ମହାବିନାୟକ

ଅର୍ଜୁନୀ ଚରଣ ବେହେରା

ମହାବିନାୟକ
===========
ମାନ୍ଦ୍ରାଜ କଲିକତା ପାଞ୍ଚନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଠାରୁ ୪କିଲୋମିଟର ଦୂରତାରେ ଯାଜପୁର ଜିଲ୍ଲାର ମହାବିନାୟକ ପାହାଡ଼ ଉପରେ ରହିଛି ପୁରାତନ ମହାବିନାୟକ ମନ୍ଦିର l ଓଡ଼ିଶାର କ୍ଷେତ୍ର ମାନଙ୍କ ମଧ୍ୟରେ ଏହା ଅନ୍ୟତମ କ୍ଷେତ୍ର l ଯାଜପୁରକୁ ବିରଜା କ୍ଷେତ୍ର, ପୁରୀକୁ ଶ୍ରୀକ୍ଷେତ୍ର, ଭୁବନେଶ୍ୱରକୁ ଏକାମ୍ର କ୍ଷେତ୍ର, କେନ୍ଦ୍ରାପଡ଼ାକୁ ତୁଳସୀ କ୍ଷେତ୍ର,କୋଣାର୍କକୁ ପଦ୍ମକ୍ଷେତ୍ର କୁହା ଯାଉ ଥିଲା ବେଳେ ଏହି କ୍ଷେତ୍ରକୁ ଗଣେଷ ବା ମହା ବିନାୟକ କ୍ଷେତ୍ର କୁହାଯାଏ l ଏ କ୍ଷେତ୍ର ବିଷୟରେ ବହୁ ଲୋକ କଥା, ପୌରାଣିକ ଓ ଐତିହାସିକ ତଥ୍ୟ ରହିଛି l ଏକ ସୁନ୍ଦର ପ୍ରାକୃତିକ ଓ ଶାନ୍ତ ପରିବେଶ ମଧ୍ୟରେ ଶ୍ରୀମହାବିନାୟକ ବିରାଜ ମାନ କରିଛନ୍ତି l ନୈସର୍ଗିକ ପ୍ରାକୃତିକ ଶୋଭା ବିମଣ୍ଡିତ ଏହି ପୀଠଟିରେ ବର୍ଷକ ବାର ମାସ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l ଏଠାରେ ଶିବ ରାତ୍ରୀ,ଗଣେଷ ଚତୁର୍ଥୀ, ରଜ ସଂକ୍ରାନ୍ତି, ମକର ସଂକ୍ରାନ୍ତି, ଶ୍ରାବଣର ପ୍ରତି ସୋମବାର ଓ ପିକନିକ ଋତୁରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳେ l
ମହାବିନାୟକ ପର୍ବତରେ ଥିବା ପାତି ଏବଂ ହନୁ ମାଙ୍କଡ ମାନେ ର୍ଯ୍ୟଟକ ମାନଙ୍କୁ ମନୋରଂଜନର ଖୋରାକ ଯୋଗାଇ ଥାନ୍ତି l ମାଙ୍କଡ ମାନଙ୍କ ସହ ଶ୍ରଦ୍ଧାଳୁମାନେ ପର୍ବତ ଉପରକୁ ଥିବା ଶହେରୁ ଅଧିକ ପହାଚକୁ ଅତି ସହଜରେ ଚଢି ଯାଇଥାନ୍ତି l ଏ କ୍ଷେତ୍ରରେ ଶିବ,ବିଷ୍ଣୁ,ଦୂର୍ଗା,ସୂର୍ଯ୍ୟ ଓ ଗଣେଶ ଆଦି ପଞ୍ଚ ଦେବଙ୍କର ଅପୂର୍ବ ସମାହାର ଘଟିଛି l ପଞ୍ଚ ଦେବଙ୍କୁ ଶାନ୍ତ କଲେ ସର୍ବରିଷ୍ଟ ଖଣ୍ଡନ ହୋଇ ଥାଏ ବୋଲି ଲୋକ ବିଶ୍ୱାସ ରହିଛି l
ମହାବିନାୟକ ପୀଠକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ୱର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନ ଯୋଜନାରେ ଅନ୍ତର୍ଭୁକ୍ତ କରା ଯାଇଛି l ରତ୍ନଗିରି-ଲଳିତଗିରି-ଛତିଆବଟ ଓ ମହାବିନାୟକ କ୍ଷେତ୍ରକୁ ସ୍ବର୍ଣ୍ଣତ୍ରିଭୁଜ ଯୋଜନା ସହ ଯୋଡା ଯାଇଛି l
ଇତିହାସରୁ ଜଣାଯାଇ ଥାଏ ଦ୍ୱାଦଶ ଶତାଦ୍ଦୀରେ କେଶରୀ ବଂଶୀୟ ରାଜାମାନଙ୍କ ଶାସନକାଳରେ ଏହି ମନ୍ଦିର ନିର୍ମାଣ ହୋଇଥିଲା l କେତେକଙ୍କ ମତରେ ଏହା ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ସମୟରେ ନିର୍ମିତ ବୋଲି l ପରେ ଏହା ଦର୍ପଣି ରାଜାଙ୍କ ତତ୍ୱାବଧାନରେ ରହି ଥିଲା l
କିମ୍ବଦନ୍ତୀରୁ ଜଣାଯାଏ ରତି ଦେବୀ ଏଠି ସ୍ବାମୀ କାମଦେବଙ୍କ ମୁକ୍ତିପାଇଁ ଗଣନାଥଙ୍କୁ ପ୍ରାର୍ଥନା କରି ଥିଲେ l କାମଦେବ ମହାଦେବଙ୍କ ତପସ୍ୟା ଭଙ୍ଗ କରିବାକୁ ଉଦ୍ୟମ କରି ଏକଦା ତାଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ l ତାଙ୍କୁ ମୁକୁଳାଇବା ନିମନ୍ତେ ରତି ଦେବୀ ଏଠାରେ ପାର୍ଥନା କରିଥିଲେ l କିନ୍ତୁ ତାଙ୍କୁ କିଛି ସୁଫଳ ମିଳି ନଥିଲା l ଏହାପରେ ସେ ବେଦ ପତି ବ୍ରହ୍ମାଙ୍କୁ ପାର୍ଥନା କରିବାରୁ ବ୍ରହ୍ମା ତାଙ୍କୁ ପଞ୍ଚ ଦେବଙ୍କ ପୂଜା କରିବାକୁ ଉପଦେଶ ଦେଇଥିଲେ l ପଞ୍ଚଦେବ ତାଙ୍କ ପ୍ରାର୍ଥନା ଓ ତପସ୍ୟାରେ ସନ୍ତୁଷ୍ଟ ହେଲେ ଓ ମହାଦେବ କାମଦେବଙ୍କୁ ମୁକ୍ତ କରି ଥିଲେ l ଏ ପର୍ବତ ଓ ମହାବିନାୟକଙ୍କ ବିଷୟରେ ମହାଭାରତରେ ବର୍ଣ୍ଣନା ରହିଛି l ଏଠାରେ ଭୀମ ଓ ଯୁଧିଷ୍ଟିର ଅଜ୍ଞାତ ବନବାସ କାଳରେ ଅବସ୍ଥାନ କରିଥିବା କଥା ମହାଭାରତରେ ରହିଛି l ଲୋକ କଥା ଅନୁଯାୟୀ ମହାଦେବ ଯେତେ ବେଳେ ଶ୍ରୀ ଗଣେଷଙ୍କର ମସ୍ତକ ଛେଦନ କଲେ ଗଣେଷଙ୍କ ମୁଣ୍ଡ ଆସି ଏହି ପର୍ବତ ଉପରେ ପଡିଥିଲା l
ବଡି ଭୋରରୁ ମହାବିନାୟକଙ୍କ ପହଡ ଖୋଲା ଯାଇ ବିଭିନ୍ନ ନିତୀକାନ୍ତି ଅନୁଷ୍ଠିତ ହେବା ସହ ପାର୍ଶ୍ଵ ଦେବା ଦେବୀଙ୍କ ପୂଜାର୍ଚ୍ଚନା ହୋଇ ଥାଏ l ଏଠାରେ ଏକ ଛୋଟ ଚିର ସ୍ରୋତା ଝରଣା କୁଳୁ କୁଳୁ ନାଦ କରି ପାହାଡ଼ରୁ ଝରି ଆସୁଛି l ଏହାର ଶୀତଳ ଜଳକୁ ଗୋଟିଏ ବଡ଼ କୁଣ୍ଡରେ ସଂଗ୍ରହକରି ରଖା ଯାଉଛି l ସେହେତୁ ପରିବେଶ ସବୁ ସମୟରେ ଥଣ୍ଡା ଥାଏ l ଏଣୁ ଏହା ଓଡିଶାର ଶୈଳନିବାସ ଭାବେ ମାନ୍ୟତା ପାଇଛି l ଯାତ୍ରୀଙ୍କ ସୁବିଧା ପାଇଁ ଏଠାରେ ଯାତ୍ରୀ ନିବାସ ଏବଂ ଅନ୍ୟ ସୁବିଧା ରହିଛି l ମହାବିନାୟକ ପୀଠର ଅନତି ଦୂରରେ ଅଛି ଚଣ୍ଡୀ ମନ୍ଦିର, ବାବା ଭୈରବାନନ୍ଦଙ୍କ ସାଧନା ପୀଠ ଓ କିଛି ଦୂରରେ ରହିଛି ମହାପୁରୁଷ ହାଡ଼ି ଦାସଙ୍କ ସାଧନା ପୀଠ ଓ ଗୋକର୍ଣ୍ଣିକା ତୀର୍ଥ l
ଓଡିଶାର ଦର୍ଶନୀୟ ସ୍ଥାନ ମାନଙ୍କ ଭିତରେ ଏହା ଏକ ଅତୀବ ରମଣୀୟ ସ୍ଥାନ l ପର୍ଯ୍ୟଟକମାନେ ଏ ସ୍ଥାନ ଭ୍ରମଣକରି ଅପାର ଆନନ୍ଦ ଲାଭ କରିବା ସହ ବାବା ଗଣପତି ଓ ମାଆ ଚଣ୍ଡୀଙ୍କ ଆଶୀର୍ବାଦ ଲାଭ କରିଥାନ୍ତି l
ଓଁ ଗଣପତୟେ ନମଃ

ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.