ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

0

ଭୁବନେଶ୍ବର: ରାଜ୍ୟର ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ପ୍ରଚାର ପର୍ବ ଶେଷ ହୋଇଥିବା ବେଳେ ପ୍ରାର୍ଥୀମାନଙ୍କ ପାଇଁ ଶେଷ ପର୍ଯ୍ୟାୟ ସଭା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆସନ୍ତାକାଲି ନୂତନ ଛାତ୍ର ନେତା ବଛାଯିବାକୁ ଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ବ୍ୟାପକ ସଜବାଜ ଓ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ଛାତ୍ରଛାତ୍ରୀ ଏବଂ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ନିମନ୍ତେ ଏକ ବିଶେଷ ଓ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଜାରି କରିଛନ୍ତି।

ମନ୍ତ୍ରୀ ନିଜ ବାର୍ତ୍ତାରେ ନିର୍ବାଚନ ମଇଦାନରେ ଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷାନୁଷ୍ଠାନ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆକୁଳ ନିବେଦନ କରିଛନ୍ତି। କୌଣସି ପ୍ରକାରର ହିଂସାକାଣ୍ଡ ନକରି ଏବଂ କାହାରି ଭୟଭୀତ ନହୋଇ ଗଣତନ୍ତ୍ରର ଏହି ବିଶାଳ ପର୍ବରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନକୁ ପୁନର୍ବାର ଆରମ୍ଭ କରାଯାଇ ଛାତ୍ର ନେତୃତ୍ୱକୁ ଉପଯୁକ୍ତ ସୁଯୋଗ ଯୋଗାଇ ଦିଆଯାଉଛି। କ୍ୟାମ୍ପସରୁ ବାହାରୁଥିବା ଏହି ଯୁବ ନେତାମାନେ ଆଗାମୀ ଦିନରେ ସମାଜ, ରାଜ୍ୟ ଏବଂ ସମଗ୍ର ଦେଶକୁ ସଠିକ୍ ଦିଗଦର୍ଶନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୋଲିସ ପ୍ରଶାସନ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିତ ଭାବେ ଏକ ବିଶେଷ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଏହି ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ଥିତି ଉପରେ ଚବିଶ ଘଣ୍ଟା କଡ଼ା ନଜର ରଖାଯାଉଛି। ନିର୍ବାଚନ ଯେପରି ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ ଭାବେ ଶେଷ ହେବ, ସେଥିପାଇଁ ବିଭାଗ ପକ୍ଷରୁ ନିରନ୍ତର ନିରୀକ୍ଷଣ କରାଯାଉଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.