କଳିଙ୍ଗ ଦେଶର ସାଧବ ପୁଅ ମୁଁ

ଅର୍ଜୁନୀ ଚରଣ ବେହେରା

ଅଙ୍ଗ ଦେଶ ଚୁଡ଼ି ବଙ୍ଗ ଦେଶ ଶାଢ଼ୀ
ମୁଣ୍ଡରେ ଭିଡ଼ି ପଗଡ଼ି l
କଳିଙ୍ଗ ଦେଶର ସାଧବ ପୁଅ ମୁଁ
ବୋଇତ ଦେଇଛି ଭିଡ଼ି ll
ନାନା ଜାତି ଭରି ବଣିଜ ପସରା
ଯାଉଅଛି ମୁହିଁ ବାଲି l
ଜାଭା, ବୋରନିଓ,ସିଂହଳ ଦ୍ବୀପରୁ
ଆଣିବି ମାଣିକ୍ୟ ଖାଲି ll
ବାଟେ ଅଛି ପୁଣି ବୋମ୍ବାଟିଆ ଝଡ଼
ସାଗର ବତାସି ବାଆ l
କଳିଙ୍ଗ ପୁଅର ସାହା ଜଗନ୍ନାଥ
ସହାୟ ମଙ୍ଗଳା ମାଆ ll
ବୋଇତ ଚାଲଇ ସାଗର ବକ୍ଷରେ
ନ ମାନି ପାଣି ପବନ l
ତଲେଇ କରିଛି ଠିଆ ବୋଇତରେ
ପଛରୁ ଠେଲେ ପବନ ll
ମୋହ ଠାରେ ମନ ବିକି ଦେଇଅଛି
ସିଂହଳ ରାଜ କୁମାରୀ l
କଳେ ବଳେ ଅବା କଉଶଳେ ମୁହିଁ
ଘେନି ଆସିବି ସୁନ୍ଦରୀ ll
ମାଆ ଧାମରେଈ ମାଆ କାକଟେଇ
କୋଣାରକ ରାମ ଚଣ୍ଡୀ l
ବାଲି ଯାତରାରେ ଆଶୀର୍ବାଦ ଦେବେ
ବ୍ରହ୍ମଗିରି ହରଚଣ୍ଡୀ ll
ଏହିପରି ଦିନେ କଳିଙ୍ଗର ଥିଲା
ସେ ସ୍ୱର୍ଣ୍ଣିମ ଇତିହାସ l
ବୋଇତ, ବାଣିଜ୍ୟ ଦରିଆ ପାରିରେ
କାଳେ ଯାଇଅଛି ନାଶ ll
କାହିଁ ଗଲା ସେହି ହଜିଲା ଅତୀତ
ସାଗରେ ଉଦ୍ଦାମ ଗୀତ l
ଖୁଲଣା ସୁନ୍ଦରୀ,ତଅପୋଇ ଆଜି
ଝୁରି ହୁଅନ୍ତି ଅତୀତ ll
କଥାରେ ରହିଛି ସବୁ ଆଜିଯାଏ
କାର୍ତ୍ତିକେ ଫେରେ ସାଧବ l
ସାଧବାଣୀ ବୋହୁ ବୋଇତ ବନ୍ଦାଏ
ସାହା ଶ୍ରୀ ରାଧାମାଧବ ll
କର୍ପୁରଟି ଉଡ଼ି କନା ଅଛି ପଡ଼ି ମନେ
ପଡ଼ିଯାଏ କଥା l
ସେ ସ୍ମୃତିକି ସଦା ଧରି ରଖିଥିବା
ଟେକି ଚାଲୁଥିବା ମଥା ll
🙏🙏🙏
ଅର୍ଜୁନୀ
—————–
ଅର୍ଜୁନୀ ଚରଣ ବେହେରା

Comments are closed.