କୋରାପୁଟ, ୦୭ ଅଗଷ୍ଟ: ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର ଜିଲ୍ଲା ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଶିକ୍ଷକ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୪ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଦାବିପତ୍ର ଗ୍ରହଣ କରିଥିଲେ। ପରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୂଏଙ୍କ ମାଧ୍ୟମରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା।
ପ୍ରତିବାଦ ସଭାରେ ବକ୍ତାମାନେ କହିଥିଲେ ଯେ, ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ପୂର୍ତ୍ତି ହୋଇଥିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ବିଭିନ୍ନ ଦାବି ପ୍ରତି ସରକାର ନୀରବ ରହିଛନ୍ତି। ଫଳରେ ଶିକ୍ଷକ ସମାଜ ଆନ୍ଦୋଳନର ପଥ ବାଛିବାକୁ ବାଧ୍ୟ ହୋଇଛି।

ସମିତିର ପ୍ରମୁଖ ଦାବି ମଧ୍ୟରେ ୨୦୧୩ ଅନୁଦାନ ଆଇନରୁ ବାଦ ପଡ଼ିଥିବା ୧୯୪ଟି ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-କର୍ମଚାରୀଙ୍କ ପାଇଁ ଚାକିରି ସର୍ତ୍ତାବଳୀ, ପେନ୍ସନ ଓ ଅବସରକାଳୀନ ସୁବିଧା, ଖାଲି ପଦବୀ ପୂରଣ, ଗ୍ରେଡ୍ ପେରେ ଥିବା ଅସଙ୍ଗତି ଦୂରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନୋସନାଲ ଇନ୍କ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଟିଜିଟି ସ୍କେଲ ପ୍ରଦାନ, ସମସ୍ତ ଶିକ୍ଷାନୁଷ୍ଠାନରେ ସମାନ ସୁବିଧା ଏବଂ ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ସାମିଲ ରହିଛି।

ସମିତି ପକ୍ଷରୁ ସତର୍କ କରାଯାଇଛି ଯେ, ଯଦି ଆସନ୍ତା ୧୫ ଅଗଷ୍ଟ ସୁଦ୍ଧା ସରକାର କୌଣସି ସକାରାତ୍ମକ ନିଷ୍ପତ୍ତି ନ ନିଅନ୍ତି, ତେବେ ୧୬ ଅଗଷ୍ଟରେ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ବିଶାଳ ରାଲି, ମହାସମାବେଶ ଓ ଅହୋରାତ୍ର ଧାରଣା ଦିଆଯିବ ବୋଲି ସମିତି ଘୋଷଣା କରିଛି।
ଏହି ସଭାରେ ଜିଲ୍ଲା ସଭାପତି ସୁଶାନ୍ତ କୁମାର ଖୁଣ୍ଟିଆ ସଭାପତିତ୍ୱ କରିଥିଲେ। ରାଜ୍ୟ ଉପସଭାପତି ବିଜୟ କୁମାର ଭଟ୍ଟ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ରାଓ, ଫକୀର ଚରଣ ଖୁଣ୍ଟିଆ, ମନୋଜ କୁମାର ମହାପାତ୍ର, ଦେବେନ୍ଦ୍ର କୁମାର ବୈଦ୍ୟ, ଜିଲ୍ଲା ସହ-ସମ୍ପାଦକ ଭଞ୍ଜ କିଶୋର ରାଉତ, ମଧୁସୂଦନ ଜେନା, ଗତିକୃଷ୍ଣ ବାରିକ, ସୁଶୀଲ ନନ୍ଦ, ଭିକାରି ବିଶ୍ୱାଳ, ସୁରେଶ କୁମାର ପ୍ରଧାନ, ଧାରିଣୀଧର ବିଶୋଇ, ବଳରାମ ଖରା, ରବୀନ୍ଦ୍ର ସାହୁ, ମନୋଜ ଦାସ, ଅରବିନ୍ଦ ସ୍ୱାଇଁ, ନାଗେଶ୍ୱର ଦୋରାଙ୍କ ସମେତ ୧୪ଟି ବ୍ଲକର ସଭାପତି, ସମ୍ପାଦକ, ଜିଲ୍ଲା ପଦାଧିକାରୀ ଏବଂ ୧୦୦ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଯୋଗଦେଇଥିଲେ।
କୋରାପୁଟରୁ ସତ୍ୟ ଶୋଭନ ସିଂ ଙ୍କ ରିପୋର୍ଟ