ବାଲେଶ୍ୱର, ୨୩/୯(କୃଷ୍ଣ କୁମାର ମହାନ୍ତି): ବସ୍ତା ନିର୍ବାଚନମଣ୍ଡଳୀରେ ଶିଳ୍ପ ପ୍ରତିଷ୍ଠା ସହ ନୂତନ କର୍ମସଂସ୍ଥାନ ସୃଷ୍ଟି ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ଦାବି ନେଇ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
ସାକ୍ଷାତକାର ସମୟରେ ବିଧାୟିକା ଶ୍ରୀମତୀ ଜେନା ବସ୍ତା ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ବିଶେଷକରି ବସ୍ତାରେ ଏକ ଶିଳ୍ପ ପ୍ରତିଷ୍ଠା କରି ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ପାଇଁ ସେ ଦୃଢ଼ ଦାବି ରଖିଥିଲେ।
ବସ୍ତାରେ ନୂତନ ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ନିଜ ଅଞ୍ଚଳରେ ରୋଜଗାରର ସୁଯୋଗ ବୃଦ୍ଧି ପାଇବା ସହ ଅଞ୍ଚଳର ଆର୍ଥିକ ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ବିଧାୟିକା ଗୁରୁତ୍ୱାରୋପ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାୟିକାଙ୍କ ଦାବିଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣିବା ସହ ଏନେଇ ଉପଯୁକ୍ତ ପଦକ୍ଷେପ ନେବା ଦିଗରେ ସକାରାତ୍ମକ ପ୍ରତିଶ୍ରୁତି ଦେଇଥିବା ବିଧାୟିକା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।
ବସ୍ତାର ଯୁବଶକ୍ତିଙ୍କୁ ଆତ୍ମନିର୍ଭର କରିବା ସହ ନିର୍ବାଚନମଣ୍ଡଳୀର ସାମଗ୍ରିକ ପ୍ରଗତି ପାଇଁ ତାଙ୍କର ପ୍ରୟାସ ଆଗାମୀ ଦିନରେ ମଧ୍ୟ ନିରନ୍ତର ଜାରି ରହିବ ବୋଲି ବିଧାୟିକା ଶ୍ରୀମତୀ ଜେନା କହିଛନ୍ତି।
Comments are closed.