ଓଡ଼ିଶାବାସୀ ଦେଖିବେ ବାୟୁସେନାର ଚିତ୍ତାକର୍ଷକ ସୂର୍ଯ୍ୟକିରଣ ଶୋ।

ଭୁବନେଶ୍ବର : ଚଳିତ ମାସ ପୁରୀ ଏବଂ ରାଜଧାନୀରେ ଓଡ଼ିଶାବାସୀ ଦେଖିବେ ବାୟୁସେନାର ଚିତ୍ତାକର୍ଷକ ସୂର୍ଯ୍ୟକିରଣ ଶୋ। ପୁରୀ ରାଜଭବନ ନିକଟବର୍ତ୍ତୀ ସମୁଦ୍ରତଟରେ ଏହି ଚିତ୍ତାକର୍ଷକ ଶୋ ପ୍ରଦର୍ଶିତ ହେବାକୁ ଥିବାବେଳେ ଭୁବନେଶ୍ବର କୁଆଖାଇ ନଦୀଶଯ୍ୟାରେ ଏହି ଶୋ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ସୂର୍ଯ୍ୟକିରଣ ଶୋ ପ୍ରଦର୍ଶନ ନିମନ୍ତେ ବାୟୁସେନା ୨୦୨୨-୨୩ କ୍ୟାଲେଣ୍ଡରରେ ପୁରୀ ଓ ଭୁବନେଶ୍ବରକୁ ସ୍ଥାନ ଦେଇଛି। ଅଦ୍ୟାବଧି ପୁରୀ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇ ସାରିଛି; କିନ୍ତୁ ଭୁବନେଶ୍ବର ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇ ନ ଥିଲେ ମଧ୍ୟ ଆଗକୁ ବାୟୁସେନା ପକ୍ଷରୁ ସ୍ଥିର କରାଯିବ ବୋଲି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି।
ସେପ୍ଟେମ୍ବର ୧୬ରେ ଭୁବନେଶ୍ୱର କୁଆଖାଇ ନଦୀଶଯ୍ୟାରେ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହେବ। ବାୟୁସେନାର ୯ ଏୟାରକ୍ରାଫ୍ଟ ଏହି ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରିବ। ପ୍ରାୟ ୨୦ରୁ ୨୫ ମିନିଟ ଧରି ଶୋ ଚାଲିବ। ନଦୀଶଯ୍ୟାର ଉଭୟ ପାର୍ଶ୍ବରେ ଲୋକେ ଠିଆ ହୋଇ ଏହା ଦେଖିପାରିବେ। ସେପ୍ଟେମ୍ବର ୧୮ରେ ପୁରୀ ରାଜଭବନ ଉପରେ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ କରାଯିବ। ଉଭୟ ସ୍ଥାନ ପାଇଁ ୯ଟି ଲେଖାଏଁ ଏୟାରକ୍ରାଫ୍ଟ ଥିବାବେଳେ ୨ଟି ଜରୁରୀକାଳୀନ ପାଇଁ ରଖାଯିବ। ପ୍ରାୟ ୨୦ଜଣ ପାଇଲଟ ପ୍ରଦର୍ଶନ କରିବେ। ଏହି ଶୋ ପ୍ରଦର୍ଶନ କରିବା ପାଇଁ ଅନୁକୂଳ ପାଗକୁ ଦେଖି ନିଷ୍ପତ୍ତି ନିଆଯାଏ।
ସୂଚନାଯୋଗ୍ୟ, ପୂର୍ବରୁ ୨୦୧୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶହେତମ ଜନ୍ମବାର୍ଷିକୀ ପାଳନ ଅବସରରେ କଟକସ୍ଥିତ ମହାନଦୀ କାଠଯୋଡ଼ି ପଠାରେ ସୂର୍ଯ୍ୟକିରଣ ଏରୋଟିକ୍ସ ଶୋ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତତ୍‌କାଳୀନ ରାଜ୍ୟପାଳ, ବହୁ ନେତା, ମନ୍ତ୍ରୀ ଏହି ଉତ୍ସବରେ ସାମିଲ ହୋଇଥିଲେ। ସୂର୍ଯ୍ୟକିରଣ ଓ ସାରଙ୍ଗ ଏରୋବେଟିକ୍ସ ସମେତ ଆକାଶଗଙ୍ଗା ପାରାଟ୍ରୁପ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Comments are closed.