ସାଇବର ଠକେଇକୁ ଲାଗିବ ରୋକ୍; ୨୪୯.୩୯ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ସାଇବର ଅପରାଧ, ଆର୍ଥିକ ଠକେଇ ଏବଂ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ସାଇବର ଅତ୍ୟାଚାର ଉପରେ ଲଗାମ ଲଗାଇବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଏଥିପାଇଁ ରାଜ୍ୟରେ ‘ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର’ ଗଠନ କରାଯିବ। ଏହି ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪୯.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସାଇବର ଅପରାଧକୁ ଚିହ୍ନଟ କରିବା, ଏହାର ନିୟନ୍ତ୍ରଣ ଓ ନିରାକରଣ ସହିତ ବିଭିନ୍ନ ପ୍ରକାର ଅନଲାଇନ୍ ଠକେଇ ଏବଂ ସାଇବର ବିପଦର ତଦନ୍ତ କରିବା ଏହି କେନ୍ଦ୍ରର ମୁଖ୍ୟ ଦାୟିତ୍ୱ ରହିବ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବିଶେଷଜ୍ଞଙ୍କ ସହାୟତାରେ ସାଇବର ଅପରାଧ ମୁକାବିଲା କ୍ଷେତ୍ରରେ ଏହା ଏକ ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିବ।

ଏହି କମାଣ୍ଡ ସେଣ୍ଟରରେ ମୁଖ୍ୟତଃ ଚାରିଟି ଶାଖା ରହିବ। ସେଗୁଡ଼ିକ ହେଲା ସାଇବର କ୍ରାଇମ୍ ହେଡକ୍ୱାର୍ଟର୍ସ, ଷ୍ଟେଟ୍ ସାଇବର କ୍ରାଇମ୍ ପୋଲିସ ଷ୍ଟେସନ, ସାଇବର ରିସୋର୍ସ ସେଣ୍ଟର ଏବଂ ଏଆଇ ପ୍ରେଡିକ୍ଟିଭ୍ ପୋଲିସିଂ ଆଣ୍ଡ ଡାଟା ଆନାଲିଟିକ୍ସ ସେଣ୍ଟର।

ଏହି ଚାରିଟି ଶାଖା ମାଧ୍ୟମରେ ସାଇବର ଅପରାଧ ସମ୍ପର୍କିତ ଅଭିଯୋଗର ତଦନ୍ତ, ଡିଜିଟାଲ୍ ପ୍ରମାଣର ବିଶ୍ଳେଷଣ, ଅପରାଧୀଙ୍କ ଗତିବିଧି ଉପରେ ନଜର ଏବଂ ସାଇବର ବିପଦର ପୂର୍ବାନୁମାନ ଭଳି କାର୍ଯ୍ୟକୁ ଅଧିକ ସୁଦୃଢ଼ କରାଯିବ।

ବିଶେଷକରି ମହିଳା ଓ ଶିଶୁଙ୍କୁ ଟାର୍ଗେଟ୍ କରି ହେଉଥିବା ଅନଲାଇନ୍ ନିର୍ଯାତନା, ଅଶ୍ଳୀଳ ବାର୍ତ୍ତା, ସୋସିଆଲ୍ ମିଡିଆରେ ହଇରାଣ ଏବଂ ଆର୍ଥିକ ଠକେଇ ଭଳି ଅପରାଧର ମୁକାବିଲାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

Leave A Reply

Your email address will not be published.