ପ୍ରେମମୟୀ ରାଧା

ଅର୍ଜୁନୀ ଚରଣ ବେହେରା

ନମଃ ବୃନ୍ଦାବନେଶ୍ୱରୀ ପ୍ରେମମୟୀ ରାଧା l
ତୋର ପ୍ରେମବିନା ମାତ ଜୀବନଟା ଅଧା ll
ତପ୍ତକାଞ୍ଚନ ଗୌରଙ୍ଗୀ ଶ୍ରୀମତୀ ରାଧିକା l
ତଵ ନାମେ ବାଜେ ମଧୁବନ ବଂଶୀ ଏକା ll
ରାଧାକୃଷ୍ଣ ଏକ ବିଜେ ଦୁଇ ଗୋଟି ଫାଳ l
ରାଧା ବିନା କୃଷ୍ଣ କାହିଁ ଶ୍ରୀନନ୍ଦଗୋପାଳ ll
କୃଷ୍ଣ ନ ମିଳନ୍ତି ଛାଡ଼ି ରାଧା ରାସେଶ୍ୱରୀ l
ଜୟ ଜୟ ପ୍ରେମମୂର୍ତ୍ତୀ ଜୟ ରାଧାହରି ll
ତୁମ ନାମେ ଗୋପପୁରେ ବାଜଇ ବାଇଦ l
କୁଳଟା,ବାୟାଣୀ ଯଥା କେତେ ଅପବାଦ ll
କୃଷ୍ଣେ ସମର୍ପିତ ପ୍ରାଣ କୃଷ୍ଣ ପ୍ରାଣେଶ୍ୱରୀ l
ତମାଳ କଦମ୍ବ କୁଞ୍ଜେ ରାସ ରଚେ ହରି ll
ଗୋଲକମଣ୍ଡଳେ ମାତ କରୁ ଦିବ୍ୟ ବାସ l
ଗୋଲକରେ ଲାଗିଅଛି ଅଖଣ୍ଡ ରାହାସ ll
ଆରାଧନା ନାମ ସିନା ନାମ ତାର ରାଧା l
ରାଧା ନାମ ଉଚ୍ଚାରଣେ ହରେ ଭଵ ବାଧା ll
ମୁଣ୍ଡେ ମୋର ପଡ଼ୁ ସଦା ରାହାସର ଧୂଳି l
ଅପ୍ରାକୃତ ପ୍ରେମ ମୂର୍ତ୍ତୀ ରାଧା ବନମାଳୀ ll
ତଵ କରୁଣା ହୋଇଲେ ଯାଇ ବୃନ୍ଦାବନ l
ରାଧେ ରାଧେ କଳା କାହ୍ନୁ କରିବି ଦର୍ଶନ ll
ଜୟ ଶ୍ରୀରାଧେ ଗୋବିନ୍ଦ ଯୁଗଳ ମୂରତି l
ତଵ ଛନ୍ଦା ଚରଣରେ ରହୁ ମୋର ମତି ll
🙏🙏🙏
ଅର୍ଜୁନୀ
————-

Comments are closed.