବେ ଜମି ଚିହ୍ନଟ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଅବସରରେ ସାରା ଗ୍ରାମରେ ଏକ ବୈଠକ ବଂଶଧାରା ବଞ୍ଚାଅ ଆନ୍ଦୋଳନର ସଭାପତି ଶ୍ରୀ ବ୍ରଜମୋହନ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତି ସଭ୍ୟ ଶ୍ରୀ ଜଗନ୍ନାଥ ଦୋରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା, ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ପ୍ରଦୀପ ନାୟକ, କାଶୀନଗର ବ୍ଳକର ବିଭିନ୍ନ ପଞ୍ଚାୟତର ପ୍ରତିନିଧି ପ୍ରମୁଖ ଯୋଗଦେଇ ନେରେଡି ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରିଥିଲେ।ପ୍ରଶାସନ ପକ୍ଷରୁ ଏହି ବିଷୟରେ ଜନସାଧାରଣଙ୍କ ସହିତ ଆଲୋଚନା କରିବା ପାଇଁ ଦାବି ଜଣାଇଥିଲେ। ଏହି ଅବସରରେ କାଶୀନଗର ବ୍ଳକ ଓ ପାରଳାଖେମୁଣ୍ଡି ଅଞ୍ଚଳରୁ ପଞ୍ଚାୟତ ରାଜ ପ୍ରତିନିଧିମାନେ ଯୋଗ ଦେଇ ପ୍ରକଳ୍ପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Comments are closed.