‘ସପ୍ତାହକୁ ଥରେ ହାତବୁଣା ବସ୍ତ୍ର ପିନ୍ଧ’ ; ରାଜ୍ୟସ୍ତରୀୟ ହସ୍ତତନ୍ତ ଦିବସରେ ରାଜ୍ୟପାଳଙ୍କ ଆହ୍ବାନ

0

ଭୁବନେଶ୍ୱର : ହସ୍ତତନ୍ତକୁ ଜୀବନଶୈଳୀର ଅଂଶ କରିବା ସହ ସପ୍ତାହକୁ ଅନ୍ତତଃ ଥରେ ହାତବୁଣା ବସ୍ତ୍ର ପରିଧାନ କରି ବୁଣାକାରଙ୍କୁ ସମର୍ଥନ ଦେବା ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଦ୍ୱାଦଶ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଥିଲେ, ସରକାରୀ ଅଧିକାରୀ, ଜନପ୍ରତିନିଧି, ଶିକ୍ଷକ, ବିଭିନ୍ନ କ୍ଷେତ୍ରର ପେସାଦାର ଓ ଯୁବପିଢ଼ି ଓଡ଼ିଶାର ହସ୍ତତନ୍ତ ଉତ୍ପାଦକୁ ବ୍ୟବହାର କରି ଉଦାହରଣ ସୃଷ୍ଟି କରିବା ଉଚିତ। ଏହା ରାଜ୍ୟର ହଜାର ହଜାର ବୁଣାକାର ପରିବାରକୁ ସହାୟତା କରିବାରେ ଏକ ବଡ଼ ଆନ୍ଦୋଳନର ରୂପ ନେଇପାରିବ।


କାର୍ଯ୍ୟକ୍ରମରେ ‘କୁସୁମ୍-ହଜିଯାଇଥିବା ବସ୍ତ୍ରର ପୁନରୁଦ୍ଧାର’ ଓ ‘କରୁଣା ସିଲ୍କ’ ଉପରେ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଜଗତସିଂହପୁରର କାଷ୍ଟା ହସ୍ତତନ୍ତ ଭବନ, ଯାଜପୁର ସୁକିନ୍ଦାରେ ଟସର ସିଲ୍କ ପାର୍କ (ପ୍ରଥମ ପର୍ଯ୍ୟାୟ) ଓ ଟସର ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଖୋରଧା ରାଉତପଡ଼ାସ୍ଥିତ ଫ୍ୟାବ୍ରିକ କ୍ୟାଲେଣ୍ଡରିଂ ୟୁନିଟ୍‌ର ଆଭାସି ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ଗ୍ରାସିମ୍ ଇଣ୍ଡିଆ ଲିମିଟେଡ୍‌, ଜୁବି’ସ୍ ଡିଜାଇନର ଷ୍ଟୁଡିଓ ଓ ଆମାଜନ କାରିଗର ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଥିଲା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ୨୦୨୫-୨୬ ବର୍ଷର କାର୍ଯ୍ୟାବଳୀ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ। ବିଭାଗୀୟ ସଚିବ ଗୁହା ପୁନମ ତାପସ କୁମାର ସ୍ୱାଗତଭାଷଣ ଓ ବୟନ ଓ ହସ୍ତତନ୍ତ ନିର୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.