ମାଞ୍ଚେଷ୍ଟର, ତା ୦୮.୦୯.ରିଖ ; ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ କିଙ୍ଗଡମ (ଓସୁକ) ର ୪୭ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ମାଞ୍ଚେଷ୍ଟରର ଡିଡ୍ସବରୀ ଅନ୍ତର୍ଗତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ପାର୍ସ୍ ଉଡ୍ ସ୍କୁଲ ପରିସରକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା। ଡକ୍ଟର ସାଧନା ଭଟନାଗର ଙ୍କର ତତ୍ତ୍ୱାବଧାନରେ ଗୁରଶବଦ କୌର ଓ ପରବ୍ରହ୍ମ ସିଂହ ଏହି ସାଜସଜ୍ଜା ସମ୍ପନ୍ନ କରିଥିଲେ। ଇଂଲଣ୍ଡ , ଆୟରଲ୍ୟାଣ୍ଡ ଓ ବିଦେଶରୁ ଆସିଥିବା ଓସୁକର ପ୍ରାୟ ଏକ ହଜାର ସଦସ୍ୟ, ପଦାଧିକାରୀ ଓ ଶୁଭେଚ୍ଛୁ ତଥା ସେମାନଙ୍କର ପରିବାର ବର୍ଗ ଏହି ଦୁଇ ଦିନିଆ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଶିଖ୍ ସମ୍ପ୍ରଦାୟର ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଏହି ମହା ଅଧିବେଶନର ମୁଖ୍ୟ ଆୟୋଜକ ମାଞ୍ଚେଷ୍ଟର ଠାରେ ଅବସ୍ଥାପିତ ଖ୍ୟାତନାମା ଚିକିତ୍ସକ ତଥା ଭଜନ ଗାୟକ ଦମ୍ପତି ଡକ୍ଟର ରାଜିନ୍ଦର ପାଲ ସିଂହ ଓ ଡକ୍ଟର କପିଲମୀତ କୌର ଥିଲେ।




ଡକ୍ଟର ଅଞ୍ଜନା ଶତପଥୀଙ୍କ ଦ୍ୱାରା ନିର୍ମିତ ଏକ ସୁଶୋଭିତ ରଥ ଉପରେ ବିରାଜମାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପରମ୍ପରାଗତ ଦୀପ ପ୍ରଜ୍ଜ୍ୱଳନ ସହିତ ସମ୍ମିଳନୀର ଶୁଭାରମ୍ଭ ହୋଇଥିଲା। ଉଦ୍ଘାଟନୀ ସଂଗୀତ ଭାବରେ ମୌସୁମୀ ମିଶ୍ର ଓ ତାଙ୍କ ସାଥି ମାନଙ୍କ ଦ୍ୱାରା “ଦୀନବନ୍ଧୁ ଦୈତାରୀ” ଗାୟନ କରାଯାଇଥିଲା। ଓସୁକର ସଭାପତି ବିଶ୍ୱଜୀତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରି ୟୁକେର ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ଓସୁକର କାର୍ଯ୍ୟକ୍ରମ ଗୁଡ଼ିକ ପ୍ରତି ପ୍ରଦତ୍ତ ବିପୁଳ ସମର୍ଥନ ଓ ବ୍ୟାପକ ସହଯୋଗକୁ ଭୁୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମ୍ୟାଞ୍ଚେଷ୍ଟରସ୍ଥିତ ଭାରତର କନସୁଲ ଜେନେରାଲ ବିଶାଖା ଯଦୁବଂଶ ଏହି ଅନନ୍ୟ କାର୍ଯ୍ୟକ୍ରମର ସମୃଦ୍ଧ ଓ ସମାବେଶୀ ଭାବନାକୁ ପସନ୍ଦ କରିଥିଲେ। ସମ୍ମାନିତ ଅତିଥି ବ୍ରିଟିଶ ଆସୋସିଏସନ ଅଫ ଫିଜିସିଆନ୍ସ ଅଫ ଇଣ୍ଡିଆନ ଅରିଜିନର ପୂର୍ବତନ ସଭାପତି ପ୍ରଫେସର ଜାସ ବମରା ଗିଦ୍ଧା ପ୍ରଦର୍ଶନକୁ ସର୍ବୋତ୍ତମ ବୋଲି କହିଥିଲେ। ପତ୍ରିକା ସମ୍ପାଦକ ଡକ୍ଟର ରାଜିନ୍ଦର ପାଲ ସିଂହଙ୍କ ଦ୍ୱାରା ପରିକଳ୍ପିତ ଓ ସମ୍ପାଦିତ “କଳିଙ୍ଗ କେସରୀ” ନାମକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।



“ପୁରୀ ରୁ ପଞ୍ଜାବ” ଶୀର୍ଷକ ଦୃଶ୍ୟ-ଶ୍ରବ୍ୟ ଉପସ୍ଥାପନା ସମାବେଶର ମୁଖ୍ୟ ଆକର୍ଷଣ ଥିଲା। ଏଥିରେ ଓଡ଼ିଶା ଓ ଶିଖ ଧର୍ମ ମଧ୍ୟରେ ରହିଥିବା ଐତିହାସିକ ଓ ଆଧ୍ୟାତ୍ମିକ ସମ୍ପର୍କ ଚିତ୍ରିତ ହୋଇଥିଲା।ଡକ୍ଟର ରାଜିନ୍ଦର ପାଲ ସିଂହ ଡକ୍ୟୁମେଣ୍ଟାରୀରେ ଡକ୍ଟର କପିଲମୀତ କୌର ଓ ଦର୍ସପ୍ରୀତ ସିଂହଙ୍କ ସହିତ ମିଶି ଗୁରୁ ନାନକ ଦେବଙ୍କର ପୁରୀ ଯାତ୍ରାର ଆଧ୍ୟାତ୍ମିକ ଦିଗକୁ ଖୁବ ନିଖୁଣ ଭାବରେ ଅବତାରଣା କରିଛନ୍ତି। ସେମାନେ ଶିଖ ଧର୍ମର ଜଗନ୍ନାଥ ଧାମ ସହିତ ଥିବା ନିବିଡ଼ ସମ୍ପର୍କକୁ ଉଲ୍ଲେଖ କରି ପୁରୀକୁ ପ୍ରତିନିଧିତ୍ୱ କରୁଥିବା ହିମ୍ମତ ରାୟ ପରେ ପଞ୍ଜ ପ୍ୟାରେଙ୍କ ମଧ୍ୟରୁ ଜଣେ ଭାଇ ହିମ୍ମତ ସିଂହ ଭାବରେ ପରିଚିତ ହୋଇଥିବା ଏଥିରେ ଦର୍ଶାଇଛନ୍ତି।
ଏଜିଏମ୍ ବୈଠକରେ ଓସୁକର ସମ୍ପାଦକ ସୁକାନ୍ତ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ କିଶୋର ଦାଶ ଙ୍କ ଦ୍ୱାରା ଉପସ୍ଥାପିତ ଆର୍ଥିକ ହିସାବ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା।



ଡକ୍ଟର ରାଜିନ୍ଦର ପାଲ ସିଂହ, କର୍କଟ ରୋଗ ସହିତ ଆତ୍ମବିଶ୍ୱାସର ସହ ଲଢ଼ିଥିବା ବ୍ୟକ୍ତି ଏବଂ କର୍କଟକୁ ପ୍ରତିରୋଧ କରିବାରେ ଅବଦାନ ଥିବା ଚିକିତ୍ସକମାନଙ୍କର ବିଷୟବସ୍ତୁକୁ ନେଇ ଅନ୍ୟ ଏକ ପାୱାର ପଏଣ୍ଟ ଉପସ୍ଥାପନା ପ୍ରସ୍ତୁତ କରିଥିଲେ। ଏହି ଉପସ୍ଥାପନାରେ ପ୍ରଫେସର ସରୋଜ ଦାସ, ପ୍ରଫେସର ଶିବ ସେନାପତି, ଡକ୍ଟର ଅଞ୍ଜନା ଶତପଥୀ ଓ ପ୍ରଫେସର ଉଷା ରାଉତଙ୍କ ବ୍ୟକ୍ତିଗତ ପ୍ରତିବଦ୍ଧତା ଓ ପେଶାଦାରୀ ଦାୟିତ୍ୱବୋଧତାକୁ ବେଶ ପ୍ରଭାବୀ ଢଙ୍ଗରେ ପ୍ରଦର୍ଶନ କରାଯାଇଥିଲା। ୱାର୍ଲ୍ଡ କ୍ୟାନସର କେୟାରର କୁଲୱନ୍ତ ସିଂହ ଢାଲିୱାଲ କର୍କଟ ସଚେତନତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଡକ୍ଟର ସାହଦେବ ସ୍ୱାଇଁ, ରେଖା ସେନାପତି ଓ ଶାଢ଼ୀ ପିନ୍ଧି ମାରାଥନ ଦୌଡ଼ିଥିବା ମଧୁସ୍ମିତା ଜେନାଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା।
ଯେ ପ୍ରଫେସର ନାଡେ ହାକିମଙ୍କ ଉତ୍କର୍ଷ ପୁରସ୍କାର ଶୀଘ୍ର ବିଜେତାମାନଙ୍କୁ ପ୍ରଦାନ କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।
ସମ୍ମିଳନୀରେ ପଙ୍କଜ କୁମାର ପଟ୍ଟନାୟକ, ଡକ୍ଟର ମଧୁ କୁଣ୍ଡୁ, ଡକ୍ଟର ସଞ୍ଜୟ ରାୟ, ଡକ୍ଟର କୈଳାଶ ମହାନ୍ତି ଓ ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଶିକାରମାନଙ୍କ ସ୍ମୃତିରେ ଏକ ମିନିଟ ନୀରବତା ଅବଲମ୍ବନ କରାଯାଇଥିଲା।



ମହୋତ୍ସବର ମୁଖ୍ୟ ଆକର୍ଷଣ ଭାରତ ଓ ଇଂଲଣ୍ଡର ବହୁ ଉଦୀୟମାନ ତଥା ଖ୍ୟାତନାମା କଳାକାର ମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ଓଡ଼ିଶା ଓ ପଞ୍ଜାବର ମହାନତା ଏବଂ ମହନୀୟତାକୁ ଭବ୍ୟ ଢ଼ଙ୍ଗରେ ପ୍ରଦର୍ଶନ କରିବା ଏହି ଆୟୋଜନର ମୁଖ୍ୟ ଲକ୍ଷ ଥିଲା। ତଦନୁସାରେ ସାଂସ୍କୃତିକ ଉପସ୍ଥାପନାଗୁଡ଼ିକ ଭାରତର ସମୃଦ୍ଧ କଳା, ଜୀବନ୍ତ ସଂସ୍କୃତି ଓ ଉନ୍ନତ ଐତିହ୍ୟର ବିବିଧତାକୁ ଗୌରବାନ୍ୱିତ କରିବା ଉପରେ ଆଧାରିତ ଥିଲା।
ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ସାଶ୍ୱତ ଜୋଶୀ ଓ ତାଙ୍କ ଦଳ ଓଡ଼ିଶାର ଶାସ୍ତ୍ରୀୟ ଓ ଲୋକପରମ୍ପରା ଉପରେ ଆଧାରିତ ଅନେକ ସଂରଚନା ପ୍ରଦର୍ଶନ କରିଥିଲେ । ଏହି ପ୍ରସ୍ତୁତି ଗୁଡ଼ିକରେ ଭାଗ୍ୟଲିପି ମଲ୍ଲ, ଜୟଶ୍ରୀ ଧଳ, ଜାୟା, ସାଗରିକା ମହାନ୍ତି ଓ ସୋନାଲ ଆଚାର୍ଯ୍ୟ ପ୍ରମୂଖଙ୍କର ଯୋଗଦାନ ରହିଥିଲା। ପ୍ରତିଭାଶାଳୀ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରେମାନନ୍ଦ ସାହୁ, ଉଦୀୟମାନ ନୃତ୍ୟାଙ୍ଗନା ପ୍ରାଞ୍ଜଳ ନନ୍ଦ, କଥକ ନୃତ୍ୟଶିଳ୍ପୀ କାଜଲ ଶର୍ମାଙ୍କ ଛାତ୍ରୀ ସାନ୍ୱୀ, ଗୁର୍ଶବଦ ଓ ମିରାଣ୍ଡା, ସ୍କୁଲରେ ଡ଼ଃ ସଂଗୀତା ଦାସଙ୍କର ଅନ୍ତାକ୍ଷରୀ ତଥା ନର୍ଥ-ୱେଷ୍ଟ ଲେଡିଜଙ୍କର ଗୋଷ୍ଠୀ ନୃତ୍ୟ ମଧ୍ୟ ଉଚ୍ଚମାନର ଥିଲା। ଡକ୍ଟର ଅଞ୍ଜନା ଶତପଥୀଙ୍କ ଦ୍ୱାରା ଲିଖିତ, ନିର୍ଦ୍ଦେଶିତ ଓ ଅଭିନୀତ ନୃତ୍ୟ ନାଟିକା “ସାଲବେଗ” ଓ ଡକ୍ଟର କାଳୀ ମିଶ୍ରଙ୍କ ଦ୍ୱାରା ମଞ୍ଚସ୍ଥ ବ୍ୟଙ୍ଗାତ୍ମକ ନାଟକ “ପାନ ଦୋକାନ” ଦର୍ଶକମାନଙ୍କ ଦ୍ୱାରା ବହୁତ ଆଦୃତ ହୋଇଥିଲା।
ପ୍ରସିଦ୍ଧ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ବିଜୟ ରାଜପୁତ , ତାଙ୍କ ପୁତ୍ର ଜୟ ରାଜପୁତଙ୍କ ତବଲା ଓ ଡକ୍ଟର କପିଲମୀତ କୌରଙ୍କ ହାରମୋନିୟମ ସହଯୋଗରେ ଏକ ଭାବଗର୍ଭକ ଗାୟନ ପ୍ରସ୍ତୁତ କରିଥିଲେ। ଡକ୍ଟର କପିଲମୀତ କୌରଙ୍କ ନେତୃତ୍ୱରେ ପରିବେଷିତ ଖୁବ ଚିତ୍ତାକର୍ଷକ ଗିଦ୍ଧା ଓ ବର୍ମିଙ୍ଘାମ ଭିତ୍ତିକ ଗବ୍ରୁ ପଞ୍ଜାବ ଦେଙ୍କ ଦ୍ୱାରା ପ୍ରସ୍ତୁତ ଉଚ୍ଚ କୋଟୀର ଭାଙ୍ଗଡ଼ା ନୃତ୍ୟ ବେଶ ମନୋରଞ୍ଜକ ଥିଲା।
କ୍ରୀଡ଼ା ପ୍ରତିଯୋଗିତା ଓ ପୁରସ୍କାର ବଣ୍ଟନ ରଶ୍ମି ନନ୍ଦଙ୍କ ଦ୍ୱାରା ସଞ୍ଚାଳିତ ହୋଇଥିଲା। ଡକ୍ଟର ଜୟଶ୍ରୀ ନନ୍ଦ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଚ୍ଚିତ୍ରକଳା ଓ ହସ୍ତକଳା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।
ଉତ୍ସବ ପ୍ରେକ୍ଷାଳୟ ବାହାରେ ବେଲ୍ଟନ ଭିଲା ଫାର୍ମସକୁ ପିକ ଡିଷ୍ଟ୍ରିକ୍ଟ ଭ୍ରମଣ ମାଧ୍ୟମରେ ମଧ୍ୟ ବିସ୍ତାରିତ ହୋଇଥିଲା। ଅଂଶଗ୍ରହଣକାରୀମାନେ ଲିପ୍ସିତା ପଟ୍ଟନାୟକ ଓ ରବିନ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ମଜାଦାର ୧୦୦ ମିଟର ଲେମ୍ବୁ ଏବଂ ଚାମଚ ଦୌଡ଼ରେ ଭାଗ ନେଇଥିଲେ। ସେମାନେ ଆୟରଲ୍ୟାଣ୍ଡ ନିବାସୀ ସଞ୍ଜୀବ ବାରିକଙ୍କ ଦ୍ୱାରା ପରିକଳ୍ପିତ ଏକ ତାତ୍କାଳୀକ ଅନ୍ତାକ୍ଷରୀର ଆନନ୍ଦ ଉପଭୋଗ କରିଥିଲେ। ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ପ୍ରତିନିଧିମାନଙ୍କ ସମ୍ମୁଖରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ।
ମଞ୍ଚ ପରିଚାଳନା କିଶୋର ଦାସ, ଦୁର୍ଗେଶ ନନ୍ଦିନୀ ଓ ସିବାନୀ ପାଣିଗ୍ରାହୀଙ୍କ ଦ୍ୱାରା ସୁଚାରୁରୂପେ ସମାପନ ହୋଇଥିଲା। ସମ୍ମିଳନୀ ଆୟୋଜନରେ ଓସୁକର ସାଂସ୍କୃତିକ ସମ୍ପାଦକ ଅନୁଶ୍ରୀ ପଟ୍ଟନାୟକ, ଆଇଟି ସମ୍ପାଦକ ବିଶାଳ ମାୟୋ ଓ ଯୁବ ସଦସ୍ୟ ଅର୍ଶିୟା ଓ ପ୍ରିୟେଶ ପ୍ରମୁଖ ସକ୍ରୀୟ ଭୂମିକା ନିର୍ବାହ କରିଥିଲେ । ସଂଗଠକ ମାନେ ସୁନାମଧନ୍ୟ ସମାଜସେବୀ ତଥା ଏଜୁକେଟ ପଞ୍ଜାବ ପ୍ରକଳ୍ପର ପ୍ରତିଷ୍ଠାତା ଜସୱିନ୍ଦର ସିଂହ କୋହଲି, ଚିଲିକା ରେଷ୍ଟୁରାଣ୍ଟର ପାର୍ଥ ପଣ୍ଡା ଓ ଅରୁଣ କର, ଭଏସ ୟୁକେର ପ୍ରତିନିଧି ଡକ୍ଟର ପୂନମ କାକ୍କର ଓ ଡକ୍ଟର ରବି କାକ୍କର, ଡକ୍ଟର ଆଶିଷ ବେହୁରା, ଡକ୍ଟର ବଞ୍ଚିତା ସାହୁ, ଜୈନ ସମ୍ପ୍ରଦାୟରୁ ଡକ୍ଟର କୀର୍ତ୍ତି ଜାସାନୀ, ହିନ୍ଦୁ ସୋସାଇଟିରୁ ଡକ୍ଟର ରବି ସୁରଙ୍ଗେ, ସୁସ୍ମିତା ରାଜହଂସ, ଆଶିଷ ରାଜହଂସ, ଆୟରଲ୍ୟାଣ୍ଡରୁ ଡକ୍ଟର ଅମନପ୍ରୀତ ସିଂହ ଓ ସଞ୍ଜୀବ ବାରିକ ତଥା ଲିଡସରୁ ସୁଭାସିସ ସ୍ୱାଇଁଙ୍କର ସାହାଯ୍ୟ ଓ ସହଯୋଗକୁ ସ୍ୱୀକାର କରିଥିଲେ। ସମ୍ମିଳନୀ ଡିଏନ ହୋମସ ଓ ଏକ୍ସ ବ୍ୟାଙ୍କର୍ସ ଅଫ ଓଡ଼ିଶା ଦ୍ୱାରା ପ୍ରାୟୋଜିତ ହୋଇଥିଲା।