ବାଲେଶ୍ଵର, ୨୩/୯(କୃଷ୍ଣ କୁମାର ମହାନ୍ତି): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ବାଲେଶ୍ଵର ରାବଣ ପୋଡ଼ି କମିଟି’ ପକ୍ଷରୁ ରାବଣ ପୋଡ଼ି ସମାରୋହ ଆୟୋଜନ କରାଯିବ। ଏହାକୁ ଅଧିକ ଆକର୍ଷଣୀୟ ଓ ଚିତ୍ତାକର୍ଷକ କରିବା ନେଇ ଗୋପାଳଗାଁସ୍ଥିତ ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ମୁଖ୍ୟ କାର୍ଯ୍ୟାଳୟ ପରିସରରେ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
କମିଟିର ସଭାପତି ଡକ୍ଟର ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଉପସଭାପତି ଭାଗବତ ସାହୁ, ସାଧାରଣ ସମ୍ପାଦକ କିଶୋର ଦାସ, ସମ୍ପାଦକ ରାମନାରାୟଣ ଶତପଥି, ସତ୍ୟଶିବ ସୁନ୍ଦର ଦାସ, ଚିତ୍ତରଞ୍ଜନ ପଣ୍ଡା ଓ ଯୁଗ୍ମ ସମ୍ପାଦିକା ରଞ୍ଜିତା ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶଙ୍କୁ କମିଟିର ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଛି।
ଆସନ୍ତା ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ସହରର ସରକାରୀ ଆଇଟିଆଇ ପଡ଼ିଆରେ ରାବଣ ପୋଡ଼ି ସମାରୋହ ଅନୁଷ୍ଠିତ ହେବ। ଚଳିତ ବର୍ଷ ଉତ୍ସବକୁ ନୂଆ ଆକର୍ଷଣ ଦେବା ପାଇଁ ଲେଜର ଲାଇଟ୍ ଶୋ’, ଆତସବାଜି ପ୍ରଦର୍ଶନ, ସୀତାହରଣ ଓ ରାମ-ରାବଣ ଯୁଦ୍ଧ ସମେତ ବିଭିନ୍ନ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।
ଉତ୍ସବର ପ୍ରଚାରପ୍ରସାର ପାଇଁ କଳାକାରମାନେ ରାବଣ, ହନୁମାନ ଓ ବାନରସେନା ବେଶରେ ସଜ୍ଜିତ ହୋଇ ସହରର ବିଭିନ୍ନ ପୂଜାମଣ୍ଡପ ବୁଲି ଲୋକଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବେ। ରାବଣ ପୋଡ଼ି ଦେଖିବା ପାଇଁ ହେବାକୁ ଥିବା ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ଆବଶ୍ୟକ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ।
କାର୍ଯ୍ୟକ୍ରମରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ବୈଠକରେ କମିଟିର କାର୍ଯ୍ୟକାରୀ ସଦସ୍ୟ ତଥା ‘ଆଜିକାଲି’ର ସମ୍ପାଦକ ଇଞ୍ଜିନିୟର ନିର୍ମାଲ୍ୟ ମହାନ୍ତି, ସଦସ୍ୟା ସନ୍ଧ୍ୟାରାଣୀ ଭୂୟାଁ, ଡ. ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ଭାବଗ୍ରାହୀ ମହାନ୍ତି, ଶୁଭେନ୍ଦୁ କୁମାର ପଟ୍ଟନାୟକ, ରୁଦ୍ରନାରାୟଣ ଦାସ, ଶଙ୍କର ଦିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ।