ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକ ବାଲିଯାତ୍ରାରେ ଲୋକକଳା ମଞ୍ଚ

କଟକ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକର ଐତିହାସିକ ବାଲିଯାତ୍ରାରେ ସ୍ୱତନ୍ତ୍ର ଲୋକକଳା ମଞ୍ଚ ପ୍ରତିଷ୍ଠା କରାଯାଇଛି। ବାଲିଯାତ୍ରା ହେଉଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ସ୍ଥଳୀ। ଏହି ଗୌରବମୟ ପରମ୍ପରାର ସ୍ମୃତିଚାରଣ କରିବାର ଲକ୍ଷ୍ୟ ନେଇ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାର ସମୃଦ୍ଧ ଲୋକକଳା, ଲୋକନୃତ୍ୟ, ଲୋକନାଟକ, ଲୋକସଙ୍ଗୀତ ଓ ଲୁପ୍ତପ୍ରାୟ ଲୋକକଳାକୁ ନେଇ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଛି। ଏହାକୁ ଦେଖିବାକୁ ଅଗଣିତ ଦର୍ଶକମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି।

ହି ମଞ୍ଚରେ ଗଞ୍ଜାମର ଶଙ୍ଖ ଓ ରଣପା, ମୟୁରଭଞ୍ଜର ଛଉ ନୃତ୍ୟ, କଟକର ରାମଲୀଳା, ଖୋର୍ଦ୍ଧାର ଗୋଟିପୁଅ ଓ ଘୋଡ଼ାନାଚ, ମାଲକାନଗିରିର କୋୟା ନାଚ, ଗଞ୍ଜାମର ପ୍ରହଲ୍ଲାଦ ନାଟକ, ସଖୀ ନାଟ, ଭରତଲୀଳା ଓ ପଶୁମୁଖା, ବଲାଙ୍ଗୀରର ଘୁଡ୍‌କା, ସମ୍ବଲପୁରର ସମ୍ବଲପୁରୀ ନୃତ୍ୟ, ନବରଙ୍ଗପୁରର ଦେଶୀଆ ନାଟ, ପୁରୀର ସାହିଯାତ ଓ ମାହାରୀ, କଳାହାଣ୍ଡିର ଘୁମୁରା, ଭଦ୍ରକର ମୋଗଲ ତାମସା, ଗଜପତିର ପାଇକ ଆଖଡ଼ା, ବାଲେଶ୍ୱର ଚଢ଼େୟା ନାଚ, ନୟାଗଡ଼ର ଲଙ୍କାପୋଡ଼ି, ବୌଦ୍ଧର ଶବର-ଶବରୁଣୀ, କୋରାପୁଟର ଢେମ୍‌ସା, ଢେଙ୍କାନାଳର ଲଉଡ଼ି ଓ ଅନୁଗୁଳର ଦଣ୍ଡନାଟ ଆଦି ଦର୍ଶକମାନଙ୍କ ମନୋରଞ୍ଜନ କରୁଛି।

ମଞ୍ଚକୁ ସଂପୂର୍ଣ୍ଣ ଭାବେ ଉତ୍କଳୀୟ ଗ୍ରାମ୍ୟ ଦୃଶ୍ୟପଟକୁ ଆଧାର କରି ସଜା ଯାଇଛି। ଏଥିସହ ବିଭାଗର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ସଚେତନତା ବାର୍ତ୍ତା ପ୍ରଚାର କରାଯିବା ସହ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ପୂଣ୍ୟତୋୟା ମହାନଦୀର ବାଲୁକା ଶଯ୍ୟାରେ ଆୟୋଜିତ ଏହି ମଞ୍ଚରେ ଚଳିତ ବର୍ଷ ଭିନ୍ନ ଏକ ବାର୍ତ୍ତା ଦେବା ସହ ଉତ୍କଳୀୟ ପରମ୍ପରା, ପ୍ରାଚୀନ ପରମ୍ପରା ଓ ସଂସ୍କୃତିକୁ ପାଥେୟ କରି ବିଭିନ୍ନ ଲୋକକଳା ପ୍ରଦର୍ଶିତ କରାଯାଉଛି ଯାହା ବାଲିଯାତ୍ରାର ଏକ ଅଂଶ ଭାବେ ଉଭା ହୋଇଛି। ବିଭାଗୀୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ପରାମର୍ଶରେ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ।

Comments are closed.