ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ

ସତ୍ୟବାଦୀ: ପୁରୀ ମଣ୍ଡଳ ଶ୍ରମ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ସତ୍ୟବାଦୀ ବ୍ଲକ ଛକ ନିକଟସ୍ଥ ଏକ କଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ଯୋଜନାରେ ଅନୁବନ୍ଧିତ ବିଭିନ୍ନ ବର୍ଗର ଶ୍ରମିକମାନଙ୍କୁ ସହାୟତା ବଣ୍ଟନ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ନିମନ୍ତେ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ୧ କୋଟି ୬୨ ଲକ୍ଷ ୮୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ଆଗାମୀ ଦିନରେ ଏହି ଯୋଜନାରେ ଅଧିକ ସଂଖ୍ୟାରେ ଶ୍ରମିକଙ୍କୁ ସାମିଲ କରିବାକୁ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇ ସେ ସବୁବେଳେ ଶ୍ରମିକମାନଙ୍କ ସହ ଭାଗିଦାର ରହିଛନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟସିଂହ, ମଣ୍ଡଳ ଉନ୍ନୟନ ଅଧିକାରୀ ଲିପ୍ସା ରାୟ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପୁରୀ ମଣ୍ଡଳ ଶ୍ରମ ଆୟୋଗ ଶିବ ପ୍ରସାଦ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସଭା ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶ୍ରମ ଅଧିକାରୀ ଚୌଧୁରୀ ସୁବ୍ରତ କୁମାର ଜେନା ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବହୁମୁଖୀ କଲ୍ୟାଣ ଯୋଜନା ଶିକ୍ଷା, ବିବାହ, ପ୍ରସୂତୀ କାଳୀନ ସହାୟତା, ଅନ୍ତେଷ୍ଟିକ୍ରିୟା, ଦୁର୍ଘଟଣା, ଦୁରାରୋଗ୍ୟ ବ୍ୟାଧି, ପେନସନ ଓ ପକ୍କାଘର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟତମ ଏଏଲଓ ବିକ୍ରମ କେଶରୀ ପ୍ରଧାନ ଓ ସଂଯୋଜକ ଚିତ୍ତରଞ୍ଜନ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ଶ୍ରୀଜଗନ୍ନାଥ ନିର୍ମାଣ ଶ୍ରମିକ ସଂଘ ସଭାପତି ଅଶ୍ୱିନୀ ନନ୍ଦ ଓ ଗୋପ ବ୍ଲକର ଆଞ୍ଚଳିକ ଶ୍ରମିକ ସଂଘ ସଭାପତି ମଧୁସୂଦନ ପ୍ରଧାନ ନିଜ ବକ୍ତବ୍ୟରେ ଶ୍ରମିକ ମାନଙ୍କ ସହାୟତା ପ୍ରାପ୍ତିରେ ଦେଖାଯାଉଥିବା ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୋପୀନାଥ ନିର୍ମାଣ ଶ୍ରମିକ ସଂଘ ସଭାପତି ଗଜେନ୍ଦ୍ର ସାହୁ, ହରଚଣ୍ଡୀ ଶ୍ରମିକ ସଂଘର ସୁଦର୍ଶନ ପ୍ରଧାନ, ମା’ ମଙ୍ଗୁଳେଇ ଶ୍ରମିକ ସଂଘର ରଞ୍ଜନା ବିଶ୍ୱାଳ, କୋଶଳେଶ୍ୱର ଶ୍ରମିକ ସଂଘର ଜଟାଧାରୀ ନାୟକ, ସନ ସାଇନ ଶ୍ରମିକ ସଂଘର ମଙ୍ଗୁଳି ପାଲଟାସିଂହ, ଅଲାରନାଥ ଶ୍ରମିକ ସଂଘର ମହେଶ୍ୱର ମହାରଣା, ଧର୍ମପଦ ଶ୍ରମିକ ସଂଘର ବିଶ୍ୱଜିତ ବିଶ୍ୱାଳ, ଉତ୍କଳ ଶ୍ରମିକ ସଂଘର ବିଚିତ୍ରାନନ୍ଦ ସାହୁ ଓ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ରମେଶ ବିଶ୍ୱାଳ ପ୍ରମୁଖ ହିତାଧିକାରୀ ମାନଙ୍କ ସହିତ ଯୋଗ ଦେଇ ଶିବିର ଆୟୋଜନରେ ସହାୟକ ହୋଇଥିଲେ। ସହକାରୀ ଶ୍ରମ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠନର କର୍ମକର୍ତ୍ତା ଦେବାଶିଷ ନନ୍ଦ ଓ ନାରାୟଣ ଶିଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.