ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ସ୍ଥିତ ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସମ୍ମୁଖରେ ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ଜଡ଼ିତ ଏକ ପ୍ରତିଭାବାନ, ଆକାଂକ୍ଷୀ ପିଢ଼ି ଉପସ୍ଥିତ ଅଛନ୍ତି। ସେମାନେ ଏହି ପ୍ରତିଷ୍ଠାନର ୭୫ ବର୍ଷର ଯାତ୍ରାର ଉତ୍ସବକୁ ପାଳନ କରିବା ଓ ଏହାର ଐତିହ୍ୟକୁ ସମ୍ମାନ ଦେବାକୁ ଏକତ୍ର ହୋଇଛନ୍ତି। ୭୫ ବର୍ଷ ମଧ୍ୟରେ ଆଇଆଇଟି ଖଡ଼ଗପୁର ସୃଷ୍ଟି କରିଥିବା ଅନେକ ମାଇଲଖୁଣ୍ଟ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ଏହି ସମୟରେ ଭାରତ ଶଗଡଗାଡ଼ିରୁ ବୁଲେଟ୍ ଟ୍ରେନ୍ ଏବଂ ଡାକ ଚିଠିରୁ ସୋସିଆଲ୍ ମିଡିଆ ବାର୍ତ୍ତା ପର୍ଯ୍ୟନ୍ତ ବ୍ୟାପକ ପରିବର୍ତ୍ତନ ଦେଖିଛି। ଦେଶର ପ୍ରଥମ ଆଇଆଇଟି ଭାବେ ଏହି ପ୍ରତିଷ୍ଠାନ ପ୍ରତ୍ୟେକ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ଏଠାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ସମସ୍ତ କର୍ମଚାରୀ ଏବଂ ଆଇଆଇଟି ଖଡ଼ଗପୁରର ସମସ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ହୃଦୟର ସହ ଅଭିନନ୍ଦନ ଜଣାଇଥିଲେ।
କ୍ୟାମ୍ପସ୍ ଜୀବନର କିଛି ସ୍ମୃତି ସବୁଦିନ ପାଇଁ ରହିଯାଏ ବୋଲି ମନେ ପକାଇ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଅନେକ ପୂର୍ବତନ ଛାତ୍ର ଦଶନ୍ଧି ପରେ ମଧ୍ୟ ଚେଦିଜ୍ ରେ ଚା’ ପିଉ ପିଉ ହୋଇଥିବା ଆଲୋଚନାକୁ ଶ୍ରଦ୍ଧାର ସହ ମନେ ପକାନ୍ତି। ଏବଂ ଅନ୍ୟ ପ୍ରତିଷ୍ଠାନର ହଷ୍ଟେଲ ପରି, ଆଇଆଇଟି ଖଡ଼ଗପୁରରେ ହଲ୍ ଅଛି ଯାହାକୁ ନେଇ ପ୍ରତ୍ୟେକ ଛାତ୍ର ଗର୍ବିତ ବୋଲି ସେ ଉଲ୍ଲେଖ କରିଥିଲେ। ନିକଟରେ ହୋଇଥିବା ଦୀପାବଳି ଉତ୍ସବ ପ୍ରସଙ୍ଗରେ ସେ କହିଥିଲେ ଯେ , ଆଇଆଇଟି ଖଡ଼ଗପୁରରେ ଦୀପାବଳିର ଉତ୍ସାହ ଅନନ୍ୟ ବୋଲି ତାଙ୍କୁ ସୂଚନା ମିଳିଛି। ଏଠାକାର ଆଲୋକସଜ୍ଜାର ନିଜସ୍ୱ ଆକର୍ଷଣ ଅଛି ଯାହା ବିଭିନ୍ନ ହଲ୍ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ଆହୁରି ବିଶେଷ ହୋଇଯାଏ। “ଏଥର ଏହି ପ୍ରତିଯୋଗିତାରେ କେଉଁ ହଲ୍ ଜିତିଥିଲା?” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପଚାରିଥିଲେ।
ବଙ୍ଗ ହେଉଛି ସେହି ଭୂମି ଯେଉଁଠି ଚିନ୍ତାଧାରା ଶକ୍ତି ପାଇଥିଲା ଓ ଜାତୀୟ ଆନ୍ଦୋଳନ ଜନ୍ମ ନେଇଥିଲା ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ। ଆଇଆଇଟି ଖଡ଼ଗପୁର ସେହି ସ୍ଥାନରେ ଅବସ୍ଥିତ, ଯେଉଁଠାରେ ପୂର୍ବେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ବନ୍ଦୀ ଶିବିର ରହିଥିଲା। ଅନେକ ଦଶନ୍ଧି ପୂର୍ବେ ଏହି ସ୍ଥାନ ଭାରତୀୟମାନଙ୍କର ସେହି ଅଦମ୍ୟ ସାହସର ସାକ୍ଷୀ ହୋଇଥିଲା, ଯେଉଁମାନେ ସ୍ୱରାଜ ଚାହୁଁଥିଲେ ଏବଂ ଭାରତକୁ ଶିଖରରେ ଦେଖିବାକୁ ଆଶା ରଖିଥିଲେ। ଏହି କ୍ୟାମ୍ପସ୍ ଆଜି ଏପରି ଯୁବ ପ୍ରତିଭାଙ୍କୁ ପ୍ରସ୍ତୁତ କରୁଛି ଯେଉଁମାନଙ୍କର ଉଦ୍ଭାବନ ଓ ଚିନ୍ତାଧାରା ଭାରତକୁ ଆତ୍ମନିର୍ଭର କରିବାର ଶକ୍ତି ପାଲଟୁଛି । ସେ ଅତୀତର ସ୍ୱରାଜର ଆକାଂକ୍ଷା ଓ ସ୍ୱାଧୀନତାର ସ୍ୱପ୍ନକୁ ଆଜିର ଆତ୍ମନିର୍ଭରତାର ସଂକଳ୍ପ ଓ ଭବିଷ୍ୟତ ଗଢ଼ିବାର ସୁଯୋଗ ସହ ତୁଳନା କରିଥିଲେ। ଆକାଂକ୍ଷାରୁ ଆତ୍ମନିର୍ଭରତା ପର୍ଯ୍ୟନ୍ତ ଏହି ଯାତ୍ରା ହିଁ ବିକଶିତ ଭାରତ ନିର୍ମାଣର ପ୍ରକୃତ ଶକ୍ତି ବୋଲି ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ।
ନୂତନ ଭାବେ ସ୍ୱାଧୀନ ହୋଇଥିବା ଭାରତରେ, ପ୍ରଥମ ସାଧାରଣ ନିର୍ବାଚନ ହେବା ପୂର୍ବରୁ, ଯେତେବେଳେ ଦେଶକୁ ଶିଳ୍ପ ଓ ଭିତ୍ତିଭୂମି ପାଇଁ ଇଞ୍ଜିନିୟରଙ୍କ ଆବଶ୍ୟକତା ଥିଲା, ସେତେବେଳେ ଆଇଆଇଟି ଖଡ଼ଗପୁର ପ୍ରତିଷ୍ଠା ହୋଇଥିଲା। ଏହାର ସ୍ଥାପନା ଠାରୁ ଆରମ୍ଭ କରି ଏହାର ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତର ବୈଜ୍ଞାନିକ କ୍ଷମତା ବଢ଼ିବା ସହ ଏହାର ସ୍ନାତକମାନେ ମହାକାଶ ଓ ପରମାଣୁ ଶକ୍ତି କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି। ଏବଂ ପରେ ଭାରତର ସଫ୍ଟୱେର୍ ଶିଳ୍ପକୁ ସୁଦୃଢ଼ କରିଛନ୍ତି ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଓ ବିଶ୍ୱ ଅର୍ଥନୀତିରେ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ନେତୃତ୍ୱ ନେଇଛନ୍ତି। ପ୍ରତିଷ୍ଠାନ ପ୍ରତ୍ୟେକ ସମୟରେ ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ନିର୍ବାହ କରିବାକୁ ଲଗାତାର ଆଗକୁ ଆସିଛି। ଦେଶ ବିକଶିତ ଭାରତ ଆଡ଼କୁ ଆଗେଇ ଚାଲିଥିବା ବେଳେ ଏହାର ୭୫ ବର୍ଷର ଅଭିଜ୍ଞତା ଦେଶର ବିକାଶ ଓ ଉଦ୍ଭାବନ ପରିଚୟରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଗୁରୁତ୍ୱାରୋପ କରି ସେ ଛାତ୍ରଛାତ୍ରୀଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ। “ଆଜିର ଆକାଂକ୍ଷୀ ଭାରତର ସ୍ୱପ୍ନ ପୂରଣ କରିବାରେ ଛାତ୍ରଛାତ୍ରୀମାନେ କୌଣସି ଅଭାବ ରଖିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବେ କହିଥିଲେ”।