ନବରାତ୍ର ଓ ନବଦୁର୍ଗା

ଅର୍ଜୁନୀ ଚରଣ ବେହେରା

ଭାରତବର୍ଷରେ ସାଧାରଣତଃ ଦୁଇ ପ୍ରକାର ଦୁର୍ଗା ପୂଜାର ପ୍ରଚଳନଅଛି l ଗୋଟିଏ ଶାରଦୀୟ ଏବଂ ଅନ୍ୟଟି ବାସନ୍ତିକ l ଆଶ୍ୱିନଶୁକ୍ଳ ଏବଂ ଚୈତ୍ରଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଏ ପୂଜାର ଅଂଶ ଵିଶେଷ ସ୍ୱରୂପେ ନବରାତ୍ର ପାଳନ ହୋଇଥାଏ l ଏହି ନବ ରାତ୍ର ନଅ ଦିନରେ ମାଆ ଦୁର୍ଗାଙ୍କ ନଅ ରୂପ ନବଗୌରୀ ବା ନବଦୁର୍ଗାଙ୍କୁ ଆରାଧନା କରା ଯାଏ l ମାର୍କଣ୍ଡେୟ ପୁରାଣରେ ଗୋଟିଏ ଅଂଶରେ ବର୍ଣ୍ଣିତ ହୋଇଛି ଦେବୀ ମହାମାୟାଙ୍କ ମାହାତ୍ମ୍ୟ l ଏହା ଚଣ୍ଡୀ ବା ଦୁର୍ଗାସପ୍ତଶତୀ ନାମରେ ପରିଚିତl ନବରାତ୍ରପୂଜାସମୟରେ ଏହାକୁ ପାଠ କରାଯାଇ ମାଆଙ୍କୁ ଆବାହନ କରାଯାଏ l ଏହାଛଡ଼ା ଦୁଇଟି ଗୁପ୍ତ ନବରାତ୍ର ମଧ୍ୟ ଅଛି l ପ୍ରଥମଟି ଆଷାଢ଼ ଶୁକ୍ଳ ପ୍ରତିପଦା ଓ ଦ୍ୱିତୀୟଟି ମାର୍ଗଶୀର ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହୋଇଥାଏ l ଦେବୀଙ୍କର ନବ ଶକ୍ତି ଏହି ସମୟରେ ଏକ ମହାଶକ୍ତି ରୂପ ଧାରଣ କରି ଥାଏ l ଏଣୁ ଆରାଧନା ଦ୍ୱାରା ସାଧକ ମାନେ ଏହି ସମୟରେ ସିଦ୍ଧି ପ୍ରାପ୍ତ ହୋଇଥାନ୍ତି l ନବ ଦୁର୍ଗାଙ୍କୁ ଦେଵୀକବଚ ସୂତ୍ରରେ ବର୍ଣ୍ଣନା କରାଯାଇଛି :-
ପ୍ରଥମଂ ଶୈଳପୁତ୍ରୀ ତି ଦ୍ୱିତୀୟେ ବ୍ରହ୍ମଚାରିଣୀ l
ତୃତୀୟମ୍ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ l
ପଞ୍ଚମ ସ୍କନ୍ଧମାତେତି ଷଷ୍ଠ କାତ୍ୟାୟନୀ ତଥା l
ସପ୍ତମେ କାଳରାତ୍ରେତି ମହାଗୌରୀତିଚାଷ୍ଟମମ୍ l
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକିକୀର୍ତ୍ତିତାଃ ll
ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀ ଦିନ ଏହାର ସମାପନ ହୋଇଥାଏ l ଦଶମୀ ଦିନ ଦଶହରା ପାଳନ ସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ l
ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ :-
୧. ଶୈଳପୁତ୍ରୀ -ଦ୍ୱିଭୁଜା ଦେଵୀ ବୃଷଭବାହନରେ ଅଧିଷ୍ଠିତା l ବାମ ହସ୍ତରେ ପ୍ରସ୍ଫୁଟିତ ପଦ୍ମ ଓ ଅନ୍ୟ ହସ୍ତରେ ତ୍ରିଶୁଳ l ଏହି ଦେବୀ ଇଷତ ଲାଲ ବସ୍ତ୍ର ପରିହିତା, ଅଳଙ୍କାର ଯୁକ୍ତା ଏବଂ ମସ୍ତକରେ ସ୍ବର୍ଣ୍ଣ ମୁକୁଟ l ଏକଦା ଗିରି ରାଜ ହିମାଳୟ କଠୋର ତପସ୍ୟାକରି ଦେବୀଙ୍କୁ ପୁତ୍ରୀ ରୂପେ ପାଇଥିଲେ l ସେ ହିମାଳୟ କ୍ରୋଡ଼ରେ ବିରାଜିତା ଶୈଳପୁତ୍ରୀ l ଦକ୍ଷ ଯଜ୍ଞରେ ସତୀଙ୍କ ଆତ୍ମ ବିସର୍ଜନ ପରେ ଶିବ ତାଙ୍କ ପାଖରେ ସତୀଙ୍କୁ ନ ପାଇ ଶକ୍ତିହୀନ ମନେ କରୁଥିଲେ l ସେ ହିମାଳୟରେ କଠୋର ତପସ୍ୟା କରି ଶୈଳପୁତ୍ରୀଙ୍କୁ ଲାଭ କରିଥିଲେ l ଦେବୀଙ୍କ ଗର୍ଭରୁ ଦେବ ସେନାପତି କାର୍ତ୍ତୀକେୟଙ୍କ ସମ୍ଭବ ହୋଇଥିଲା l ଦେବୀଙ୍କ ଏହି ଜନ୍ମରେ ତିନିଗୋଟି ଅଭୀଷ୍ଟ ପୂରଣ ହୋଇଥିଲା l ଦେବତା ମାନଙ୍କର କାର୍ତ୍ତିକେୟଙ୍କ ଦ୍ୱାରା ଅସୁର ସଂହାର,ହିମବନ୍ତଙ୍କ ମନୋବାଞ୍ଛା ପୂରଣ ଏବଂ ଶିବଙ୍କର ଶକ୍ତି ଲାଭ l ସେ ସତୀ, ଭବାନୀ, ହୈମବତୀ ରୂପରେ ମଧ୍ୟ ପରିଚିତା l ଦେବୀଙ୍କ ଗ୍ରହ ଚନ୍ଦ୍ର l ତାଙ୍କର ମନ୍ତ୍ର ଓଁ ଦେବୀ ଶୈଳପୁତ୍ରୈ ନମଃ l
୨. ବ୍ରହ୍ମଚାରୀଣି – ଆନନ୍ଦମୟୀ ଦେବି ଶୁକ୍ଳ ବସ୍ତ୍ର ପରିହିତା l ସହାସ୍ୟ ଵଦନୀ, ମସ୍ତକରେ ମୁକୁଟ l ଡାହାଣ ହାତରେ ଜପାମାଳା ଏବଂ ବାମ ହସ୍ତରେ କମଣ୍ଡଳୁ l ବ୍ରହ୍ମଜ୍ଞାନ ପ୍ରଦାନ ଏବଂ ବ୍ରହ୍ମଙ୍କୁ ପ୍ରାପ୍ତି ଦେବୀଙ୍କ ସ୍ଵଭାଵ l ଇନ୍ଦ୍ରଙ୍କୁ ବ୍ରହ୍ମଚାରିଣୀ ରୂପରେ ସେ ବ୍ରହ୍ମ ଜ୍ଞାନ ପ୍ରଦାନ କରିଥିଲେ l ଏକଦା ଦେବ ଏବଂ ଅସୁର ସଂଗ୍ରାମରେ ଦେବତାମାନେ ବିଜୟୀ ହେଲେ l ଏ ବିଜୟର ଉତ୍ସ ସେହି ମହାଦେବୀଙ୍କୁ ଦେବତା ମାନେ ଭୁଲି ଅହଙ୍କାରୀ ହୋଇ ଗଲେ l ଦେଵତା ଗଣ ଏକତ୍ରିତ ହୋଇଥାନ୍ତି l ସେମାନେ ଦେଖିଲେ ଦିଗବଳୟରେ ଗୋଟିଏ ଉଜ୍ୱଳଜ୍ୟୋତି ବିନ୍ଦୁ l ଇନ୍ଦ୍ର ଅଗ୍ନିଙ୍କୁ ଏ ଜ୍ୟୋତି ବିନ୍ଦୁ କଣ ବୋଲି ପଚାରିଲେ l ଅଗ୍ନିଦେବ ଯାଇ ସେହି ଜ୍ୟୋତିଙ୍କୁ ପଚାରିଲେ ଆପଣ କିଏ? ତାଙ୍କୁ ଜ୍ୟୋତି କହିଲେ ଆପଣ କିଏ କୁହନ୍ତୁତ? ଅଗ୍ନି କହିଲେ ମୁଁ ଅଗ୍ନି ଏ ସାରା ବ୍ରହ୍ମାଣ୍ଡକୁ ଭସ୍ମ କରିବା ଶକ୍ତି ମୋର ଅଛି l ଜ୍ୟୋତିର୍ମୟୀ ଦେବୀ ଏକ ତୃଣ ଗୁଛ ଦେଇ ଦଗ୍ଧ କରିବା ପାଇଁ ବୋଲନ୍ତେ ଅଗ୍ନି ତାହା କରି ନପାରି ଲଜ୍ଜିତ ହେଲେ l ଏଣେ ଅଗ୍ନି ନ ଫେରିବାରୁ ଇନ୍ଦ୍ର ବାୟୁଙ୍କ ପ୍ରେରଣ କଲେ l ମାଆ ଅହଂକାର ଭଗ୍ନ ପାଇଁ ବାୟୁଙ୍କ ସମ୍ମୁଖରେ ତୃଣରୁ ଖଣ୍ଡିଏ ପକାଇ ଉଡ଼ାଇବାକୁ କହିଲେ l ବାୟୁ ତାହା କରି ନପାରି ଲଜ୍ଜିତ ହେଲେ l ତାପରେ ସ୍ୱୟଂ ଦେବରାଜ ଆସି ଉପସ୍ଥିତ ହେଲେ l ମାତ୍ର ଜ୍ୟୋତି କେଉଁ ଆଡେ ଅନ୍ତର୍ଧ୍ୟାନ ହୋଇଗଲେ ଏବଂ କିଛି ସମୟ ପରେ ତାଙ୍କ ସମ୍ମୁଖରେ ବ୍ରହ୍ମଚାରୀଣି ରୂପରେ ଆବିର୍ଭୁତା ହେଲେ l ଦେବୀ ଇନ୍ଦ୍ରଙ୍କୁ ତାଙ୍କ ବିନା ଜଗତରେ କୌଣସି ଶକ୍ତି ନାହିଁ ବୋଲି ବୁଝାଇ ଥିଲେ ଏବଂ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ l ଦେବୀଙ୍କର ଗ୍ରହ ମଙ୍ଗଳ,ମନ୍ତ୍ର, ଓଁ ଦେବୀ ବ୍ରହ୍ମଚାରିଣ୍ୟେ ନମଃ l
୩. ଚନ୍ଦ୍ରଘଣ୍ଟା – ମହିଷାସୁର ବଧ ନିମନ୍ତେ ଯେତେ ବେଳେ ମା ଦୁର୍ଗା ଆବିର୍ଭୁତା ହୋଇଥିଲେ ସମସ୍ତ ଦେବତାମାନେ ମିଶି ତାଙ୍କ ହାତରେ ଆୟୁଧମାନ ପ୍ରଦାନ କରି ଥିଲେ l ଦେବ ରାଜ ଇନ୍ଦ୍ର ସେତିକି ବେଳେ ମାଆଙ୍କୁ ଘଣ୍ଟାଟିଏ ପ୍ରଦାନ କରି ଥିଲେ l ଇନ୍ଦ୍ର ଦେବୀଙ୍କ ଠାରୁ ଯେଉଁ ବ୍ରହ୍ମଜ୍ଞାନ ପାଇଥିଲେ ତାହାକୁ ବିଶ୍ୱରେ ଘୋଷିତ କରିବାପାଇଁ ସେ ଏହି ଘଣ୍ଟା ଇନ୍ଦ୍ରଙ୍କୁ ଦେଇଥିଲେ lଏ ଘଣ୍ଟାରେ ଐରାବତ ହସ୍ତୀର ବଳ ପୁରି ରହିଥିଲା lଏଣୁ କୁହାଯାଇଛି :-
ଦଦୌ ତସ୍ୟେ ଶହଶ୍ରାକ୍ଷୋ
ଘଣ୍ଟା ଭୈରବତାଦ ଗଜାତ୍ l
ସର୍ଵ ଵାଦ୍ୟମୟୀ ଏ ଘଣ୍ଟାର ଧ୍ୱନି ଅତୀବ ତୀବ୍ର l ବିଶ୍ୱ ସୃଷ୍ଟି ମୂଳରେ ଯେଉଁ ନାଦବ୍ରହ୍ମ ନିହିତ ରହିଛି ସେଥିରୁ ଏ ଘଂଟାର ଉଦ୍ଭବ l ସାଧକ ମାତୃଶକ୍ତିର ନିକଟବର୍ତ୍ତୀ ହେଲେ ଏହି ଘଣ୍ଟାର ଧ୍ୱନି ଶୁଣିପାରି ଥାନ୍ତି l ଯେଉଁମାନେ ଭୋଗାଶକ୍ତ l ମୃତ୍ୟୁ ବେଳେ ସେମାନେ ଯମ ରାଜଙ୍କ ବାହନ ମହିଷ ବେକର ଘଣ୍ଟି ଧ୍ୱନୀ ଶୁଣି ପାରନ୍ତି l ମାତୃ ସେବକଙ୍କୁ ଏହା ମାତୃଆବାହନୀ ଧ୍ୱନିଭାବେ ପ୍ରତୀତ ହୋଇଥାଏ l ଦେବୀଙ୍କ ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧ ଚନ୍ଦ୍ର l ସୁବର୍ଣ୍ଣ ସଦୃଶ ଦେବୀଙ୍କର ଲାବଣ୍ୟ ମୂର୍ତ୍ତି l ତିନି ନେତ୍ର ଓ ଦଶ ହାତରେ ଧାରଣ କରିଛନ୍ତି ଦଶଟି ଆୟୁଧ l ଦେବୀ ସିଂହାରୁଢ଼ା,ଯୁଦ୍ଧ ପାଇଁ ପ୍ରସ୍ତୁତ l ଦେବୀ ବୀର ରସର ଅପୂର୍ବ ମୂର୍ତ୍ତି l ଦେବୀଙ୍କ ଗ୍ରହ ଶୁକ୍ର ,ମନ୍ତ୍ର – ଓଁ ଦେବୀ ଚନ୍ଦ୍ରଘଣ୍ଟାଐ ନମଃ l
୪.କୁଷ୍ମାଣ୍ଡା- କୁତ୍ସିତ ତାପର ନାମ କୁଷ୍ମା l ସଂସାର ତ୍ରିବିଧ ତାପରେ ଜର୍ଜରିତ l ଦେବୀ ଏହି ତ୍ରିତାପକୁ ନିଜ ଉଦରରେ ବହନ କରିଥିବାରୁ ସେ କୁଷ୍ମାଣ୍ଡା l ସିଂହ ବାହିନୀ ଦେବୀ ଅଷ୍ଟ ଭୁଜା l ସାତ ହସ୍ତରେ ଆୟୁଧ ଦକ୍ଷିଣ ହସ୍ତରେ ଜପାମାଳି l ଯିଏ ମାଆର ଅଭୟ ଚାରଣାଶ୍ରିତ ନୁହେଁ ସେ ତ୍ରିତାପରେ ଦଗ୍ଧ ହେଉଥାଏ lମାତୃଚରଣରେ ଆତ୍ମ ସମର୍ପଣ କଲେ ମା’ ତା’ର ତାପତ୍ରୟ ଉଦରସ୍ଥ କରିନିଅନ୍ତି l ମାଆ କୁଷ୍ମାଣ୍ଡା ସନ୍ତାନ ତାପହାରିଣୀ କଲ୍ୟାଣମୟୀ ଜନ୍ମ ଦାତ୍ରୀ,ଜନନୀ l ଦେବୀଙ୍କ ଗ୍ରହ,ସୂର୍ଯ୍ୟ l ଦେବୀଙ୍କ ମନ୍ତ୍ର, “ଓଁ ଦେବୀ କୁଷ୍ମାଣ୍ଡାୟେ ନମଃ” l
୫.ସ୍କନ୍ଧମାତା- ଦେବତାଙ୍କ ପ୍ରାର୍ଥନାରେ ତୃପ୍ତହୋଇ ମହାଦେବୀ ଉମା ରୂପେ ହିମାଳୟପତ୍ନୀ ମେନାଙ୍କ ଗର୍ଭରେ ଜନ୍ମ ହେଲେ l ଦେବୀ ଉମା ଓ ଶିବଙ୍କର ମିଳନରୁ ସ୍କନ୍ଧ ବା କାର୍ତ୍ତିକେୟ ଜନ୍ମ ହେଲେ ଦେବ ସେନାପତି ଭାବେ ଅସୁର ସଂହାରକରିବେ l ଏଣୁ ସେ କିଶୋରୀ ହେବାପରେ ମହାଦେବଙ୍କୁ ପାଇବା ପାଇଁ ଦେବତାଙ୍କ ପରାମର୍ଶରେ କଠୋର ତପସ୍ୟା ଆରମ୍ଭକଲେ l ସେପଟେ ମହାଦେବ ବି କଠୋର ତପସ୍ୟାରେ ମଗ୍ନ l ଦେବତା ମାନେ କାମଦେବଙ୍କୁ ଶିବଙ୍କର ତପସ୍ୟା ଭଗ୍ନ ନିମନ୍ତେ ପ୍ରେରଣ କଲେ l କାମଦେବ ଏ ଉଦ୍ୟମକରି ଶିବଙ୍କ କ୍ରୋଧାଗ୍ନିରେ ଭସ୍ମୀଭୂତ ହୋଇଗଲେ l ଉମା ବୁଝିପାରିଲେ ଯେ ଶିବଙ୍କୁ ପାଇବାକୁ ହେଲେ ଅତି କଠୋର ସାଧନା ଆବଶ୍ୟକ l ପାର୍ବତୀ କଠୋର ତପସ୍ୟା କରିବା ନିମନ୍ତେ ବାହାରିବାରୁ ମାଆ ମେନା ତାଙ୍କୁ ଉ-ମା ଅର୍ଥାତ ଯାଅନାଯାଅନା କହି ବାରଣ କରିଥିଲେ l ଏହି ତପସ୍ୟା ଅବସରରେ ମା’ପାର୍ବତୀ ପତ୍ରଟିଏ ସୁଦ୍ଧା ଭକ୍ଷଣ ନ କରିଥିବାରୁ ତାଙ୍କର ଅନ୍ୟ ନାମ ଅପର୍ଣ୍ଣା l ଧ୍ୟାନ ବଳରେ ଉଭୟଙ୍କ ମଧ୍ୟରେ ମହା ମିଳନ ହେବାରୁ ଜନ୍ମହେଲେ ସ୍କନ୍ଧ,କାର୍ତ୍ତିକେୟ l ସ୍କନ୍ଧମାତା ଅଗ୍ନି ମଣ୍ଡଳରେ ଅବସ୍ଥାନ କରନ୍ତି l ତାଙ୍କର ତିନିଗୋଟି ଭୁଜ,ସେ କୋଳରେ ସ୍କନ୍ଧଙ୍କୁ ଧରିଛନ୍ତି l ସେ ସୁଭ୍ରବର୍ଣ୍ଣା ଓ ପଦ୍ମାସନା l ତାଙ୍କର ଗ୍ରହ – ବୁଧ ଏବଂ ମନ୍ତ୍ର – ଓଁ ଦେବୀ ସ୍କନ୍ଧ ମାତାଐ ନମଃ l
୬.କାତ୍ୟାୟନୀ -ଶ୍ରୀଚଣ୍ଡୀରେ ଦେବୀଙ୍କର ସୁଖଦା ମୋକ୍ଷଦା ଦୁଇଟି ସ୍ୱରୂପର ବର୍ଣ୍ଣନା ରହିଛି lଦେବୀ ରାଜା ସୁରଥଙ୍କୁ ସୁଖ ଓ ସମାଧି ବୈଶ୍ୟକୁ ମୋକ୍ଷ ପ୍ରଦାନ କରିଥିଲେ l ଏଣୁ କାତ୍ୟାୟନୀ ରୂପେ ଶ୍ରୀ ଦେବୀ ସର୍ବଦା ଭକ୍ତିଦା ଅଟନ୍ତି l ଭକ୍ତିରୂପକ ମହା ଧନ ମା’ କାତ୍ୟାୟନୀଙ୍କ କରୁଣାରୁ ସମ୍ଭବ ହୋଇ ଥାଏ l ଦ୍ୱାପର ଯୁଗରେ ଏହି ଦେବୀଙ୍କୁ ବ୍ରଜବାଳା ମାନେ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇବାପାଇଁ ପୂଜା କରିଥିଲେ l ଏଣୁ ଶ୍ରୀମଦ ଭାଗବତରେ ଶ୍ଳୋକ ଅଛି :-
କାତ୍ୟାୟନୀ ମହାମାୟୀ
ମହାଯୋଗିନୀଧିଶ୍ୱରୀ l
ନନ୍ଦ ଗୋପ ସୁତମ୍ ଦେବୀ
ପତିମ୍ ମେ କୁରୁତେ ନମଃ ll
ଦେବୀ ସ୍ଵର୍ଣ୍ଣମୟୀ ଦିବ୍ୟ ସ୍ୱରୂପା ସିଂହ ବାହିନୀ l ଦେବୀ ତ୍ରିନେତ୍ରା ଓ ଅସ୍ତ୍ରଧାରି ଅଷ୍ଟଭୁଜା l ଦେବୀ ବୃନ୍ଦାବନରେ କାତ୍ୟାୟନୀ ରୂପରେ ବିରାଜିତା l ଦେବୀଙ୍କ ଗ୍ରହ – ବୃହସ୍ପତିଏବଂ ମନ୍ତ୍ର ” ଓଁ ଦେବୀ କାତ୍ୟାୟନୈ ନମଃ “l
୭.କାଳରାତ୍ରୀ -ଋକବେଦରେ ପରମାତ୍ମାଙ୍କୁ ରାତ୍ରୀ ଓ ମା’ ମହାମାୟାଙ୍କୁ ରାତ୍ରିର ଶକ୍ତି ରୂପେ ବର୍ଣ୍ଣନା କରାଯାଇଛି lରାତ୍ରିରେ ଯେମିତି ସବୁ ପ୍ରାଣୀ ନିଦ୍ରା ଗତ ହୁଅନ୍ତି ପ୍ରଳୟସମୟ ଉପସ୍ଥିତ ହେଲେ ରାତ୍ରି ରୁପିଣୀ ପରଂବ୍ରହ୍ମଙ୍କ କ୍ରୋଡ଼ରେ ଏ ବିଶ୍ୱର ବିଲୟ ହୁଏ l ଚାରିଆଡେ ଅନ୍ଧକାର ଘୋଟି ଯାଏ ଯାହା କାଳରାତ୍ରି ସ୍ୱରୂପା l ଏହି ସମୟରେ ନିଦ୍ରିତ ମହା ବିଷ୍ଣୁ ଯୋଗନିଦ୍ରାଙ୍କୁ ଭଜନ କରନ୍ତି
ଯୋଗନିଦ୍ରାମ୍ ଯଦା
ବିଷ୍ଣୁର୍ଜଗତ୍ୟେ କାର୍ଣ୍ଣଵୀ କୃତେ l
ଆସ୍ତିର୍ଯ୍ୟ ଶେଷ ମଦ୍ଭଜତ
କଳ୍ପାନ୍ତେ ଭଗବାନ ପ୍ରଭୁ ll
ଯୋଗନିଦ୍ରl ହିଁ ମହାକାଳୀ,କାଳରାତ୍ରୀ l ମନୁଷ୍ୟ ରାତ୍ରିରେ ଯାହା କୋଳରେ ବିଶ୍ରାମ ନିଅନ୍ତି ସେହି କାଳରାତ୍ରି ଦେବୀଙ୍କର ଅଂଶ ସ୍ୱରୂପା କୁଣ୍ଡଳିନୀ କାଳିକା l ଦେବୀଙ୍କର ଶରୀରର ରଙ୍ଗ ଅନ୍ଧକାର ପରି ଗଭୀର କଳା l ମସ୍ତକର କେଶ ଅସ୍ତବ୍ୟସ୍ତ l ଦେବୀଙ୍କ କଣ୍ଠରେ ଜ୍ୟୋତିର୍ମୟ ହାର l ତ୍ରିନେତ୍ର ବ୍ରହ୍ମାଣ୍ଡ ସଦୃଶ ଗୋଲାକାର l ଦେବୀ ଚତୁର୍ଭୁଜା l ଉପର ଡାହାଣ ହାତରେ ଖଡ୍ଗ,ତଳ ଡାହାଣହାତ ବରଦା ମୁଦ୍ରାରେ, ଉପର ବାମ ହାତରେ ଜ୍ୱଳନ୍ତ ମଶାଲ ଓ ତଳବାମହାତ ଅଭୟ ମୁଦ୍ରାରେ l ସେ ଭକ୍ତମାନଙ୍କୁ ସମସ୍ତ କଷ୍ଟରୁ ମୁକ୍ତ କରିଥାନ୍ତି l ଏଣୁ ସେ ଶୁଭଙ୍କରୀ l ଦେବୀଙ୍କ ଗ୍ରହ – ଶନି, ମନ୍ତ୍ର – ଓଁ ଦେବୀ କାଳରାତ୍ରେଐ ନମଃ l
୮. ମହାଗୌରୀ – ମହାଦେବ ଦିନେ କଳା ହୋଇ ଥିବାରୁ ମା’କାଳରାତ୍ରିଙ୍କୁ ଉପହାସ କଲେ lଦେବୀ ରୁଷ୍ଟlହୋଇ କଠିନ ତପସ୍ୟାରେ ନିମଗ୍ନ ହେଲେ l ତପସ୍ୟା ବଳରେ ନିଜର କଳା କାନ୍ତିକୁ ପତି ଶିବଙ୍କୁ ପ୍ରଦାନ କରି ନିଜେ ବିଦ୍ୟୁତ କାନ୍ତି ସମ ଗୌରବର୍ଣ ଧାରଣ କରି ମହାଗୌରୀ ହେଲେ l ମହାଗୌରୀ ହେଉଛନ୍ତି ସ୍ବାମୀ ସୋହାଗୀନି l ତାଙ୍କ ଶରୀରର ବର୍ଣ୍ଣ ଶଙ୍ଖ, ଇନ୍ଦୁ ଏବଂ କୁନ୍ଦ ସଦୃଶ ଗୌର ଅଟେ l ଦେବୀଙ୍କର ବୟସ ଆଠ ବର୍ଷ ( ଅଷ୍ଟବର୍ଷେ ଭଵେତ ଗୌରୀ )l ଦେବୀଙ୍କର ବସ୍ତ୍ର ଓ ଆଭୂଷଣ ସବୁ ଶ୍ୱେତ ଓ ସ୍ୱଚ୍ଛ l ଦେବୀ ତ୍ରିନେତ୍ରା, ବୃଷଭ ବାହିନୀ ଓ ଚତୁର୍ଭୁଜା l ଦେବୀଙ୍କର ଉପର ଦକ୍ଷିଣ ହସ୍ତ ବରଦ ମୁଦ୍ରାରେ l ଦେବୀ ଶାନ୍ତମୂର୍ତ୍ତି l ଦେବୀଙ୍କ ଗ୍ରହ – ରାହୁ, ମନ୍ତ୍ର “ଓଁ ଦେବୀ ମହାଗୌର୍ଯ୍ୟଐ ନମଃ” l
୯.ସିଦ୍ଧିଦାତ୍ରୀ – ସାଧକକୁ ସର୍ବ କର୍ମରେ ଯିଏ ସିଦ୍ଧି ପ୍ରଦାନ କରନ୍ତି ସେ ହେଉଛନ୍ତି ମାଆ ସିଦ୍ଧିଦାତ୍ରୀ l ମହାଭାରତ ଯୁଦ୍ଧରେ ଭଗବାନଙ୍କ ପରାମର୍ଶରେ ଅର୍ଜୁନ ଜୟଲାଭ ପାଇଁ ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରିଥିଲେ l ମହା ଦେବୀ ତୁଷ୍ଟ ହୋଇ ଅର୍ଜୁନଙ୍କୁ ସିଦ୍ଧି ଦାତ୍ରୀ ଜନନୀ ରୂପେ ଦର୍ଶନ ଦେଇ ଆଶିଷ ପ୍ରଦାନ କରିଥିଲେ lବିଶ୍ୱର ସମସ୍ତ ଜୀବ,ଯୋଗୀ , ଭୋଗୀ,ଭକ୍ତ,ଗୃହୀ,ତପସ୍ୱୀ ଏପରିକି ବ୍ରହ୍ମା,ଶିବ ପର୍ଯ୍ୟନ୍ତ ସିଦ୍ଧିଲାଭ କରିଥାନ୍ତି ମାଆ ସିଦ୍ଧିଦାତ୍ରୀଙ୍କ କରୁଣା ବଳରେ lମାର୍କଣ୍ଡେୟ ପୁରାଣରେ ଅଣିମା, ମହିମା, ଲଂଘିମା, ପ୍ରାପ୍ତି, ପ୍ରାକମ୍ୟ, ଈଶିତ୍ବ ଆଦି ଆଠ ସିଦ୍ଧି ବିଷୟରେ କୁହା ଯାଇଛି l ଏହି ସିଦ୍ଧି ପ୍ରଦାନ କରୁଥିବା ଦେବୀ ସିଦ୍ଧିଦାତ୍ରୀ l ସେ ସିଂହ ବାହିନୀ,ଚତୁର୍ଭୁଜା ଏବଂ ପ୍ରସନ୍ନ ବଦନା l ମାଆ ଦୁର୍ଗାଙ୍କର ଏହି ରୁପକୁ ସମସ୍ତେ ସିଦ୍ଧି ପ୍ରାପ୍ତି ପାଇଁ ଆରାଧନା କରିଥାନ୍ତି l ଦେବୀଙ୍କର ଗ୍ରହ କେତୁ, ମନ୍ତ୍ର,”ଓଁ ଦେବୀ ସିଦ୍ଧିଦାତ୍ରେଐ ନମଃ “l
🙏🙏🙏
ଅର୍ଜୁନୀ
————–
ମୋ -୭୬୯୩୦୯୧୯୭୧

Comments are closed.