ଆର, ଉଦୟଗିରି,୨୯.୮(ମନୋଜ କୁମାର ପାଢୀ) : କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଉତ୍ସାହ ଓ ଆନନ୍ଦର ସହ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଶୃଙ୍ଖଳା, ଦଳଗତ ମନୋଭାବ ଓ ଶାରୀରିକ ସୁସ୍ଥତାର ବିକାଶ ଉଦ୍ଦେଶ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଶ୍ରୀ ଗିନୁ ରଇତା ଓ ଶ୍ରୀ ଦାମୋଦର ରଇତ ପରିଚାଳନା ଓ ତତ୍ତ୍ୱାବଧାନ କରିଥିଲେ।


ଏହି ଅବସରରେ କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜୁନିୟର ଓ ସିନିୟର ବିଭାଗର ବାଳକ ଏବଂ ବାଳିକାମାନଙ୍କ ପାଇଁ ପୃଥକ ଭାବେ ପ୍ରତିଯୋଗିତା କରାଯାଇଥିଲା। ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ପ୍ରତିଯୋଗିତାରେ ଭାଗ ନେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।
କ୍ରୀଡ଼ା ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ବିଦ୍ୟାଳୟର ଜୁନିୟର ରେଡ଼କ୍ରସ (JRC) ପରାମର୍ଶଦାତା ମୁକ୍ତିକାନ୍ତ ମଲ୍ଲିକ୍ ତୁରନ୍ତ ଆହତ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା (First Aid) ପ୍ରଦାନ କରିଥିଲେ। ଫଳରେ କ୍ରୀଡ଼ା ସମୟରେ ସୁରକ୍ଷା ଓ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ମଧ୍ୟ ପ୍ରତିଫଳିତ ହୋଇଥିଲା।
ପ୍ରତିଯୋଗିତା ଶେଷରେ ବିଭିନ୍ନ ବର୍ଗର କୃତୀ ଖେଳାଳି ଓ ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପୁରସ୍କାର ପାଇ ବିଜେତା ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇଥିବା ବେଳେ ଅନ୍ୟମାନେ ମଧ୍ୟ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ପାଇଥିଲେ।
କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ସହିତ ଦଳଗତ ଏକତା, ନେତୃତ୍ୱ ଗୁଣ ଓ ଶୃଙ୍ଖଳାବୋଧ ବିକଶିତ ହୁଏ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଶୃଙ୍ଖଳାବଦ୍ଧ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।