ବାଲେଶ୍ଵର, ୨୩ ସେପ୍ଟେମ୍ବର (କୃଷ୍ଣ କୁମାର ମହାନ୍ତି): ଯାତ୍ରୀମାନେ ରେଲୱେ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ସହ ଶୃଙ୍ଖଳିତ ଓ ଦାୟିତ୍ୱବାନ ଯାତ୍ରାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଦକ୍ଷିଣ ପୂର୍ବ ରେଲୱେର ଖଡ଼ଗପୁର ଡିଭିଜନ ଅଧୀନ ବାଲେଶ୍ୱର ରେଲୱେ ଷ୍ଟେସନରେ ସ୍ୱତନ୍ତ୍ର ରେଲୱେ ମାଜିଷ୍ଟ୍ରେଟ୍ ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା ରୋଡ୍ର ସ୍ୱତନ୍ତ୍ର ରେଲୱେ ମାଜିଷ୍ଟ୍ରେଟ୍ ଶ୍ରୀ ଦେବନ ସତାଦର୍ଶୀ ନନ୍ଦଙ୍କ ତତ୍ତ୍ୱାବଧାନରେ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚାଲିଥିଲା। ଯାଞ୍ଚ ସମୟରେ ଅନିୟମିତ ଯାତ୍ରା, ବୈଧ ଟିକେଟ୍ ବିନା ଯାତ୍ରା ଏବଂ ବିନା ବୁକିଂରେ ସାମଗ୍ରୀ ପରିବହନ ସମ୍ପର୍କିତ ୪୭ଟି ମାମଲା ଚିହ୍ନଟ ହୋଇଥିଲା। ଏହି ମାମଲାଗୁଡ଼ିକରେ ଦୋଷୀମାନଙ୍କଠାରୁ ମୋଟ ₹୨୫,୧୫୦ ଜରିମାନା ଆଦାୟ କରାଯାଇଥିଲା।
ଏହା ବ୍ୟତୀତ, ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ସମୟରେ ରେଲୱେ ସୁରକ୍ଷା ବଳ (RPF) ପକ୍ଷରୁ ବାଲେଶ୍ୱର–ରୂପସା–ବାରିପଦା ରେଳପଥରେ ରେଲୱେର ବିଭିନ୍ନ ନିୟମ ଉଲ୍ଲଂଘନ ସମ୍ପର୍କିତ ୧୮୮ଟି ମାମଲା ଚିହ୍ନଟ କରାଯାଇଥିଲା।
ବିନା ଟିକେଟ୍ ଓ ଅନିୟମିତ ଯାତ୍ରାକୁ ରୋକିବା, ସାମଗ୍ରୀର ଉପଯୁକ୍ତ ବୁକିଂ ସୁନିଶ୍ଚିତ କରିବା ଏବଂ ରେଲୱେ ନିୟମର ଅନୁପାଳନକୁ ଅଧିକ ସୁଦୃଢ଼ କରିବା ଏହି ସଘନ ଯାଞ୍ଚ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହା ଦ୍ୱାରା ରେଳ ଷ୍ଟେସନ ଓ ଟ୍ରେନ୍ରେ ଶୃଙ୍ଖଳା ବଜାୟ ରଖିବା ସହ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଓ ଅସୁବିଧାମୁକ୍ତ ଯାତ୍ରା ପରିବେଶ ସୁନିଶ୍ଚିତ କରିବା ଲକ୍ଷ୍ୟ ରହିଛି।
ଖଡ଼ଗପୁର ଡିଭିଜନ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ବୈଧ ଟିକେଟ୍ ସହ ଯାତ୍ରା କରିବା, ରେଲୱେର ନିୟମ ଓ ବିଧିବିଧାନ ପାଳନ କରିବା ସହ ଯାତ୍ରା ସମୟରେ ନେଉଥିବା ସମସ୍ତ ସାମଗ୍ରୀକୁ ନିର୍ଦ୍ଧାରିତ ରେଲୱେ ନିୟମ ଅନୁଯାୟୀ ଉପଯୁକ୍ତ ଭାବେ ବୁକ୍ କରିବାକୁ ଅନୁରୋଧ କରାଯାଇଛି।