ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଆଜି ଏକ ଭୟଙ୍କର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ବିସିଜେଡି ଏବଂ ଏବିଭିପି ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଗଣ୍ଡଗୋଳ ଓ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏହି ଘଟଣାକୁ ନେଇ ସମଗ୍ର ବିଶ୍ୱବିଦ୍ୟାଳୟ ପରିସରରେ ରୀତିମତ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ବିଶ୍ୱବିଦ୍ୟାଳୟ ଅଡ଼ିଟୋରିୟମ୍‌ରେ ଛାତ୍ର ସଂସଦ ପ୍ରାର୍ଥୀମାନଙ୍କ ପାଇଁ ଆୟୋଜିତ ଏକ ବିଶେଷ ସଭା ଚାଲିଥିବା ବେଳେ ହଠାତ୍ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ଏହି ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା ଏବଂ ଉଭୟ ପକ୍ଷର ପ୍ରାର୍ଥୀ ଓ ସମର୍ଥକମାନେ ଆକ୍ରମଣାତ୍ମକ ହୋଇପଡ଼ିଥିଲେ। କାର୍ଯ୍ୟକ୍ରମ ସ୍ଥଳରେ ଥିବା ଚେୟାର ସବୁକୁ ଭଙ୍ଗାରୁଜା କରିବା ସହ ପରସ୍ପର ଉପରକୁ ଚେୟାର ଫୋପଡ଼ାଫିଙ୍ଗି କରିଥିଲେ। ଫଳରେ ସଭାସ୍ଥଳରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ପୋଲିସ କମିଶନରେଟ୍‌ର ବରିଷ୍ଠ ଅଧିକାରୀ ଏବଂ ଡିସିପି ନିଜେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଉତ୍ତେଜିତ ଛାତ୍ରମାନେ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ନିଜର ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିପକ୍ଷ ଗୋଷ୍ଠୀ ବିରୋଧରେ ଗୁରୁତର ଅଭିଯୋଗ ଆଣି ଛାତ୍ରମାନେ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସେମାନଙ୍କୁ କ୍ରମାଗତ ଭାବେ ଧମକ ଦିଆଯାଉଛି। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ମଝିରେ ସେମାନଙ୍କ ସମର୍ଥକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି।

ମିଳିଥିବା ଅଭିଯୋଗ ଅନୁସାରେ, ଭୋଟ ନ ଦେଲେ ହଷ୍ଟେଲ ଭିତରେ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଛି। ବିସିଜେଡି ଛାତ୍ରମାନଙ୍କୁ ବିଭିନ୍ନ ଉପାୟରେ ଭୟଭୀତ କରାଯାଉଥିବା ନେଇ ପୋଲିସ ନିକଟରେ ଦାବି କରାଯାଇଛି। କ୍ୟାମ୍ପସରେ ଯେପରି ଅଧିକ ହିଂସା ନ ଘଟେ, ସେଥିପାଇଁ ବରିଷ୍ଠ ପୋଲିସ ଅଧିକାରୀମାନେ ଅସନ୍ତୁଷ୍ଟ ଛାତ୍ରଗୋଷ୍ଠୀଙ୍କୁ ବୁଝାସୁଝା କରି ଶାନ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି।

Leave A Reply

Your email address will not be published.