ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ଅଧ୍ୟକ୍ଷ ପଦରୁ ସୋମବାର ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମେ’ ୨୫ ତାରିଖରୁ ହିଁ ସେ ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ଶ୍ରୀ ଜେନା ଗତ ୨୦୨୫ ମସିହା ଏପ୍ରିଲ ମାସ ୮ ତାରିଖରେ OERC ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ରାଜ୍ୟପାଳ ତାଙ୍କୁ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତା ରହିଥିଲା।
ବର୍ତ୍ତମାନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ତାତି ଜାରି ରହିଥିବା ବେଳେ ଘନ ଘନ ବିଦ୍ୟୁତ କାଟ୍କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଥିସହିତ ବିଦ୍ୟୁତ କର୍ମଚାରୀଙ୍କ ଧର୍ମଘଟକୁ ରୋକିବା ପାଇଁ ସରକାର ନିକଟରେ ଏସମା (ESMA) ମଧ୍ୟ ଲାଗୁ କରିଛନ୍ତି। ଏଭଳି ଏକ ସଙ୍କଟଜନକ ସମୟରେ ରାଜ୍ୟ ବିଦ୍ୟୁତ କ୍ଷେତ୍ରର ସର୍ବୋଚ୍ଚ ନିୟାମକ ସଂସ୍ଥାର ମୁଖ୍ୟଙ୍କ ଏହି ଅଚାନକ ଇସ୍ତଫା ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଓଇଆରସିର ନୂତନ ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।
Comments are closed.